ଯୁଆଡ଼େ ଦେଖିବ ଖାଲି ଅଫିମ ଚାଷ, ହେଲେ ପୋଲିସକୁ ଦିଶୁନି !

ଅର୍ଗସ ବ୍ୟୁରୋ: ଅଫିମ ଚାଷର ହବ୍ ପାଲଟି ଗଲାଣି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବରେହିପାଣି ପଞ୍ଚାୟତର ବନ୍ଦିରାବସା ଓ ଅସନବଣୀ ଠାରେ ପାଖାପାଖି ଦେଢ଼ ଏକର ଜମିରେ ହୋଇଥିବା ଅଫିମ ଚାଷକୁ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ଶିମିଳିପାଳ ଅଭୟାରଣ୍ୟ ଭିତରେ ଏଭଳି ବେଆଇନ୍ ଅଫିମ ଚାଷକୁ ନେଇ ମୟୂରଭଞ୍ଜ SP ଙ୍କ ଠାରେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ-ନିର୍ଦ୍ଦେଶକ ସାଇକିରନ୍ ଡି.ଏନ ଅଭିଯୋଗ କରିଥିଲେ । ତାପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । କରଞ୍ଜିଆ SDPOଙ୍କ ନେତୃତ୍ୱରେ ଯଶିପୁର ପୋଲିସ, ଅବକାରୀ ବିଭାଗ, ବନବିଭାଗ ଓ ରାଜସ୍ୱ ବିଭାଗ ଦ୍ଵାରା ଗୁରୁବାର ବିଳମ୍ୱିତ ରାତିରେ ଚଢ଼ାଉ କରାଯାଇଥିଲା । ତାପରେ ଦେଢ଼ ଏକରରେ ବ୍ୟାପିଥିବା ଅଫିମ ଚାଷକୁ ନଷ୍ଟ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଅଫିମ ଚାଷରେ ସଂପୃକ୍ତ ଥିବା କୌଣସି ବ୍ୟକ୍ତିକୁ ବି ପୋଲିସ ଧରିପାରି ନଥିବା ବେଳେ ଯଶିପୁର ଥାନା ପୋଲିସ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନାନୁସାରେ ଗତ ଦୁଇଦିନ ଭିତରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଅଫିମ ଗଛକୁ ନଷ୍ଟ କଲାଣି ପୋଲିସ୍। ଅବକାରୀ ବିଭାଗ ଓ ବନବିଭାଗ ମିଳିତ ଭାବେ ଚଢ଼ାଉ କରି ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅଫିମ ଚାଷ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଗତ ୨୮ ତାରିଖରେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବୁରୁସାହିରେ ୧ ଏକର ଜମିରେ ଚାଷ ହୋଇଥିବା ୨୧ ହଜାର ଗଛକୁ ନଷ୍ଟ କରାଯାଇଥିବା ବେଳେ ବେଳେ ଗତକାଲି ଶିମିଳିପାଳ ଅଭୟାରଣ୍ୟର ଅସନବଣିରେ ୨୫ ହଜାର ଗଛ ଏବଂ ବନ୍ଦିରାପୋଷିରେ ୪୮ହଜାର ଗଛ ନଷ୍ଟ କରାଯାଇଛି।
ଅନ୍ୟପଟେ ଏବେ ବି ଶିମିଳିପାଳର କୋର୍ ଏବଂ ବୋଫର୍ ଅଞ୍ଚଳର ବୁଢ଼ାବଳଙ୍ଗ, ବାଗଡେଗା, ବଳରାମପୁର, କୁକୁରଭୁକା ଅଞ୍ଚଳରେ ଏକର ଏକର ଜମିରେ କୋଟିକୋଟି ଟଙ୍କାର ଅଫିମ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।
ତେବେ ଏଠି ପ୍ରଶ୍ନ ଏତେ ମାତ୍ରାରେ ଅଫିମ ଚାଷ ହେଉଥିଲେ ବି ପୋଲିସ କିମ୍ବା ଅବକାରୀ ବିଭାଗ ଏହାର ଟେର୍ ପାଉନି କେମିତି ? ଏମିତିକି ବନବିଭାଗ ମଧ୍ୟ ନିରବି ଯାଇଥିବା ଦେଖିବାକୁ ମିଳିଛି। ପୂର୍ବବର୍ଷ ୩୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଫିମ ଚାଷ ନଷ୍ଟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଥିବା ଅଫିମ ଚାଷୀ କିମ୍ବା ମାଫିଆ ମାନଙ୍କୁ ଧରିବାରେ ସଫଳ ହୋଇନି ପୋଲିସ୍ କିମ୍ବା ଅବକାରୀ ବିଭାଗ।
ସେପଟେ ଗଜପତି ଜିଲ୍ଲା ମୋହନା ଥାନା ପୋଲିସ, ବନବିଭାଗ, ଅବକାରୀ ବିଭାଗର ମିଳିତ ଚଢାଉରେ ତିଆମା ଗାଁରେ ୧୮ ଏକର ଜମିରେ ମଧ୍ୟ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ।