Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୬୨ ବର୍ଷ ପରେ ଭାରତୀୟ ବାୟୁସେନାରୁ ଅବସର ନେବ ମିଗ୍-୨୧

Rashmita Mishra
Browse all articles by Rashmita Mishra
·11 months ago·2 min read
୬୨ ବର୍ଷ ପରେ ଭାରତୀୟ ବାୟୁସେନାରୁ ଅବସର ନେବ ମିଗ୍-୨୧

Key Points

୬୨ ବର୍ଷ ପରେ ଭାରତୀୟ ବାୟୁସେନାରୁ ଅବସର ନେବ ମିଗ୍-୨୧
୧୯ ସେପ୍ଟେମ୍ବରରେ ଚଣ୍ଡିଗଡ଼ରେ ୨୩ ସ୍କ୍ବାର୍ଡନ ପକ୍ଷରୁ ଦିଆଯିବ ବିଦାୟ
୧୯୬୩ ମସିହାରେ ବାୟୁସେନାରେ ସାମିଲ ହୋଇଥିଲା ଲଢୁଆ ଯୁଦ୍ଧ ବିମାନ
୬୦ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ଦୁର୍ଘଟଣାର ଶିକାର ହୋଇଛି ମିଗ-୨୧
୧୯୬୫, ୧୯୭୧, ୧୯୯୯ ଭାରତ-ପାକିସ୍ତାନ ଯୁଦ୍ଧରେ ହୋଇଥିଲା ବ୍ୟବହାର

ଖୁବଶୀଘ୍ର ମିଗ-୨୧ ଯୁଗର ଅନ୍ତ । ଭାରତୀୟ ବାୟୁସେନାରୁ ବିଦାୟ ନେବ ଲଢୁଆ ଯୁଦ୍ଧ ବିମାନ ମିଗ-21 । ଦୀର୍ଘ ୬୨ ବର୍ଷ ସେବା ଯୋଗାଇବା ପରେ ଆସନ୍ତା ୧୯ ସେପ୍ଟେମ୍ବର ୨୦୨୫ରେ ବାୟୁସେନାରୁ ସବୁଦିନ ପାଇଁ ସର୍ବପୁରାତନ ଯୁଦ୍ଧ ବିମାନ ମିଗ-୨୧କୁ ବିଦାୟ ଦିଆଯିବ । ଏଥିପାଇଁ ଚଣ୍ଡିଗଡ଼ ଏୟାରବେସରେ ୨୩ ସ୍କ୍ବାର୍ଡନ ଦ୍ୱାରା ଆନୁଷ୍ଠାନିକ ବିଦାୟ ଆୟୋଜନ ହେବାକୁ ଯାଉଛି । ୧୯୬୫, ୧୯୭୧, ୧୯୯୯ ଭାରତ-ପାକିସ୍ତାନ ଯୁଦ୍ଧରେ ବ୍ୟବହାର ହେବା ସହ ୨୦୧୯ରେ ବାଲାକୋଟ ଏବଂ ଚଳିତବର୍ଷ ଅପରେସନ୍ ସିନ୍ଦୂରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲା ମିଗ-୨୧ ବିମାନ।

୧୯୬୩ରେ ବାୟୁସେନାରେ ପ୍ରଥମ ସୁପରସୋନିକ ଜେଟ୍ ଭାବେ ସାମିଲ ହୋଇଥିଲା ମିଗ୍ -୨୧ ବିମାନ । ପୁରୁଣା ହେବା ସହ ବାରମ୍ବାର ଦୁର୍ଘଟଣା ଗ୍ରସ୍ତ ହେବା ପରେ ବିମାନକୁ ସେବାରୁ ହଟାଇବାକୁ ନିଆଯାଇଥିଲା ନିଷ୍ପତ୍ତି । ମିଗ୍-୨୧ର ଅବସର ପରେ ଭାରତୀୟ ବାୟୁସେନାର ଶକ୍ତି ୨୯ ସ୍ବାର୍ଡନ ମଧ୍ୟରେ ସୀମିତ ରହିବ। ଯାହା ୧୯୬୫ ଯୁଦ୍ଧ ବେଳଠାରୁ ବି କମ୍। ତତକାଳୀନ ସୋଭିଏତ ୟୁନିଅନଠାରୁ ମିଗ୍ -୨୧ କିଣିଥିଲା ଭାରତ। ୮୭୪ଟି ମିଗ୍ ବିମାନକୁ ପର୍ଯ୍ୟାୟ କ୍ରମେ ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଥିଲା। ସେଥିରୁ ପ୍ରାୟ ୬୦୦ ବିମାନର ଉତ୍ପାଦନ ଭାରତରେ ହିଁ କରାଯାଇଥିଲା। ଏହାର ଶେଷ ଭର୍ସନ ମିଗ୍ -୨୧ ୱାଇସନ୍ ୨୦୦୦ ମସିହାରେ ଅପଗ୍ରେଡ୍ କରାଯାଇଥିଲା।

ଗତ ୬୦ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ମିଗ -୨୧ କ୍ରାସ୍ ହୋଇଥିବାବେଳେ ପ୍ରାୟ ୨୦୦ ପାଇଲଟଙ୍କର ଜୀବନ ଯାଇଛି। ୨୦୧୦ ପରେ ୨୦ରୁ ଅଧିକ ବିମାନ କ୍ରାସ ହୋଇଥିଲା । ମିଗ୍ -୨୧କୁ LCA ତେଜସ୍ MK1A ରିପ୍ଲେସ କରିବାର ଯୋଜନା ଥିଲା। କାରଣ ତେଜସ ହେଉଛି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଂପୂର୍ଣ୍ଣ ଭାରତୀୟ ଯୁଦ୍ଧ ବିମାନ। ଯାହାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଏବଂ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସୀ ମିଳିତ ଭାବେ ନିର୍ମାଣ କରିଛନ୍ତି।

କିନ୍ତୁ ତେଜସ୍ ର ଉତ୍ପାଦନରେ ବିଳମ୍ବ ଯୋଗୁଁ ଅଧିକ ସମୟ ଯାଏଁ ମିଗ୍ -୨୧ କୁ ସେବାରେ ରଖାଯାଇଥିଲା। ତେଜସର ଡେଲିଭରିରେ ବିଳମ୍ବ ଭାରତୀୟ ବାୟୁସେନା ପାଇଁ ଚିନ୍ତା ବଢ଼ାଇଛି। ବର୍ତ୍ତମାନ ସୁଦ୍ଧା ୨ଟି ତେଜସ୍ MK1A ଥିବା ବେଳେ ୨୦୨୬ରୁ ପ୍ରତି ମାସରେ ୨ଟି ଲେଖାଏ ତେଜସ୍ MK1A ମିଳିବାର ସମ୍ଭାବନା ରହିଛି। ମଙ୍ଗଳବାର ଆମେରିକୀୟ କମ୍ପାନୀ ବୋଇଂ ଦ୍ବାରା ନିର୍ମିତ ୩ଟି ଆପାଚେ ଫାଇଟର ଜେଟ ଭାରତୀୟ ବାୟୁସେନାରେ ସାମିଲ ହୋଇଛି । ବାୟୁସେନା ପାଖରେ ପୂର୍ବରୁ ୨୨ଟି ଆପାଚେ ଥିବାବେଳେ ଏହି ସଂଖ୍ୟା ୨୫ରେ ପହଞ୍ଚିଛି । ବର୍ଷ ଶେଷ ସୁଦ୍ଧା ଆଉ ଭାରତୀୟ ସେନାରେ ଆଉ ୩ଟି ଶକ୍ତିଶାଳୀ ଆପାଚେ ଯୁଦ୍ଧ ବିମାନ ମିଳିବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mig-21-to-retire-from-indian-air-force-after-62-years | Argus News