Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଉପାନ୍ତରେ ପିଜୁଳି ଚାଷ କରି ଲକ୍ଷପତି

Odisha

ଉପାନ୍ତରେ ପିଜୁଳି ଚାଷ କରି ଲକ୍ଷପତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଉପାନ୍ତରେ ପିଜୁଳି ଚାଷ କରି ଲକ୍ଷପତି

ଅର୍ଗସ ବ୍ୟୁରୋ:  ନୂଆ ପଦ୍ଧତିରେ ଭଲ ପ୍ରଜାତିର ହୋଇଛି ପିଜୁଳି ଚାଷ । ଆବଶ୍ୟକୀୟ ଦେଖାରଖା ଓ ଯତ୍ନ କରାଯାଉଥିବାରୁ ଗଛ ଗୁଡିକ ବେଶ ଭଲ ବଢିଛି  । ରୋପଣର ଦୁଇବର୍ଷ ମଧ୍ୟରେ ଦୁଇଥର ଅମଳ କରାଯିବା ସହିତ  ଲାଗିଥିବା ୧୬୦୦ ଗଛରୁ ଦୈନିକ ୩ରୁ ୪ କ୍ୟୁଣ୍ଟାଲ ପିଜୁଳି ଅମଳ କରୁଛନ୍ତି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ପାରିମୁଣ୍ଡା ନିଁକ୍ତିମାଲ ଗାଁର ପରିବା ଚାଷୀ ସୌଭାଗ୍ୟ ନାୟକ । ସୌଭାଗ୍ୟ ପୂର୍ବରୁ ଧାନ ଓ ପରିବା ଚାଷ କରୁଥିଲେ । ଉଦ୍ୟାନ କୃଷିରେ ଅଧିକ ଲାଭ ଶୁଣିବା ପରେ ପରିବା ଚାଷରୁ ପିଜୁଳି ଚାଷ ଆଡକୁ ଢ଼ଳିଛନ୍ତି । ନିଜର ୩ ଏକର ଜମିରେ ଲଗାଇଛନ୍ତି ଥାଇ ସେଭେନ ଓ ରେଡ ଡାଇମଣ୍ଡ ପ୍ରଜାତିର ପିଜୁଳି । ସୌଭାଗ୍ୟ କୁହନ୍ତି ଏକ ଏକର ଜମିରେ ଧାନ ଚାଷ କଲେ ଅତି ବେଶୀରେ ଲକ୍ଷେ ଟଙ୍କା ଆୟ ହୁଏ । କିନ୍ତୁ ସେତିକି ଜମିରେ ପିଜୁଳି ଚାଷ ଦେଇଥାଏ ୧୫ ଲକ୍ଷ ଟଙ୍କାର ରୋଜଗାର । ଏହି ଦୁଇ ପ୍ରଜାତିର ପିଜୁଳି ବର୍ଷକୁ ତିନିଥର ଅମଳ ଦେଉଛି । ଗୋଟିଏ ଗଛରୁ ଅନ୍ୟୁନ ୩୦ କେଜି ଅମଳ ହେଲେ ଅତି କମରେ ଗଛ ପ୍ରତି ୬ ହଜାର ଟଙ୍କାର ଆୟ ମିଳିବ ବୋଲି କହିଛନ୍ତି ସୌଭାଗ୍ୟ । ଅନ୍ୟ ପାରମ୍ପରିକ ଚାଷ ଅପେକ୍ଷା ପିଜୁଳି ଚାଷ ଅଧିକ ଲାଭଦାୟକ ବୋଲି କହନ୍ତି  ସୌଭାଗ୍ୟଙ୍କ ପତ୍ନୀ କୃଷ୍ନା ନାୟକ ।

ସୌଭାଗ୍ୟଙ୍କ ପିଜୁଳି କ୍ଷେତରେ ଅନୁସୃତ ହୋଇଛି ନୂଆ ପଦ୍ଧତି । ହାଇ ଡେନସିଟି ପ୍ଲାଣ୍ଟିଙ୍ଗ ସହିତ ଫଳ ଗୁଡିକରେ କ୍ୟାପିଙ୍ଗ ଓ କଭରିଙ୍ଗ ପ୍ରତି ଦିଆଯାଉଛି ଧ୍ୟାନ । ଫଳରେ ଅଧିକ ଉତ୍ପାଦନ ହେବା ସାଙ୍ଗକୁ ଫଳ ଗୁଡିକର ରଙ୍ଗ ରହୁଛି ଅକ୍ଷୁର୍ଣ୍ଣ । ଆକାର ,ରଙ୍ଗ ,ସ୍ୱାଦ ଓ ବାସ୍ନା ଅଦ୍ୱିତୀୟ ହେଉଥିବାରୁ ଏଠାରୁ ଉତ୍ପାଦିତ ପିଜୁଳୀର ଚାହିଦା ଥିବା କହିଛନ୍ତି ଉଦ୍ୟାନ କୃଷିରେ ସ୍ନାତକ କରିଥିବା ସୌଭାଗ୍ୟଙ୍କ ପୁଅ ସୌମ୍ୟ ରଞ୍ଜନ ନାୟକ । କମ ଜାଗାରେ ଅଧିକ ଗଛ ଲଗାଯାଇଥିବାରୁ ଉତ୍ପାଦନ ଭଲ ରହିଛି ବୋଲି କହିଛନ୍ତି ସୌମ୍ୟ । ରେଡ ଡାଇମଣ୍ଡ ପ୍ରଜାତିର ପିଜୁଳି ମଞ୍ଜି ବିହୀନ ଓ ରସାଳ ହୋଇଥିବାରୁ କେଜି ପ୍ରତି ୧୨୦ ଟଙ୍କା ଦାମରେ ବିକ୍ରି ହେଉଛି ।

ଅମୃତଭଣ୍ଡା ,କଦଳୀ ଓ ପିଜୁଳି ଚାଷ ପାଇଁ ସରକାରୀ ସବସିଡି ସୁବିଧା ଚାଷୀ ମାନେ ନେବାକୁ ପରାମର୍ଶ ଦେଇଛନ୍ତି କୁଚିଣ୍ଡା ସରକାରୀ ଉଦ୍ୟାନ କୃଷି ନିର୍ଦେଶକ ସତ୍ୟଭାମା ଧାନ । ସୌଭାଗ୍ୟଙ୍କ ଜୀବନରେ ସୌଭାଗ୍ୟ ଆଣିଛି ପିଜୁଳି ଚାଷ । ତିନି ଏକର ଜମିରେ ପିଜୁଳି ଚାଷ କରି ତିନିଜଣଙ୍କୁ ନିଯୁକ୍ତି ଦେବା ସହିତ କରୁଛନ୍ତି ବାର୍ଷିକ ଲକ୍ଷାଧିକ ଟଙ୍କାର ରୋଜଗାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Millionaire by cultivating guava in the durgama | Argus News