ପ୍ରଶ୍ନ ପଚାରି ଫଶିଗଲେ ଅରୁଣ !

Key Points
- ପ୍ରଶ୍ନ ପଚାରି ଫଶିଗଲେ ଅରୁଣ
- ପୂର୍ବ ସରକାରର ଗୁମର ଖୋଲିଦେଲେ ସୁରେଶ
ଅର୍ଗସ ବ୍ୟୁରୋ: ବିଧାନସଭାରେ ସ୍ପଷ୍ଟ ଉତ୍ତର ଦେଲେ ରାଜସ୍ଵମନ୍ତ୍ରୀ ସୁରେଶ ପୂଜାରୀ । ସିଏ ପୁଣି ବିରୋଧୀ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର । କାରଣ ପୂର୍ବ ସରକାର କାହିଁକି ଏତେ ପଦବୀ ଖାଲି ରଖିଥିଲା ? ତାହାର କାରଣ ଖୋଜୁଛି, ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି ସୁରେଶ କହିଥିଲେ । କଥା ହେଲା ସରକାରକୁ ଘେରିବାକୁ ବିରୋଧୀ ପ୍ଲାନ କରିଥିଲା, ହେଲେ ସେହି ପ୍ରଶ୍ନ ପଚାରି ଅରୁଣ ନିଜେ ହଟ୍ଟହଟ୍ଟା ହେବେ ବୋଲି କେବେ ଭାବିନଥିଲେ । ଗୃହରେ ସ୍ଥିତି ଏମିତି ହୋଇଥିଲା ଯେ କିଛି ସମୟ ହାସ୍ୟ ଚାଲିଥିଲା ।
ବିଧାନସଭାରେ ପ୍ରଶ୍ନ ପଚାରି ଫଶିଗଲେ ବରିଷ୍ଠ ବିଧାୟକ ଅରୁଣ ସାହୁ । ପୂର୍ବ ସରକାରକୁ କଟାକ୍ଷ କରି ଦୋଷ ଲଦିଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ ଆରଆଇ ଏବଂ ଅମିନଙ୍କ ପଦବୀ ଖାଲି ପଡିବା ଏବଂ ନିଯୁକ୍ତି ନେଇ ପ୍ରଶ୍ନ କରିଥିଲେ ଅରୁଣ । ହେଲେ ତାଙ୍କ ପ୍ରଶ୍ନକୁ କଟାକ୍ଷ କରି ଉତ୍ତର ଦେଇଥିଲେ ରାଜସ୍ଵ ମନ୍ତ୍ରୀ । କହିଲେ ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି, ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରଧିକାରୀ ସୂତ୍ରରେ ମିଳିଛି । ପଦବୀ ପୂରଣ ପାଇଁ OSSS କୁ ବିଜ୍ଞାପନ ଦେଇ ପରୀକ୍ଷା କରି ନିଯୁକ୍ତି କରିବାକୁ କୁହାଯାଇଛି ବୋଲି ମନ୍ତ୍ରୀ କହିଥିଲେ ।
ଆଜି ବିଧାନସଭାର ପ୍ରଶ୍ନକାଳରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ବିଭିନ୍ନ ବିଭାଗର ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଖାସ୍ କରି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ଉତ୍ତର ରଖିଛନ୍ତି କହିଛନ୍ତି ଯେ ରାଜ୍ୟରେ ୩୧୭ ଟି ତହସିଲ ଅଫିସ ଅଛି । ସମୁଦାୟ ୫ ତହସିଲଦାର ଓ ୨୧୭ ଅତିରିକ୍ତ ତହସିଲଦାର ପଦ ଏବେ ବି ଖାଲି ପଡିଛି । ରାଜ୍ୟରେ ୪୪୬ ମଞ୍ଜୁରୀପ୍ରାପ୍ତ ଅତିରିକ୍ତ ତହସିଲଦାର ପଦବୀ ଅଛି । ସେହିପରି ୭୮୯ ଆରଆଇ, ୧୩୮୫ ଏଆରଆଇ ଓ ୧୧୬୯ ଅମୀନ ପଦ ଖାଲି ପଡିଛି । ଏହି ସବୁ ପଦବୀ ପୂରଣ କରିବାକୁ ଓଏସଏସଏସସିକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ପଦବୀ ଚୟନ ଓ ପଦୋନ୍ନତି ଜରିଆରେ ପୂରଣ କରାଯିବ । ମୋଟ୍ ଉପରେ, ରାଜ୍ୟରେ ଅନେକ ଦିନ ହେଲାଣି ସରକାରୀ ଅଫିସରେ ଖାଲି ପଡିଛି ଅନେକ ପଦବୀ । ଯାହାଦ୍ଵାରା ସାଧାରଣ ଲୋକଙ୍କର ଅନେକ ସମସ୍ୟା ରହୁଛି । ତେଣୁ ତୁରନ୍ତ ପଦବୀ ପୂରଣ କରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସ୍ପଷ୍ଟ ହୋଇଛି ।