Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆରମ୍ଭ ହେଲା ତଦନ୍ତ : ଡଙ୍କାରୀ ଦୁର୍ନୀତିର ଖୋଲିବ ପୋଲ

Odisha

ଆରମ୍ଭ ହେଲା ତଦନ୍ତ : ଡଙ୍କାରୀ ଦୁର୍ନୀତିର ଖୋଲିବ ପୋଲ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ଆରମ୍ଭ ହେଲା ତଦନ୍ତ : ଡଙ୍କାରୀ ଦୁର୍ନୀତିର ଖୋଲିବ ପୋଲ

Key Points

  • ଡଙ୍କାରୀ ଦୁର୍ନୀତିର ଖୋଲିବ ପୋଲ୍‌
  • ଆରମ୍ଭ ହେଲା ଖଣି ଦୁର୍ନୀତିର ତଦନ୍ତ
  • ୧୦ହଜାର କୋଟିର କେଳେଙ୍କାରୀର ଦୋଷୀ କିଏ ?

ଅର୍ଗସ ବ୍ୟୁରୋ : ଯାଜପୁରରେ ସୀମା ପାର କରିଛି ଖଣି ଦୁର୍ନୀତି । ଲକ୍ଷେ କି କୋଟିଏ ନୁହେଁ ବରଂ ୧୦ ହଜାର କୋଟିର ଖଣି ଦୁର୍ନୀତି ହୋଇଛି । ୨୦ ବର୍ଷ ହେଲାଣି କଳାପଥର କେଳଙ୍କାରୀରେ ବୁଡିଛି ଧର୍ମଶାଳା । ଆଖିବୁଜା ଲୁଟ୍‌ ହୋଇଛି କଳାପଥର । ତହସିଲ, ଲିଜ୍‌ଧାରୀ ଓ ସ୍ଥାନୀୟ ରାଜନେତା ଆଢୁଆଳରେ ୧୦ ହଜାର କୋଟି ଟଙ୍କାର ଲଘୁଖଣିଜ ଲୁଟ୍‌ ହୋଇଛି । ଦିନେ ବାଘ ରହୁଥିବା ଏଇ ବାଘୁଆ ପାହାଡ଼ ଏବେ ସତ୍ତା ହରାଇଛି । ବିଶାଳ ପାହାଡ଼ ଏବେ ପଥର ମୁଣ୍ଡିଆରେ ପରିଣତ ହୋଇଛି । ଲୁଣିବର, ରାହାଡ଼ପୁର ଭଳି ଅନେକ ପାହାଡ଼ ମାଟିରେ ମିଶିଛି । ଖାସ୍‌ କରି ଏବେର ବିଧାୟକଙ୍କ ଅଭିଯୋଗ ପରେ ଏବେ ଆକ୍ସନ ମୋଡ୍‌ରେ ଖଣି ବିଭାଗ। ହେଲେ ରାଜସ୍ଵ ଆଉ ସରକାର ଫେରିପାରିବେ କି ନାହିଁ ସେନେଇ ଦେଖାଦେଇଛି ସନ୍ଦେହ । 

ବିଧାୟକଙ୍କ ଅଭିଯୋଗ, ଖଣି ଖାଦାନ ଉପରେ ମାରାଥନ୍‌ ରେଡ୍‌ । ଧର୍ମଶାଳାର ଡଙ୍କାରୀ, ଚଢେଇଧରା, ଲୁଣିବର ଖଣି ଅଞ୍ଚଳରେ ଚଢାଉ କରିଛି ଖଣି ବିଭାଗର ଏକ ସ୍ୱତନ୍ତ୍ର ଟିମ୍ । ବିଧାୟକଙ୍କ ଅଭିଯୋଗ ଅନୁସାରେ- ସଂପୃକ୍ତ ଅଞ୍ଚଳରେ କେତୋଟି ବେଆଇନ ଖଣି ଚାଲିଛି, ଲିଜ୍‌ପ୍ରାପ୍ତ ଖଣି ଗୁଡ଼ିକ ନିୟମ ପାଳନ କରିଛନ୍ତି କି ନାହିଁ, କେଉଁମାନେ ଏକ୍ସେସ ମାଇନିଂ କରିଛନ୍ତି, ପରିବେଶ ମଞ୍ଜୁରୀ ଅଛି କି ନାହିଁ ? ଏସବୁର ଯାଞ୍ଚ କରିଛନ୍ତି ଖଣି ବିଭାଗର ଅଧିକାରୀମାନେ ।

ଜୁନ୍ ୨୮ ତାରିଖରେ ଖଣି ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଧର୍ମଶାଳା ଅଞ୍ଚଳରେ ଏକାଧିକ ବେଆଇନ ଖଣି ଚାଲିଥିବା କଥା ଉଲ୍ଲେଖ କରିଥିଲେ ବିଧାୟକ । ତାଙ୍କ ଅଭିଯୋଗ ପରେ ଖଣି ନିର୍ଦ୍ଦେଶକ ଏକ କମିଟି ଗଠନ କରିଥିଲେ । ଏହି ଟିମ୍ ଗତକାଲି ବିଭିନ୍ନ ଖଣି ଖାଦାନରେ ଚଢାଉ କରି ପ୍ରାଥମିକ ରିପୋର୍ଟ ଦେବ । ପରବର୍ତ୍ତୀ ସମୟରେ ସଂପୂର୍ଣ୍ଣ ତଦନ୍ତ ହେବ ବୋଲି କହିଛନ୍ତି ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଧର୍ମଶାଳାରେ ୯୩ଟି କଳାପଥର ଖାଦାନ ରହିଛି । ସେଥିରୁ ଏବେ ୨୩ଟି ଖାଦାନ ଆଇନ ଅନୁଯାୟୀ ଚାଲିଥିବା ବେଳେ ଅନ୍ୟଗୁଡ଼ିକ ଲୁଚାଛପାରେ ଚାଲିଛି । ଖଣିବିଭାଗକୁ ଲଘୁଖଣିଜ ସମ୍ପଦ ସୈରାତ ଅଧିକାର ମିଳିବା ପରେ ନିଲାମ ପ୍ରକ୍ରିୟା ଓ ଉତ୍ତୋଳନକୁ ଏବେ ବ୍ୟବସ୍ଥିତ କରାଯାଉଛି । ବେଆଇନ ଖନନ ପାଇଁ ଲିଜ୍‌ଧାରୀଙ୍କ ଉପରେ ପୂର୍ବରୁ ୨୯୮ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଥିଲା । ମାତ୍ର ଲିଜ୍‌ଧାରୀମାନେ ଏହାକୁ ଫାଙ୍କିବା ସହିତ ସମୟ ଗଡ଼ାଇ ଚାଲିଛନ୍ତି । ଜରିମାନାରୁ ବଞ୍ଚିବା ପାଇଁ ଅନେକ ଅଦାଲତକୁ ଢାଲ କରିଛନ୍ତି । ଧର୍ମଶାଳା ତହସିଲରେ ୧୦ରୁ ଅଧିକ ପାହାଡ଼ ନିଶ୍ଚିହ୍ନ ହୋଇଯାଇଛି । ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ବାଘୁଆ ପାହାଡ଼ର ଆଉ ଚିହ୍ନବର୍ଣ୍ଣ ନାହିଁ । ମାଫିଆଙ୍କ ମାତ୍ରାଧିକ କଳାପଥର ଉତ୍ତୋଳନ ଯୋଗୁଁ ଏହି ପାହାଡ଼ଟି ଧର୍ମଶାଳା ତହସିଲ ମାନଚିତ୍ରରୁ ଲୋପପାଇଛି । 

ବଡ଼ କଥା ହେଲା, ଧର୍ମଶାଳା ଅଞ୍ଚଳରେ ବେଆଇନ ଖଣି ନୂଆ କଥା ନୁହେଁ । ପୂର୍ବରୁ ବି ତଦନ୍ତ ହୋଇଛି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । କାହିଁକି ନା ନିଜେ ଖଣି ମାଫିଆଙ୍କୁ ସୁରକ୍ଷା ଦେବାକୁ ଯାଇ ନ୍ୟାୟାଳୟକୁ ଯାଇଛନ୍ତି ପୂର୍ବ ସରକାର । ୨୦୧୬ ମସିହାରେ ଡଙ୍କାରୀ ଖଣି ଦୁର୍ନୀତି ଅଭିଯୋଗରେ ଖଣି ମାଲିକ ଶ୍ରୀବତ୍ସ ଜେନାଙ୍କ ଉପରେ ୫୮ କୋଟି ଟଙ୍କାର ଫାଇନ ଲଗାଇଥିଲେ ଜିଲ୍ଲାପାଳ । ହେଲେ ପରବର୍ତ୍ତୀ ସମୟରେ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ । କିନ୍ତୁ ସ୍ଥାନୀୟ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଏନଜିଟିର ଦ୍ୱାରସ୍ଥ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏନ୍‌ଜିଟି ।

୨୦୧୮ ଅକ୍ଟୋବର ୧୫ରେ ଡଙ୍କାରୀରେ ତଦନ୍ତ ଆରମ୍ଭ କରିଥିଲା କମିଟି । ଆଉ ତଦନ୍ତ ପରେ ରାଜ୍ୟ ସରକାରଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ ଏନଜିଟି । କିନ୍ତୁ ସୁପ୍ରିମକୋର୍ଟ ଯାଇ ଏହା ଉପରେ ରହିତା ଦେଶ ଆଣିଥିଲେ ତତ୍କାଳୀନ ସରକାର । ଗତ ଜୁଲାଇ ମାସରେ ରହିତାଦେଶ ଉଠିବା ପରେ ଏନଜିଟିରେ ମାମଲା ଚାଲିଛି । ହେଲେ ବଡ କଥା ହେଲା ଡଙ୍କାରୀ ଖଣି ମାଲିକଙ୍କ ଉପରେ ଜିଲ୍ଲାପାଳ ଲଗାଇଥିବା ଜରିମାନା କାହିଁକି ଆଦାୟ କଲେନି ସରକାର ? ଖାଲି ଏତିକି ନୁହେଁ ବରଂ ସମସ୍ତଙ୍କ ମିଲିଭଗତରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଏବେ ସ୍ପଷ୍ଟ ହୋଇଛି । ତେବେ ସମୟ କହିବ କେବେ ଖଣି ଚୋରଙ୍କ ଉପରେ ଆକ୍ସନ ନେଉଛନ୍ତି ରାଜ୍ୟ ସରକାର । 
 

Sponsored
Black Stone Mines | Argus News