ରାତି ଅନିଦ୍ରା ମଦ ମାଫିଆ : କେତେବେଳେ ବୁଲଡୋଜର ଚଢିବ..

Key Points
- ମଦ ମାଫିଆଙ୍କୁ ତ୍ରାହି ନାହିଁ
- ବେଆଇନ ମଦ କାରବାର ବନ୍ଦ କରିବାକୁ ଆକ୍ସନ ମୋଡ୍ରେ ସରକାର
- ଚାଲୁଛି ବୁଲଡୋଜର, ଭାଙ୍ଗୁଛି ମାଫିଆଙ୍କ ଅଣ୍ଟା
ଅର୍ଗସ ବ୍ୟୁରୋ: ମାଫିଆଙ୍କୁ ସାବାଡ୍ କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଆଉ ଯେଉଁମାନେ ବେଆଇନ ମଦ କାରବାର କରୁଥିଲେ ସେମାନେ ଏବେ ଚିନ୍ତାରେ । କାରଣ କେତେବେଳେ ଯେ ମାଫିଆଙ୍କ ଉପରେ ମୋହନଙ୍କ ବୁଲଡୋଜର ବୁଲିବ ତାହା କାହାକୁ ଜଣାନାହିଁ । ଖାସ କରି ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଗୋଟିଏ ଲକ୍ଷ୍ୟ ମୂଳରୁ ସଫା ହେବ ବେଆଇନ ମଦ କାରବାର ।
ନୂଆ ସରକାର ଆସିବା ପରେ ରାଜ୍ୟରେ ଲାଗୁହେଲା ନୂଆ ଅବକାରୀ ନୀତି । ନିୟମ ଅନୁସାରେ, ଏଣିକି ଆଉ ଖୋଲିବନି ନୂଆ ମଦ ଦୋକାନ । ସେପଟେ ଆଇନ ବିରୋଧରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା ଆକ୍ସନ ନେଉଛନ୍ତି ମୋହନ ସରକାର । ସୂଚନା ଅନୁସାରେ, ଗତ ୨୦ ଦିନ ହେବ ସାରା ରାଜ୍ୟରେ ବେଆଇନ ମଦ ଭାଟି ଉପରେ ଲଗାତାର ଭାବେ ଚଢାଉ ଜାରି ରଖିଛନ୍ତି ମୋହନ ସରକାର । ଅଗଷ୍ଟ ୨୦ରୁ ଆରମ୍ଭ ହୋଇଥିବା ଏହି ରେଡ୍ରେ ଅବକାରୀ ବିଭାଗ ଭାଙ୍ଗିଲାଣି ୧୮୫୮ଟି ବେଆଇନ ମଦ ଭାଟି । ଆଉ ମଦ ମାଫିଆଙ୍କୁ ସାବାଡ କରିବା ପାଇଁ ୪ ହଜାର ୬୩୦ଟି ମାମଲା ରୁଜୁ ହୋଇଥିବା ବେଳେ ବନ୍ଧା ହେଲେଣି ୨୫୪୩ ଜଣ ମଦ ମାଫିଆ । ୨ ଲକ୍ଷ ୩୨ ହଜାର ୫୬ ଲିଟର ବେଆଇନ ମଦ ଏବଂ ୨୧ ଲକ୍ଷ ୮୮ ହଜାର ୧୪୬ କେଜି ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଏହାସହ ରେଡ ବେଳେ ୨୩୦ଟି ଗାଡି ମଧ୍ୟ ଜବତ ହୋଇଛି ।
ପୂର୍ବ ବିଜେଡି ସରକାର ସମୟରେ ଓଡିଶାରେ ବେଆଇନ ମଦ ବ୍ୟବସାୟକୁ ଦିଆଯାଉଥିଲା ପ୍ରୋତ୍ସାହନ । ଗାଁ ଗାଁରେ ଗଢି ଉଠିଥିଲା ବେଆଇନ ମଦ ଭାଟି । ନିର୍ବାଚନ ସମୟରେ ମଦ ବାଣ୍ଟି ଭୋଟ ବ୍ୟାଙ୍କ ଯୋଗାଡ଼ କରୁଥିଲା ବିଜେଡି । କୁହାଯାଉଥିଲା କି, ମଦ ଥିଲା ବିଜେଡି ହାତ ପାଣ୍ଠିର ଅନ୍ୟତମ ପ୍ରମୁଖ ଉତ୍ସ । ସେଇଥି ଲାଗି ତ ମଦ ମାଫିଆଙ୍କ ଦେହରେ ହାତ ଦେଇ ରିସ୍କ ନେବାକୁ ଚାହୁଁନଥିଲେ ନବୀନ ସରକାର । କିନ୍ତୁ ଏବେ ଆଉ ବେଆଇନ ମଦ କାରବାରକୁ ବରଦାସ୍ତ କରିବା ମୁଡରେ ନାହାନ୍ତି ମୋହନ ସରକାର ।
📱 Get Argus News App
✨ସୂଚନା ଅନୁସାରେ, ବିଜେଡି ସରକାର ଅମଳରେ ମହିଳାମାନେ ଭାଙ୍ଗୁଥିଲେ ମଦ ଭାଟି । ଏବେ ସରକାରଙ୍କ ହାତରେ ଲାଠି ରହିଛି । ସେପଟେ, ରାଉରକେଲାରେ ସର୍ବାଧିକ ୨୦୫ ଟି ଚଢାଉ ସହ ଗିରଫ ହୋଇଛନ୍ତି ୧୨୮ ଜଣ । ବାଲେଶ୍ଵରରେ ୩୮ ଟି ଭାଟି ଉପରେ ଚଢାଉ ହେବା ସହ ଗିରଫ ହୋଇଛନ୍ତି ୧୭୦ ଜଣ । ବରଗଡ, କେନ୍ଦୁଝର, ରାଉରକେଲା , ରାୟଗଡା, ସୁନ୍ଦରଗଡରେ ୧୦୦ରୁ ଅଧିକ ମଦ ଭାଟି ଭାଙ୍ଗିଛି ଅବକାରୀ ବିଭାଗ ଏହାସହ ଅନୁଗୁଳ, ଭଦ୍ରକ, ଗଞ୍ଜାମ, କେନ୍ଦୁଝର ମୟୂରଭଞ୍ଜ, ରାଉରକେଲ ସମ୍ବଲପୁର ଓ ବାଲେଶ୍ଵରରେ ୧୦୦ରୁ ଅଧିକ ମଦ ମାଫିଆ ଗିରଫ ହୋଇଛନ୍ତି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ରାଜ୍ୟରେ ଭୟଙ୍କର ଭାବରେ ବଢିଥିଲା ଚୋରା ମଦ କାରବାର । ଯାହାକୁ ନେଇ ପୂର୍ବ ସରକାର ଅନେକ ଅପବାଦ ମୁଣ୍ଡାଇଥିଲା । ହେଲେ ଏବେ ଯେଉଁପରି ଭାବରେ ନୂଆ ସରକାର ଚୋରା ମଦ କାରବାର ଉପରେ ରୋକ ଲଗାଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।