Odisha Politics / ବଡ଼ ସଂକେତ ଦେଲେ ମନ୍ତ୍ରୀ, ତାମିଲ ଠିକାଦାରଙ୍କ ବିରୋଧରେ ହେବ ତଦନ୍ତ !

Key Points
ମେଗା ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତିର ହୋଇପାରେ ତଦନ୍ତ । ବିଧାନସଭାରେ ଉତ୍ତର ବେଳେ ସଂକେତ ଦେଲେ ମନ୍ତ୍ରୀ । ୩୫ ହଜାର କୋଟର ପ୍ରକଳ୍ପ କାହିଁକି ନିର୍ଦ୍ଦିଷ୍ଟ ୧୭ ତାମିଲ ଠିକାଦାରଙ୍କୁ ଦିଆଗଲା, ଏନେଇ ହୋଇପାରେ ତଦନ୍ତ । ପୂର୍ବ ସରକାର ୩୫ ହଜାର କୋଟି ଟଙ୍କାରେ ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପ ଘୋଷଣା କରିଥିଲେ । ହେଲେ କାମ ଆରମ୍ଭ ନହେଉଣୁ କାହିଁକି ଠିକାଦାର ମାନଙ୍କୁ ଆଗୁଆ ପେମେଣ୍ଟ ଦିଆଗଲା ତାର ଭିଜିଲାନ୍ସ ତଦନ୍ତ ପାଇଁ ବିଧାନସଭାରେ ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ୍ ।
ଜବାବରେ ମନ୍ତ୍ରୀ କହିଲେ, ବର୍ତ୍ତମାନ ସୁଦ୍ଧା ନୂଆ ସରକାର ୨୫ଟି ମେଗା ପ୍ରକଳ୍ପ ଶେଷ କରିଥିବା ବେଳେ ୬୬ ପ୍ରକଳ୍ପ ୯୦ ପ୍ରତିଶତ ଶେଷ ହୋଇଛି । ହେଲେ ସବୁଠାରୁ ବଡ଼ କଥା, ବିଜେଡି ସରକାର ସମୟରେ ଠିକା ଦିଆଯାଇଥିବା ୧୭ ଠିକାଦାର ତାମିଲନାଡୁର ବୋଲି କହି ପୂର୍ବ ସରକାରକୁ କଟାକ୍ଷ କଲେ ମନ୍ତ୍ରୀ । ଓଡ଼ିଆ ଲୋକଙ୍କୁ ଠିକା ଦେଇଥିଲେ କାମ ଭଲ ହୋଇଥାନ୍ତା ବୋଲି କହିଲେ ମନ୍ତ୍ରୀ ରବି ନାଏକ । ଏହାସହ ମେଗା ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ଉପରେ ଆଗକୁ ତଦନ୍ତ ବୋଲି ସଂକେତ ଦେଲେ ମନ୍ତ୍ରୀ ।
ଅନ୍ୟପଟେ ପୂର୍ବ ସରକାରରେ ଯାଜପୁର ଜିଲ୍ଲାରେ ନିର୍ମାଣ ମେଗା ପାନୀୟ ଜଳ ପ୍ରକଳ୍ପର ପୋଲ ଖୋଲିଲେ ଖୋଦ ବିଜେଡି ବିଧାୟିକା ସୁଜାତା ସାହୁ । ପ୍ରଶ୍ନକାଳରେ ଯାଜପୁରରେ ମେଗା ପାନୀୟ ଜଳ ପ୍ରକଳ୍ପ ବିଳମ୍ବ ପ୍ରସଙ୍ଗ ଉଠାଇ ସୁଜାତା କହିଥିଲେ ୨୦୧୭ରୁ ନିର୍ମାଣ ଆରମ୍ଭ ହୋଇ ୨୦୨୨ ରେ ଶେଷ ହେବାର ଥିଲା । କିନ୍ତୁ ତାହା ହୋଇ ପାରିଲା ନାହିଁ । ମନ୍ତ୍ରୀ କେତେ ଜଣ ଠିକାଦାରଙ୍କ ଉପରେ ଆକ୍ସନ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟିକା । ସେପଟେ ମାର୍ଚ୍ଚ ୨୦୨୬ ସୁଦ୍ଧା ପାଣି ପହଞ୍ଚାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।
ସେହିଭଳି ପ୍ରଶ୍ନକାଳରେ ପୂର୍ବ ସରକାର କଟେଜ କେଳେଙ୍କାରୀର ଗୁମର ଖୋଲିଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ପୂର୍ବ ସରକାର ବିଭିନ୍ନ ସ୍ଥାନରେ ଅନେକ କଟେଜ କରିଥିଲେ । କିନ୍ତୁ ସେସବୁ କ୍ଷତିରେ ଚାଲୁଥିଲା । ୫୧ଟି ବନଖଣ୍ଡରେ ଇକୋ ଟୁରିଜିମ୍ ରହିଛି । ସେଥିରୁ ୧୦ଟି ଲାଭରେ ଚାଲୁଛି । ଆଉ ସମସ୍ତ କ୍ଷତିରେ ଚାଲୁ ଅଛି । ଗତବର୍ଷ ଏଥିପାଇଁ ୮୦ କୋଟି ଖର୍ଚ୍ଚ ହୋଇଥିବା ବେଳେ ଚଳିତ ଅତିରିକ୍ତ ବଜେଟରେ ମଧ୍ୟ ୮୦ କୋଟି ରଖାଯାଇଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଆଜି ପ୍ରଶ୍ନ କାଳରେ ସଦସ୍ୟମାନେ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ନୂଆ ଇକୋ ଟୁରିଜିମ୍ ଓ କଟେଜ କରିବା ପାଇଁ ଦାବି କରିଥିଲେ ।
📱 Get Argus News App
✨Related Topics
Explore more stories