Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ଲୋକମାନେ ଆତଙ୍କିତ ନହୋଇ ପ୍ରଶାସନିକ ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ'

Odisha

'ଲୋକମାନେ ଆତଙ୍କିତ ନହୋଇ ପ୍ରଶାସନିକ ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ'

Smruti Parija
Browse all articles by Smruti Parija
·1 year ago·2 min read
'ଲୋକମାନେ ଆତଙ୍କିତ ନହୋଇ ପ୍ରଶାସନିକ ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ'

ଭଦ୍ରକ:  ଧାମରାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ, ଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା, ଜିରୋ କାଜୁଆଲଟି ଆମର ଲକ୍ଷ୍ୟ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ । 

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା "ଦାନା" ର ମୁକାବିଲା ତଥା ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ପ୍ରଶାସନିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିମନ୍ତେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗତକାଲି ଭଦ୍ରକରେ ପହଞ୍ଚି ପ୍ରଶାସନିକ ବୈଠକ ମାଧ୍ୟମରେ ବାତ୍ୟା ମୁକାବିଲା ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିବା ସହ ଧାମରା ବନ୍ଦର ଗସ୍ତ କରିଥିଲେ ।

ଗତକାଲି ରାତିରେ ମନ୍ତ୍ରୀ ସୂରଜ ଧାମରାରେ ରହି ପୋର୍ଟ ଅଧିକାରୀମାନଙ୍କ ସହ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ହୋଇଥିବା ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ ।
ଆଜି ମନ୍ତ୍ରୀ ସୂରଜ ଧାମରା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଯଥା ଗୁଆସୋଳ,ଧୀର ସାହି,ନଛିପୂର, ବିଜୟପାଟନା, କରୁଣା ପଞ୍ଚାୟତ, କୁଆମରା ଠାରେ ହୋଇଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ଲୋକମାନଙ୍କ ପାଇଁ ହୋଇଥିବା ସୁରକ୍ଷିତ ରହଣି ବ୍ୟବସ୍ଥା, ଖାଦ୍ୟ, ପାନୀୟ ଜଳ, ଆଶୁ ଚିକିତ୍ସା, ପରିମଳ ଆଦି ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏଥିସହ ସେଠାରେ ରହୁଥିବା ଲୋକମାନଙ୍କ ସହ ମନ୍ତ୍ରୀ କଥା ହୋଇ ସମସ୍ତଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେବା ସହ ସେମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ନିଜରେ ଗସ୍ତ ସମ୍ବନ୍ଧରେ ମନ୍ତ୍ରୀ କହିଥିଲେ ଯେ, ସମ୍ଭାବ୍ୟ ବାତ୍ୟା "ଦାନା" ର ମୁକାବିଲା କରିବା ପାଇଁ ଆମ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଲୋକମାନଙ୍କ ସୁରକ୍ଷା ହେଉଛି ଆମର ପ୍ରାଥମିକତା ଏବଂ ଜିରୋ କାଜୁଆଲଟି ହେଉଛି ଆମର ଲକ୍ଷ୍ୟ। ଲୋକମାନେ ଆଦୌ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନିକ ନିର୍ଦ୍ଦେଶାବଳୀ ପାଳନ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧାମରା ଦେଇ ବାତ୍ୟା ଗତି କରିବା ସମ୍ଭାବନା ଥିବାରୁ ଏଠାରେ ରହୁଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କ ସୁରକ୍ଷିତ ରହଣି ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବା ସହ ଆବଶ୍ୟକ ଶୁଖିଲା ଖାଦ୍ୟ ମଧ୍ୟ ମହଜୁଦ କରି ରଖାଯାଇଛି। ଏଥିସହିତ ଏଠାରେ ରହୁଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଲୋକଙ୍କର ଆଶୁଚିକିତ୍ସା ପାଇଁ ଔଷଧ ଯୋଗାଇ ଦିଆଯାଇବା ସହ ଡାକ୍ତର ଏବଂ ଆଶାକର୍ମୀ ମାନଙ୍କର ଏକ ମୋବାଇଲ ଟିମ୍ କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନିରୀକ୍ଷଣ କରିବା ପାଇଁ ନିୟୋଜିତ କରାଯାଇଛି। ସମସ୍ତ ପ୍ରକାର ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ଲୋକମାନଙ୍କର ସୁରକ୍ଷା ହିଁ ଆମର ପ୍ରାଥମିକତା ବୋଲି ଓଡିଶା ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।


 

Sponsored
Minister Suryashunhi Suraj visited the cyclone shelter in Dhamra | Argus News