ବିଧାନସଭାର କାର୍ଯ୍ୟବିଧି ସମ୍ବଦ୍ଧରେ ପ୍ରଶିକ୍ଷଣ ନେବେ ବିଧାୟକ

Key Points
-ବିଧାନସଭାର କାର୍ଯ୍ୟବିଧି ସମ୍ବଦ୍ଧରେ ପ୍ରଶିକ୍ଷଣ ନେବେ ବିଧାୟକ
- ଦୁଇ ଦିନ ଧରି ନବ ନିର୍ବାଚିତ 84 ଜଣ ବିଧାୟକଙ୍କୁ ଦିଆଯିବ ଟ୍ରେନିଂ
- ଯୋଗ ଦେବେ ଜେ.ପି ନଡ୍ଡା. କିରଣ ରିଜ୍ଜୁଜ୍, ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବ୍ୟକ୍ତିତ୍ବ
- ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ ବିଧାୟକ ମାନଙ୍କ ଭିତରେ ଉତ୍ସାହ ଭରପୁର
ଅର୍ଗସ ବ୍ୟୁରୋ: ପାଠ ପଢିବେ ସପ୍ତଦଶ ବିଧାନସଭାର ନବ ନିର୍ବାଚିତ ବିଧାୟକ । ଆସନ୍ତା 17 ଓ 18 ତାରିଖରେ ଅର୍ଥାତ ଦୁଇ ଦିନ ନବ ନିର୍ବାଚିତ ବିଧାୟକ ମାନଙ୍କୁ ପ୍ରଶିକ୍ଷଣ ଦେବାକୁ ବିଧାନସଭା ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ବିଧାନସଭାର କାର୍ଯ୍ୟବିଦ୍ଧି ସମ୍ବଦ୍ଧରେ ପ୍ରଶିକ୍ଷଣ ଦେବାକୁ ଅନେକ ଅଭିଜ୍ଞ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଜେ.ପି ନଡ୍ଡା, କିରଣ ରିଜ୍ଜୁଜ୍, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଦେବେ ପ୍ରଶିକ୍ଷଣ ।
ସେହପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବରିଷ୍ଠ ସାଂସଦ ଭତୃହରି ମହତାବ, ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମେତ ଗୃହର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ନେତା ପ୍ରଫୁଲ ଘଡେଇ ଓ ନରସିଂହ ମିଶ୍ର ବି ଏହିି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ମାନଙ୍କୁ ପାଠ ପଢାଇବେ । ବିଶେଷ କରି ବିଧାନସଭାର କାର୍ଯ୍ୟବିଧି ଯେମିତି ପ୍ରଶ୍ନକାଳ, ଶୂନ୍ୟକାଳ, ମୂଲତବୀ ପ୍ରସ୍ତାବ, ପଏଣ୍ଟ ଅଫ ଅର୍ଡର, ସମ୍ବିସନ୍, ବିଭିନ୍ନ ବିଲ୍ ର ଆଲୋଚନାରେ ଭାଗ ନେବା, ବିଭିନ୍ନ ଷ୍ଟାଣ୍ଡିଂ କମିଟି ବିଷୟରେ ବୁଝିବା, ବୁକ୍ ସର୍କୁଲାର-47 କୁ ଜାଣିବା, ତାରକା ଓ ଅଣତାରକା ପ୍ରଶ୍ନ କରିବାର ଶୈଳୀ ସହ ସଂସଦୀୟ ପରମ୍ପରା ବାବଦରେ ବିଧାୟକ ମାନଙ୍କୁ ବୁଝାଯିବ । ଯାହାକୁ ନେଇ ନବ ନିର୍ବାଚିତ ବିଧାୟକ ମାନଙ୍କ ମଧ୍ୟରେ ଭରପୁର ଉତ୍ସାହ ଦେଖିବାକୁ ମିଳିଛି ।
ସପ୍ତଦଶ ବିଧାନସଭାକୁ 84 ଜଣ ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି । ଯାହା ମଧ୍ୟରେ ବିଜେପି ଅର୍ଥାତ ଶାସକ ଦଳର ସର୍ବାଧିକ 54 ଜଣ ନୂଆ ବିଧାୟକ ରହିଥିବା ବେଳେ ବିଜେଡିର 18, କଂଗ୍ରେସର 9 ଓ 3 ଜଣ ସ୍ବାଧୀନ ବିଧାୟକ ନିର୍ବାଚିତ ହୋଇଛନ୍ତି ।