ଶ୍ରୀମନ୍ଦିରରେ ମୋଦକ ଚୋରି ନାକଟ, କିଏ କହୁଛି ସତ ?

Key Points
୭୦ ମୋଦକ ଗାୟବ ହୋଇଥିବା ଅଭିଯୋଗ ।
ତଦନ୍ତ କଲେ, ସମସ୍ତ କଥା ଜଣାପଡ଼ିବ ।
ମନ୍ତ୍ରୀ କହିଲେ ଚୋରି ହୋଇନି ମୋଦକ ।
ଶ୍ରୀମନ୍ଦିରରେ ଚୋରି ହୋଇନାହିଁ ମୋଦକ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ବୟାନ୍ । କିଛି ଲୋକ ନିଜ ପତିଆରା ଦେଖାଇବା ପାଇଁ ମିଛ ପ୍ରଚାର କରିଛନ୍ତି । ଏଭଳି ବିଭ୍ରାନ୍ତ ଗ୍ରହଣୀୟ ନୁହେଁ । ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ କଥା ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।
ଅନ୍ୟପଟେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି ଶ୍ରୀମନ୍ଦିରରୁ ମୋଦକ ଚୋରି କଥା ସତ । ଘଟଣାରେ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ । ସିସିଟିଭି ଆଧାରରେ ତଦନ୍ତ କରିବାକୁ ସେ କହିଛନ୍ତି । ଗାରଦରେ ମୋଟ ୩୧୩ ମୋଦକ ଥିଲା । ହେଲେ ପରେ ୨୪୩ ରହିଥିଲା । ଅର୍ଥାତ ୭୦ ମୋଦକ ଗାୟବ ହୋଇଛି । ତେଣୁ ଘଟଣାର ତଦନ୍ତ କଲେ, ସମସ୍ତ କଥା ଜଣାପଡ଼ିବ ବୋଲି ସେ କହିଛନ୍ତି ।
ତେବେ ଶ୍ରୀମନ୍ଦିର ପରିସରରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଥିଲା । ଶ୍ରୀବିଗ୍ରହଙ୍କୁ ଲାଗି ଉଦ୍ଦେଶ୍ୟରେ ଆସିଥିବା ମୋଦକ ଚୋରି ହୋଇଥିବା କଥା ଉଠିଥିଲା । ମହାପ୍ରଭୁଙ୍କୁ ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଥିବା ଏବଂ କିଭଳି ମହାପ୍ରଭୁଙ୍କ ପାଖରେ ଲାଗି ହେଲା ସେନେଇ ପ୍ରଶ୍ନ କରିଥିଲେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଏନେଇ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ଚିଠି ଲେଖି ଅବଗତ କରାଇବା ସହ ମାରା ମୋଦକ କିଭଳି ମହାପ୍ରଭୁଙ୍କୁ ସମର୍ପିତ ହେଲା ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।
ସେ ଲେଖିଥିଲେ, ଅନବସର ଏକାଦଶୀ ଦିନ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ କବିରାଜ ସେବକ ଭକ୍ତମାନେ ସମୁଦାୟ ୩୧୩ ମୋଦକ ଗାରଦରେ ଜମା ଦେଇଥିଲେ। ସେଗୁଡିକ ହେଲା ରୁଦ୍ରନନ୍ଦନ ମିଶ୍ର ୯୯ ମୂର୍ତ୍ତି, ନନ୍ଦନନ୍ଦନ ମିଶ୍ର ୬୩ ମୂର୍ତ୍ତି, ବିନାୟକ ମିଶ୍ର ନାତି ସୁଧାଂଶୁ ମିଶ୍ର ୪୯ ମୂର୍ତ୍ତି, ଦୁର୍ଗାପ୍ରସାଦ ମିଶ୍ର ୨୭ ମୂର୍ତ୍ତି, ସର୍ବେଶ୍ୱର ମିଶ୍ର ୨୫ ମୂର୍ତ୍ତି, ସତ୍ୟବ୍ରତ ମିଶ୍ର ଓ ଦେବବ୍ରତ ମିଶ୍ର ୨୫ ମୂର୍ତ୍ତି ଓ କ୍ଷୀରୋଦ ଚନ୍ଦ୍ର ମିଶ୍ର ୨୫ ମୂର୍ତ୍ତି। ମହାପ୍ରଭୁଙ୍କ ଭୋଗ ପାଇଁ ମୋଦକ ମଣତି ସମୟରେ ୩୧୩ ମୂର୍ତ୍ତି ଅମୁଣିଆ ମୋଦକରୁ ୭୦ କମ୍ ଥିବା ଜଣାପଡ଼ିଥିଲା।
୭୦ ମୋଦକ ଚୋରି ହୋଇଥିବାରୁ ବାକି ମୋଦକ ମାରା ହୋଇଥିଲା। ମାରା ମୋଦକ କିପରି ମହାପ୍ରଭୁଙ୍କୁ ସମର୍ପିତ କରାଗଲା ସେନେଇ ଶ୍ରୀ ଦାସମହାପାତ୍ର ପ୍ରଶ୍ନ ଉଠାଇ ଲିଖିତ ଭାବେ ଅବଗତ କରାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଗାରଦଠାରୁ ଉତ୍ତର ମାଗିଥିଲେ । କିନ୍ତୁ ପରେ ମୋଦକ ଚୋରି ହୋଇନାହିଁ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ି । ସେହିଭଳି ଆଇନମନ୍ତ୍ରୀ କହିଥିଲେ ଏକଥା ମିଛ, ଜାଣିଶୁଣି ନିଜର ପତିଅଆରା ଦେଖାଇବା ପାଇଁ ଏଭଳି ମୋଦକ ଚୋରି ନାଟକ କରାଯାଇଛି ।