New Year Gift / ଦକ୍ଷିଣ ଓଡ଼ିଶାକୁ ମୋଦି ସରକାରଙ୍କ ନୂଆ ବର୍ଷ ପାଇଁ ବଡ଼ ଭେଟି

Key Points
ମିଳିଲା ୧୫୨୬ କୋଟି ଟଙ୍କାର ଅନୁଦାନ
ସଂପ୍ରସାରଣ ହେବ ୩୨୬ ଜାତୀୟ ରାଜପଥର ୨୪୩ କିଲୋମିଟର ରାସ୍ତା
ଲାଭବାନ ହେବେ ସୀମାବର୍ତ୍ତୀ ଜିଲ୍ଲା ସହ ଅବିଭକ୍ତ କୋରାପୁଟବାସୀ
ରାଜ୍ୟ ସମେତ ଦକ୍ଷିଣ ଓଡ଼ିଶାକୁ ମୋଦି ସରକାରଙ୍କ ନୂଆ ବର୍ଷ ପାଇଁ ବଡ଼ ଭେଟି । ଏକାବେଳେକେ ମିଳିଲା ୧୫୨୬ କୋଟି । ୩୨୬ ଜାତୀୟ ରାଜପଥର ହେବ ନବ କଳେବର, ଲାଭବାନ ହେବେ ଲକ୍ଷ ଲକ୍ଷ ଜନତାଙ୍କ ସହ ଆଜି ଓ ଭବିଷ୍ୟତ ପିଢ଼ି ।
୩୨୬ ନମ୍ଵର ଜାତୀୟ ରାଜପଥକୁ ନେଇ ମୋଦି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଏହାର ବିସ୍ତାର କରିବା ପାଇଁ ପ୍ରସ୍ତାବରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ । ଫଳରେ ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲା ଲାଭନ୍ୱିତ ହେବ ।
ଆଲୁମିନିୟନ ଶିଳ୍ପର ବିକାଶ ସହ କୋରାପୁଟର କଫି ଚାଷୀ ଲାଭ ପାଇବେ । ୨୪୩ କିଲୋମିଟର ପାଇଁ ଖର୍ଚ୍ଚ ହେବ ୧ ହଜାର ୫୨୬ କୋଟି ଟଙ୍କା । ଏହି ବଡ଼ ନିଷ୍ପତ୍ତି ପାଇଁ ପିଏମ୍ ମୋଦି ଓ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଏହି ପ୍ରକଳ୍ପ ଗଜପତିର ମୋହନା, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଯୋଗାଯୋଗକୁ ସୁଗମ କରିବା ସହ ଆଞ୍ଚଳିକ ଅର୍ଥନୀତିକୁ ନୂଆ ଗତି ଦେବ । ଏହି ପଦକ୍ଷେପ ଦ୍ଵାରା ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକର ବିକାଶ ହେବ । ସ୍ଥାନୀୟ ଲୋକଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଖଣି ଖାଦାନ ଭରା ଅବିଭକ୍ତ କୋରାପୁଟ ଜିଲ୍ଲା ଜାତୀୟ ରାଜପଥର ବିସ୍ତାରରେ ଖୋଲିବ ବିକାଶର ଅନେକ ବାଟ। ପ୍ରକଳ୍ପ ମୂଲ୍ୟ ୧୫୨୬.୨୧ କୋଟି ଟଙ୍କାରୁ ୯୯୬.୭୬ କୋଟି ଟଙ୍କା ସିଭିଲ୍ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯିବ । ଏହା ବଜାର ଓ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହେବ ।
ଏହି ପ୍ରକଳ୍ପ ମୋହନା-କୋରାପୁଟ ପର୍ଯ୍ୟନ୍ତ ଏକ ପ୍ରମୁଖ ଅର୍ଥନୈତିକ ଓ ଲଜିଷ୍ଟିକ୍ସ ହବ୍ରେ ପରିଣତ ହେବ । ଜାତୀୟ ରାଜପଥ-୨୬, ୫୯ ଓ ୧୬ ଏବଂ ରାୟପୁର-ବିଶାଖାପାଟଣା ସହ ଏହା ଯୋଡ଼ିହେବ । ଗୋପାଳପୁର ବନ୍ଦର, ଜୟପୁର ବିମାନବନ୍ଦର ଓ ବହୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ସଡ଼କ ଯୋଗାଯୋଗରେ ଉନ୍ନତି ହେବ ।
ବିଜେପିର ଡବଲ ଇଞ୍ଜିନ ସରକାରଙ୍କ ଫୋକସରେ ଆଦିବାସୀ ବହୁଳ ଜିଲ୍ଲା । ଗତ ବର୍ଷ ରେଳ ଲାଇନ ସଂପ୍ରସାରଣ ଭେଟି ଓ ଚଳିତ ବର୍ଷ ରାସ୍ତା ସଂପ୍ରସାରଣକୁ ମିଳିଥିବା ଉପହାରକୁ ନେଇ ଉତ୍ସାହିତ ଅଞ୍ଚଳବାସୀ । ଯୁବ ପିଢ଼ିଙ୍କ ପାଇଁ ରୋଜଗାର ସହ ଯାତାୟାତ ଓ ଆର୍ଥିକ ସ୍ଥିତି ସୁଧାରିବାର ଲାଇଫ ଲାଇନ ପାଲଟିବ ଏହି ଯୋଜନା ।
📱 Get Argus News App
✨Related Topics
Explore more stories