Modi To Visit Odisha: ଦେଢ଼ କିଲୋମିଟର ରୋଡ୍ ସୋ' କରିବେ, ୫୦ ହଜାର ହିତାଧିକାରୀଙ୍କୁ ଘର ବାଣ୍ଟିବେ

Key Points
ପୂର୍ବରୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଏହିପରି ରୋଡ୍ ସୋ'କୁ ଗ୍ରାଣ୍ଡ ସକସେସ ମିଳିଛି ।
ନିର୍ବାଚନ ସମୟରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ'ରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା ।
ଜନତା ମଇଦାନରେ ଯୋଜନାର ବର୍ଷା କରିବେ ମୋଦି । ବର୍ଷକ ଭିତରେ ଓଡ଼ିଶାକୁ ଷଷ୍ଠ ଥର ଆସି ଦେବେ ବଡ଼ ଭେଟି । କରିବେ ଦେଢ଼ କିଲୋମିଟରର ବିଶାଳ ରୋଡ୍ ସୋ । ସେନାର ଶୌର୍ଯ୍ୟକୁ ସମ୍ମାନ ଜଣାଇବାକୁ ତ୍ରିରଙ୍ଗା ଯାତ୍ରାରେ ବି ହେବେ ସାମିଲ । ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର କରିବେ ଶୁଭାରମ୍ଭ । ୫୦ ହଜାର ହିତାଧିକାରୀଙ୍କୁ ବାଣ୍ଟିବେ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ।
ମୋହନ ସରକାରଙ୍କ ବର୍ଷ ପୂର୍ତ୍ତୀ ଉତ୍ସବରେ ଯୋଜନାର ବର୍ଷା କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ-ପ୍ରିଣ୍ଟ । ଅପରାହ୍ନ ୩ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ କରାଯିବ ଭବ୍ୟ ସ୍ବାଗତ । ପ୍ରଥମେ ତ୍ରିରଙ୍ଗାଯାତ୍ରା ରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ବିମାନ ବନ୍ଦରରୁ ଏଜି ଛକ ପର୍ଯ୍ୟନ୍ତ କରାଯାଇ ପାରେ ତ୍ରିରଙ୍ଗା ଯାତ୍ରା । ପରେ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ବିଶାଳ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ।
ଜନତା ମଇଦାନରେ ପହଁଚି ଓଡ଼ିଶାକୁ ବଡ଼ ଭେଟି ଦେବା ସହ ରାଜ୍ୟ ସରକାରଙ୍କ ଅନେକ ନୂଆ ଯୋଜନାର କରିବେ ଶୁଭାରମ୍ଭ । ସେହିପରି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୫୦ ହଜାର ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟାଯିବ। ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ ସହ ପ୍ରାୟ ୧୦୦ ଜଣ ମହାପରୁଷଙ୍କ ଗାଁକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯିବ । ଶେଷରେ ଜନତା ମଇଦାନରେ ଉପସ୍ଥିତ ପ୍ରାୟ ଲାକ୍ଷାଧିକ ଲୋକଙ୍କୁ କରିବେ ସମ୍ବୋଧନ ।
ପୂର୍ବରୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଏହିପରି ରୋଡ୍ ସୋ'କୁ ଗ୍ରାଣ୍ଡ ସକସେସ ମିଳିଥିବା ଦେଖା ଯାଇଛି । ନିର୍ବାଚନ ସମୟରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ'ରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ପ୍ରଧାନମନ୍ତ୍ରୀ କି କେନ୍ଦ୍ରମନ୍ତ୍ରୀ ମାନେ ଓଡ଼ିଶାକୁ ଯେତେ ଅଧିକ ଆସିବେ ଜନତାଙ୍କ ଉପରେ ତାହାର ପ୍ରଭାବ ନିଶ୍ଚିତ ପଡ଼ିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭରସା କରି ବିଜେପିକୁ ଭୋଟ ଦେଇଥିଲେ ଓଡ଼ିଶାବାସୀ । ପ୍ରଧାନମନ୍ତ୍ରୀ ମଧ୍ୟ ସେଇ ବିଶ୍ୱାସକୁ ବଜାୟ ରଖିବା ଲାଗି ଓଡ଼ିଶା ସହ ଚଟାଣ ଭଳି ଛିଡ଼ା ହୋଇଛନ୍ତି । ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ହେଉ କି ସୁଭଦ୍ରା ସମାରୋହ କିମ୍ବା ପୋଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀ, ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା ଭଳି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆଙ୍କ ପ୍ରତି ଥିବା ଭଲପାଇବା ଓ ଆତ୍ମୀୟତାକୁ ପ୍ରତିଥର ଦର୍ଶାଇଛନ୍ତି ।