ଆମ ଓଡ଼ିଶା ନବୀନ ଓଡ଼ିଶା : ଏବେ ଟଙ୍କା ହିସାବ ମାଗିବ ବିଭାଗ

Key Points
- ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଅନୁଦାନ
- ଖୋଳତାଡ କରିବ ମୋହନ ସରକାର
- ଯୋଜନା ହେଲା, ବିଭାଗ ପାଖରେ ନାହିଁ କିଛି ତଥ୍ୟ
ଅର୍ଗସ ବ୍ୟୁରୋ : ଖୋଲୁଛି ନବୀନ ସରକାରର ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପେଡି । ଖାସ୍ କରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ନେଇ ସନ୍ଦେହ ହେଲାଣି । ସ୍ଥିତି ଏବେ ଏମିତି ଯେ ପ୍ରତି ପଂଚାୟତକୁ ମିଳିଥିବା ଟଙ୍କା ସମ୍ପର୍କରେ ବିଭାଗ କୁଆଡେ ଅବଗତ ନାହିଁ । ସେଇଥି ଲାଗି ତ ମନ୍ତ୍ରୀ କହିଲେଣି ଖୋଳତାଡ ହେବ ପୁରା ଯୋଜନା ।
ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକଙ୍କ ବଡ ବୟାନ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ କରିବ ରାଜ୍ୟ ସରାକର । ଗଣମାଧ୍ୟମକୁ ସୂଚନା ଦେଇ ରବି କହିଛନ୍ତି, ଏହି ଯୋଜନାରେ କିଛି କାମ ହୋଇଛି । କିନ୍ତୁ ଯୋଜନା ବାବଦରେ ବିଭାଗ ଅବଗତ ନାହିଁ । ଏହା କୌଣସି ଯୋଜନା ନଥିଲା । ତୃତୀୟ ମହଲା ମନଟରିଂ କରୁଥିଲା, ବ୍ଲକ ଓ ଡିଆରଡିଏ ଏହାକୁ କାର୍ଯ୍ୟକାରୀ କରୁଥିଲା । ଏବେ ଏହାର ଖୋଳତାଡ ହେଲେ କାହାକୁ ଧରାଯିବ, କିଏ ଉତ୍ତରଦାୟୀ ତାହା ସବୁଠୁ ବଡ ପ୍ରଶ୍ନବାଚୀ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଯୋଜନାର କାର୍ଯ୍ୟାଦେଶ କିଏ କରାଉଥିଲା ତାହାର ତଥ୍ୟ ପଞ୍ଚାୟତରାଜ ବିଭାଗ ପାଖରେ ରହିବା କଥା । କିନ୍ତୁ ପଞ୍ଚାୟତରାଜ ବିଭାଗର ପ୍ରମୁଥ ସଚିବ ଏ ବାବଦରେ ଜାଣୁନଥିଲେ । ରାମ ଭରସାରେ ଏହି ଯୋଜନା ଚାଲୁଥିଲା । ଓଡ଼ିଶାର ବିଭିନ୍ନ ପଞ୍ଚାୟତରେ ଯେଉଁ କାମ ହେଉଥିଲା ତାହା ରାମ ଭରସାରେ ଚାଲିଥିଲା । କିଏ କରୁଛି, କେତେ କାମ ହେଉଛି ତାହାର କୌଣସି ତଥ୍ୟ ନଥିଲା ? ତେଣୁ ଯେଉଁ ଅନିୟମିତତା ହୋଇଛି ତାହାର ଖୋଳତାଡ କରି ଲୋକଲୋଚନକୁ ଆଣିବୁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
📱 Get Argus News App
✨ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଗତ ନିର୍ବାଚନ ପୂର୍ବରୁ ଆମ ଓଡ଼ିଶା, ନବୀନ ଓଡିଶା ଜରିଆରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷର ଅନୁଦାନ ଦେଇଥିଲେ ବିଜେଡି ସରକାର । ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଏହି ଅର୍ଥ ବ୍ୟୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ଯୋଜନାରେ ଅନିୟମିତତାର ଗନ୍ଧ ବାରିଛି ନୂଆ ସରକାର । ତେବେ କେତେ ଟଙ୍କା ଏହି ଯୋଜନାରେ ଖର୍ଚ୍ଚ ହୋଇଛି, କେତେ ଦୁର୍ନୀତି ହୋଇଛି ସେନେଇ ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ।