ପର୍ଯ୍ୟଟନ ବିକାଶ ନାଁରେ ଜଣେ ବ୍ୟକ୍ତିଙ୍କ ପ୍ରଚାରରେ ମାତିଥିଲା ପୂର୍ବ ବିଜେଡି ସରକାର

ପର୍ଯ୍ୟଟନ ବିକାଶ ନାଁରେ ପୂର୍ବ ସରକାରରେ ଚାଲିଥିଲା ଜଣେ ବ୍ୟକ୍ତିର ପ୍ରଚାର । ନାଁ ନ ନେଇ ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କହିଲେ, ପୂର୍ବ ବିଜେଡ଼ି ସରକାରରେ ବ୍ୟକ୍ତି କେନ୍ଦ୍ରିକ ଭାବେ ଖର୍ଚ୍ଚ ହେଉଥିଲା ପର୍ଯ୍ୟଟନ ଟଙ୍କା । ଜଣେ ବ୍ୟକ୍ତିର ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନର ବିକାଶ ପାଇଁ ଥିବା ଅର୍ଥର ହେଉଥିଲା ଅପବ୍ୟବହାର । ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କ ପ୍ରଚାର ଲାଗି ପର୍ଯ୍ୟଟନର ସମସ୍ତ ପଇସା ବଣ୍ଟା ଯାଉଥିଲା । କିନ୍ତୁ ବିଜେପି ସରକାରରେ ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରଚାର ପ୍ରସାର ହେବାର ନାହିଁ । ଏହା ସହିତ ଉପମୁଖ୍ୟମନ୍ତ୍ରୀ ଖୋଲି ଦେଇଛନ୍ତି ପୂର୍ବ ସରକାର ପର୍ଯ୍ୟଟନ ବିଭାଗରେ ଚାଲିଥିବା ମହାଘୋଟଲାର ପୋଲ୍ । କହିଛନ୍ତି, ପୂର୍ବ ବିଜେଡି ସରକାରରେ ଶାଗ ମାଛ ଦରରେ ବହୁ ଟୁରିଜିମ୍ ସାଇଟ ଦଳୀୟ କର୍ମୀଙ୍କୁ ଲିଜ୍ ରେ ଦିଆଯାଇଥିଲା । କାହାକୁ ୪୦ ବର୍ଷ ତ ଆଉ କାହାକୁ ୮୦ ବର୍ଷ ପାଇଁ ଦିଆଯାଇଛି ଲିଜ୍ । ଯାହାଦ୍ଵାରା ଆଇନଗତ ଅସୁବିଧା ଉପୁଜିଛି । ଏବେ ବି ଅନେକ ପ୍ରାଇମ ଲୋକେସନ ଅଛି , ଯେଉଁ ଜାଗା ଗୁଡ଼ିକୁ ପ୍ରାଇଭେଟ୍ ନିବେଶକ ମାନଙ୍କୁ ପର୍ଯ୍ୟଟନ ବିକାଶ ପାଇଁ ଦିଆଯିବ । ଓଡିଶାରେ ନିବେଶ ଲାଗି ନିବେଶକମାନେ ଆଗ୍ରହ ପ୍ରାକାଶ କରୁଛନ୍ତି । ପର୍ଯ୍ୟଟନ କ୍ଷେତ୍ର ପାଇଁ ୮ ହଜାର ୧୫୩ କୋଟି ଟଙ୍କା ନିବେଶ ପାଇଁ ଦୃତ ଗତିରେ ଚାଲିଛି ଫାଇଲ କ୍ଲିୟରାନ୍ସ । ନିବେଶକ ମାନଙ୍କୁ ଜମି ଦେବା ପାଇଁ ୩ ଜଣ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ ପରେ ଜବାବ ରଖିଛି ବିଜେଡି ।
ସେପଟେ ରାଜ୍ୟରେ ପର୍ଯ୍ୟଟନସ୍ଥଳ ଗୁଡିକର ବିକାଶ ପାଇଁ ରାଜ୍ୟ ସରକାର ରଖିଛନ୍ତି ବଡ ଯୋଜନା । କୋରାପୁଟ କୋଲାବରେ ଚାଲିବ କ୍ରୁଜ ବୋଟ୍ । କୋଲାବ ଜଳ ଭଣ୍ଡାରର ପଣ୍ଡି ପିକନିକ ସ୍ପଟରେ ମୁଖ୍ୟ ଆକର୍ଷଣ ପାଲଟିବ ଅତ୍ୟାଧୁନିକ କ୍ରୁଜ । କ୍ରୁଜରେ ବସି କୋଲାବ ଡ୍ୟାମର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ କୋରାପୁଟ କଫିର ମଜା ନେଇ ପାରିବେ ପର୍ଯ୍ୟଟକ । ଏହାସହ ଏକ ମ୍ୟୁଜିୟମ ମଧ୍ୟ କରିବେ ରାଜ୍ୟ ସରକାର । କୋଲାବରେ ପୂର୍ବରୁ ମାତ୍ର ଗୋଟିଏ ବୋଟ ଥିଲା । ଏବେ କାରଭାନ ଟୁରିଜିମକୁ ପ୍ରୋତ୍ସାହନ ଦିଆଯାଉଛି । ମାଲକାନଗିରି ସତିଗୁଡା ଏବଂ କୋଲାବ ଡ୍ୟାମର ପଣ୍ଡି ପିକନିକ ସ୍ପଟ ଅଞ୍ଚଳରେ କଫି ଆଧାରିତ ପର୍ଯ୍ୟଟନର ବିକାଶ କରାଯିବ । ପ୍ରାକୃତିକ ଉତ୍ସ, ଝରଣା ଗୁଡିକ ପାଇଁ ସରକାର ୩୫ କୋଟିର ବ୍ୟୟ ବରାଦ କରିଛନ୍ତି । ଏହି ଅର୍ଥ ଖର୍ଚ୍ଚ ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ମନିଟରିଂ ସେଲ ଖୋଲାଯାଇଛି ।
ଅନ୍ୟପଟେ ସୁନ୍ଦରଗଡ଼ର କାହ୍ନାକୁଣ୍ଡ ବିଷୟରେ X ହାଣ୍ଡେଲରେ ସେୟାର କରିଛନ୍ତି ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ରଖି କହିଛନ୍ତି, ଏହା ଖୁସିର କଥା ସୁନ୍ଦରଗଡ଼ର ଏକ ଡେଷ୍ଟିନେସନ X ହାଣ୍ଡେଲରୁ ନଜରକୁ ଆସିଛି । ସେ ସ୍ଥାନକୁ ଚିହ୍ନଟ କରିବା ପାଇଁ ଟିମ୍ ପଠାଯାଇଛି । ପର୍ଯ୍ୟଟନ ବିଭାଗ ଟିମ୍ ଯାଇ ଅନୁଧ୍ୟାନ କରୁଛି । ଯଦି ସେହି ସ୍ଥାନରେ ପର୍ଯ୍ୟଟନର ବିକାଶ ପାଇଁ ସମ୍ଭାବନା ଥିବ ବିକାଶ କରାଯିବ ।
