Montha Effect / ଏକର ଏକର ଧାନ ଗଛ କ୍ଷେତରେ ଲୋଟିଛି ଚିନ୍ତାରେ ଚାଷୀ

Key Points
ବ୍ୟାପକ କପା ଫସଲ ନଷ୍ଟ ।
ମାଣ୍ଡିଆ, ହରଡ, ପନିପରିବା ଚାଷ ନଷ୍ଟ ।
ବିଲରେ ଶୋଇଛି ଧାନଗଛ ।
ବାତ୍ୟା ମୋନ୍ଥା ପ୍ରଭାବରେ ହୋଇଥିବା ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଝିପିଝିପି ବର୍ଷା ପାଇଁ ରାୟଗଡ଼ା ଜିଲ୍ଲାର ଅନେକ ସ୍ଥାନରେ ଚାଷୀଙ୍କର ଫସଲ କ୍ଷତିଗ୍ରସ୍ତ ହୋଇଛି । ଏକର ଏକର ଧାନ ଗଛ କ୍ଷେତରେ ଲୋଟି ପଡିଥିବା ବେଳେ କପା ଗଛ ମଧ୍ୟ ପ୍ରାୟ ନଷ୍ଟ ହୋଇଯାଇଛି । ଅନ୍ୟପଟେ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ ଚାଲିଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ସୂଚନା ମିଳିଛି ।
ପାଣିରୁ ଧାନକେଣ୍ଡା କାଢୁଛି ଚାଷୀ । ବ୍ୟାପକ କପା ଫସଲ ନଷ୍ଟ ହେବା ସହ ମାଣ୍ଡିଆ, ହରଡ, ପନିପରିବା ମଧ୍ୟ ନଷ୍ଟ ହୋଇଯାଇଛି । ବିଲରେ ଶୋଇଯାଇଛି ଧାନଗଛ ଚିନ୍ତାରେ ମୁଣ୍ଡରେ ହାତ ଦେଇଛି ଚାଷୀ । ବାତ୍ୟା ମୋନ୍ଥା ସିନା ଯାଇଛି ହେଲେ ଏହା ପ୍ରଭାବରେ ହୋଇଥିବା ବର୍ଷା ଏମିତି ଦୁଃଖ ଦେଇଛି ଯାହା ଚାଷୀକୁ ଚିନ୍ତାରେ ପକାଇଛି । ରାୟଗଡ଼ା ଜିଲ୍ଲା ବଡଇରୁକୁବାଡି ପଞ୍ଚାୟତ ଏବଂ ବିରନାରାୟଣପୁରୁ ଅଞ୍ଚଳରେ ଲଗାଣ ବର୍ଷାରେ ଏକର ଏକର ଧାନ ଗଛ ନଷ୍ଟ । କ୍ଷେତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମା ହୋଇଯାଇଛି । ଧାନ କେଣ୍ଡା ଗୁଡିକ ପାଣିରେ ବୁଡି ଯାଇଛି ।
ଚାଷୀ କେମିତି ରୁଣ ସୁଝିବ ତାକୁ ନେଇ ଏବେ ଚିନ୍ତାରେ । କେବଳ ଧାନ ଫସଲ ନୁହେଁ କପା ଫସଲରେ ମଧ୍ୟ ବ୍ୟାପକ ନଷ୍ଟ ହୋଇଛି । କିଛି ସ୍ଥାନରେ କପା ଗଛରୁ ଫଳ ଝଡିଯାଇଛି । କପାରେ ମଧ୍ୟ ପାଣି ଲାଗି ନଷ୍ଟ ହୋଇଯାଇଛି । ମାଣ୍ଡିଆ,ହରଡ ଓ ବିଭିନ୍ନ ପନିପରିବା ମଧ୍ୟ ନଷ୍ଟ ହୋଇଛି । କେବଳ ରାୟଗଡା ସଦର ବ୍ଲକ ନୁହେଁ ଜିଲ୍ଲାର କୋଲନରା,ରାମନାଗୁଡା,ପଦ୍ମପୁର,ଗୁଣୁପୁର,ବିଷମକଟକ,ମୁନିଗୁଡା ଓ କଲ୍ୟାଣସିଂହପୁର ବ୍ଲକର ଚାଷୀ ମାନେ ବାତ୍ୟାରେ କ୍ଷତିଗସ୍ତ ହୋଇଛନ୍ତି ।
ଚଳିତ ବର୍ଷ ରାୟଗଡା ଜିଲ୍ଲାରେ ୪୪ ହଜାର ୯୯୨ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ୪୮ ହଜାର ୭୯୯ ହେକ୍ଟର ଜମିରେ କପା ଓ ୧୯ ହଜାର ୬୨ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଛି । ତେବେ ବର୍ଷା ଯୋଗୁଁ ଅନେକ ଫସଲ ଏବେ ନଷ୍ଟ ହୋଇଯାଇଛି । ଅନ୍ୟପଟେ ରାଜସ୍ଵ ବିଭାଗ ଓ କୃଷି ବିଭାଗ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି, କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ ପରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଲଘୁଚାପ ଜନିତ ବର୍ଷାରେ ରାୟଗଡା ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଚାଷୀ ଏବେ କ୍ଷତିପୂରଣକୁ ଅପେକ୍ଷା କରି ବସିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories