Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଙ୍କାରୁ ମିଳୁଛି ମୁଠାଏ ଟଙ୍କା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଲଙ୍କାରୁ ମିଳୁଛି ମୁଠାଏ ଟଙ୍କା

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତର କାଳିଆପାଳ ଡ୍ୟାମ୍ ସାହି । ଏଠାରେ ମହିଳାମାନେ କରିଛନ୍ତି ଲଙ୍କାଚାଷ। ପାହାଡିଆ ଜମିରେ ୧୨ଜଣ ମହିଳା ଆଧୁନିକ ମଲଚିଂ ଓ ଡ୍ରିପ୍ ପ୍ରଣାଳୀରେ ଲଙ୍କାଚାଷ କରିଛନ୍ତି । ଗତ ୩ମାସ ଧରି ପ୍ରତ୍ୟେକ ୩ଦିନରେ ମହିଳାମାନେ ନିଜ ଜମିରୁ ଲଙ୍କା ତୋଳି ସେହି ଲଙ୍କାକୁ ନିଜେ ଓଜନ କରି ବିକ୍ରୀ କରିଥାନ୍ତି । ଚାକିରୀ କରିଥିଲେ ଟଙ୍କା ପାଇଁ ମାସ ଶେଷକୁ ଅପେକ୍ଷା କରିବାକୁ ପଡିଥାନ୍ତା, ହେଲେ, ଲଙ୍କାଚାଷରୁ ମହିଳାମାନେ ପ୍ରତି ୩ଦିନରେ ରୋଜଗାର କରୁଥିବା କହିଛନ୍ତି । ଯାହା, ସେମାନଙ୍କୁ କରିପାରିଛି ସ୍ବାବଲମ୍ବି ।

କାଳିଆପାଳ ଡ୍ୟାମ୍ ସାହିର ମହିଳା ଆଗରୁ ଚାଷକାଣ ଯାଣି ନଥିଲେ । ବଣ ଜଙ୍ଗଲରୁ କାଠି, ପତ୍ର ତୋଳି ପେଟ ପୋଷୁଥିଲେ । ହେଲେ, ଏକ ଏନଜିଓ ସହାୟତାରେ ୨୦୧୯ ମସିହାରେ ୧୨ଜଣ ମହିଳା ‘‘ଜଗତେଶ୍ବରୀ ସ୍ବୟଂ ସହାୟିକା ଗୋଷ୍ଠୀ’’ ଗଠନ କରି ପନିପରିବା ଚାଷ ଆରମ୍ଭ କଲେ । ପାହାଡିଆ ଜମିରେ ପ୍ରଥମେ ପାରମ୍ପରିକ ପଦ୍ଧତିରେ ପନିପରିବା ଚାଷ କରି ମହିଳାମାନେ କ୍ଷତି ସହିଲେ ।  ଏହାପରେ, ପଲିଥିନ୍ ଆଣି ମଲଚିଂ ପଦ୍ଧତିରେ ଭଲ ଭେରାଇଟିର ଲଙ୍କାଚାରା ଜମିରେ ରୋପଣ କଲେ । ଏଥିସହ, ଡ୍ରିପ୍ ପଦ୍ଧତିରେ ଗଛମୂଳେ ଜଳସେଚନ କଲେ । ନିରନ୍ତର ଜଳସେଚନ ପାଇଁ ଗାଁ ମୁଣ୍ଡରେ ସୋଲାର୍ ପମ୍ପ ମଧ୍ୟ ବସାଇଲେ । ଏନଜିଓ ଦ୍ବାରା ଗାଁରୁ ଉଚିତ୍ ମୂଲ୍ୟରେ ମହିଳାଙ୍କ ଉତ୍ପାଦିତ ଲଙ୍କା କ୍ରୟ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ବିଗତ ୩ମାସ ଧରି ପ୍ରତ୍ୟେକ ମହିଳା ଲଙ୍କାଚାଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ବେଳେ, ଆଗକୁ ପ୍ରତିଦିନ ଏଥିରୁ ୨୦ରୁ ୩୦ହଜାର ଟଙ୍କା ପାଇବାର ଆଶା ରଖିଛନ୍ତି ଏହି ମହିଳା ଚାଷୀ। ଦିନ ଚାଷ କ’ଣ ଜାଣି ନଥିଲେ ଏହି ମହିଳାମାନେ । ହେଲେ, ଏବେ ପାହାଡିଆ ଜମିରେ ଆଧୁନିକ ପ୍ରଣାଳୀରେ ଲଙ୍କାଚାଷ କରି ଏହି୧୨ ଜଣ ମହିଳା ହୋଇ ପାରିଛନ୍ତି ସ୍ବାବଲମ୍ବି ଆଉ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
more money is being received from chilli. | Argus News