ଚାଲିଛି ଇ-କେୱାଇସି...ଖୋଲୁଛି ବିଜେଡି ସରକାର ଅମଳର ରାସନ ଜାଲିଆତି ପେଡି

Key Points
ଅଯୋଗ୍ୟଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା
ପ୍ରତି ବ୍ଲକରେ ଶହ ଶହ ଅଯୋଗ୍ୟ ହିତାଧୀକାରୀ
ଭୁବନେଶ୍ୱର: ଚାଲିଛି ଇ-କେୱାଇସି...ଖୋଲୁଛି ବିଜେଡି ସରକାର ଅମଳର ରାସନ ଜାଲିଆତି ପେଡି । ପ୍ରଥମେ ବାଲିଆପାଳ ଆଉ ଏବେ ବାହାନଗା । ବାଲେଶ୍ଵର ଜିଲ୍ଲାର ଏହି ଦୁଇଟି ବ୍ଲକରୁ ବାହାରିଲେଣି ରାସନ କାର୍ଡ ହାତେଇଥିବା ୩୦୦ରୁ ଅଧିକ ସରକାରୀ ବାବୁ । ୧୬୫ ଜଣ ସରକାରୀ ଅଧିକାରୀ ହାତେଇଛନ୍ତି ରାସନ କାର୍ଡ । ସେମିତି ବାହାନଗା ବ୍ଲକରେ ବି ବାହାରିଲେଣି ୧୭୭ ଥିଲାବାଲା ବାବୁ । ତାଲିକାରେ ଇଞ୍ଜିନିୟର, ଡାକ୍ତର, ଶିକ୍ଷକଙ୍କ ଠୁ ଆରମ୍ଭ କରି ଲେକ୍ଟରର୍, ଫାର୍ମାସିଷ୍ଟ, ପୋଲିସ, ପଞ୍ଚାୟତ ଅଫିସର, ନର୍ସିଂ ଅଫିସର, ଫରେଷ୍ଟ ରେଞ୍ଜର ବି ଅଛନ୍ତି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବି ।
ବାଲିଆପାଳ ତାଲିକାର ୭୨ ନମ୍ବରରେ ଅଛି ବାଲିଆପାଳ କମ୍ୟୁନିଟି ହେଲଥ ସେଣ୍ଟରର ମେଡିକାଲ ଅଫିସର ଅଭିଜିତ ଦାସଙ୍କ ନାଁ । ତାଙ୍କୁ ଆମ ପ୍ରତିନିଧି ଫୋନ୍ ରେ ଏକଥା ପଚାରିବାରୁ ସେ ପ୍ରଥମେ ସଫେଇ ଦେଲେ ବାପା ମାଆ ନେଉଥିବେ ଆଉ ଅଧିକ ପଚାରିବାରୁ ଫୋନ୍ କାଟିଦେଇଥିଲେ ।
ସେହିପରି ତାଲିକାରେ ୧୭ ନମ୍ବରରେ ଅଛି ବାଲିଆପାଳ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ନାଁ । ହେଲେ ଦାସ ବାବୁଙ୍କ ସଫେଇ ହେଲା ସେ ୨୦୨୩ ମସିହାରୁ ତାଙ୍କ ନାଁ କାଟିବାକୁ ବ୍ଲକ ପ୍ରଶାସନକୁ ଜଣାଇଛନ୍ତି ତେଣୁ ତାଙ୍କର କିଛି ଦୋଷ ନାହିଁ ।
📱 Get Argus News App
✨
ଏ ତ କେବଳ ଭାତ ହାଣ୍ଡିରୁ ଗୋଟିଏ ଦୁଇଟି ଭାତ । ଏମିତି ରାଜ୍ୟର ପ୍ରତି ବ୍ଲକରୁ ବାହାରୁଛନ୍ତି ଶହ ଶହ ଅଯୋଗ୍ୟ ହିତାଧିକାରୀ । ଟ୍ୟାକ୍ସ ପେୟର, ସରକାରୀ ଚାକିରିଆ ହାତେଇଛନ୍ତି ରାସନ କାର୍ଡ । ତେବେ ସେମାନଙ୍କୁ କାର୍ଡ ସରେଣ୍ଡର କରିବାକୁ ପୁଣି ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ । କହିଛନ୍ତି, ଜାନୁଆରୀ ୩୧ରେ ଇ-କେୱାଇସି ସରୁଛି । ତା ପୂର୍ବରୁ ସରେଣ୍ଡର କରିଦିଅନ୍ତୁ । ନଚେତ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ହେଲେ ଅନ୍ୟପଟେ ରାସନ ଚାଉଳ ମୁଠେ ପାଇବାରୁ ବଞ୍ଚିତ ହେଉଛନ୍ତି ଗରିବ ଖଟିଖିଆ । ଏ ହେଉଛି ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ସମ୍ମୁଖର ଦୃଶ୍ୟ । ପଞ୍ଚାୟତର ଦାଦନ ଯାଇଥିବା ପରିବାରର ପୁଅ ଝିଅଙ୍କୁ ଚାଉଳ ମିଳିନଥିବାରୁ ଚାଉଳ ବଣ୍ଟନକୁ ବନ୍ଦ କରି ପଞ୍ଚାୟତ ସମ୍ମୁଖରେ ଧାରଣା ଦେଇଛନ୍ତି ପଞ୍ଚାୟତବାସୀ ।
ରାଜ୍ୟରେ ଏନଏଫଏସରେ ରାସନ ପାଉଛନ୍ତି 3 କୋଟି 26 ଲକ୍ଷ ଲୋକ । ପୂର୍ବ ସରକାର ନିଜ ଯୋଜନାରେ ଦେଇଥିଲେ 9 ଲକ୍ଷ ରାସନ କାର୍ଡ । ଏବେ 48 ଲକ୍ଷ ଲୋକ ଇ- କେୱାସି କରିନାହାଁନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଧରାପଡିବା ଭୟରେ ଆସୁନାହାଁନ୍ତି କି ଇ କେୱାସି କରିବାକୁ । ପ୍ରାୟ 4 ଲକ୍ଷ ଆୟକର ଦାତା ବି ନେଉଥିଲେ ମାଗଣା ଚାଉଳ । ଏବେ ପୂର୍ବ ବିଜେଡି ସରକାରରେ ଚାଲିଥିବା ରାସନ କାର୍ଡ କେଳେଙ୍କାରୀର ଧିରେ ଧିରେ ଖୋଲୁଛି ଗୁମର । ସ୍ଵଚ୍ଛତାର ଡିଣ୍ଡିମ ପିଟୁଥିବା ତତ୍କାଳୀନ ନବୀନ ସରକାରରେ କିପରି ଏତେ ସଂଖ୍ୟାରେ ସରକାରୀ ଅଧିକାରୀ ରାସନ କାର୍ଡ ହାତେଇଥିଲେ ? କେମିତି ଧରାପଡୁନଥିଲା ଏତେ ବଡ ଜାଲିଆତି ? ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।