୫ ହଜାରରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କର ହେବ ସମାବେଶ

Key Points
ଉତ୍କର୍ଷ ଓଡ଼ିଶା ସମାବେଶ ଓଡ଼ିଶାକୁ କରିବ ଉତ୍କର୍ଷ
୫ ହଜାରରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କର ହେବ ସମାବେଶ
୫୦୦ ବିଦେଶୀ ପୁଞ୍ଜିନିବେଶକଙ୍କର ହେବ ଓଡ଼ିଶା ଆଗମନ
୨୮ ତାରିଖରେ ପ୍ରଧାନମନ୍ତ୍ରୀ କରିବେ ସମାବେଶର ଉଦଘାଟନ
ମୁଖ୍ୟମନ୍ତ୍ରୀ କଲେ ରାଜ୍ୟବାସୀଙ୍କର ସହଯୋଗ କାମନା
ଅର୍ଗସ ବ୍ୟୁରୋ: ପ୍ରାଚୁର୍ଯ୍ୟ ଭରା ଓଡ଼ିଶାକୁ ଆସିବ ପୁଞ୍ଜି ନିବେଶ । ଓଡ଼ିଆ ପୁଅ ନିଜ ଅଞ୍ଚଳରେ ପାଇବେ ନିଯୁକ୍ତି । ଉତ୍କର୍ଷ ଓଡ଼ିଶା ସମାବେଶ ଆୟୋଜନ କରି ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଦୁଇ ଦିନ ଧରି ବଡ଼ ବଡ଼ ଶିଳ୍ପପତିଙ୍କ ଗହଣରେ ପ୍ରସ୍ତୁତ ହେବ ବିକଶିତ ଓଡିଶାର ରୋଡ଼ ମ୍ୟାପ । ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା ସମାବେଶକୁ ଉଦଘାଟନ କରିବାକୁ ଥିବା ବେଳେ ଖବରକାଗଜରେ ଆଲେଖ୍ୟ ଲେଖି ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆମ ସରକାର ଆସିବା ପରଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିସାରିଛି ଓ ଏସବୁ ପ୍ରକଳ୍ପ ବାସ୍ତବ ରୂପ ନେବା ପରେ, ୧ ଲକ୍ଷ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ନିଜ ଆଲେଖ୍ୟରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ଶିଳ୍ପ ବିଭାଗ ପକ୍ଷରୁ ପ୍ରସ୍ତୁତି ନେଇ ରଖାଯାଇଛି ବିସ୍ତୁତ ତଥ୍ୟ । ଶିଳ୍ପ ସଚିବ କହିଛନ୍ତି ଉତ୍କର୍ଷ ଓଡ଼ିଶା- ମେକ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗଦେବେ ଦେଶର ଶହେ ଫର୍ଚ୍ୟୁନ 500 କମ୍ପାନୀ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିପରି ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସମ୍ବର୍ଦ୍ଧିତ ହେବେ ରାଜ୍ୟର '60 under 40' MSME ଉଦ୍ୟୋଗୀ । ୨୯ ତାରିଖ ଉଦଯାପନୀ ଉତ୍ସବରେ ପ୍ରତି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ଚଳିତ ଥର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ କ୍ଷେତ୍ର ଭାବେ ଚୟନ କରାଯାଇଛି । ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି ୧୨ଟି ରାଷ୍ଟ୍ର 'କଣ୍ଟ୍ରି ଅଫ୍ ଫୋକସ' ରହିବାକୁ ନିମନ୍ତ୍ରଣ କରାଯାଇଛି । ୨୭ ତାରିଖରେ ପ୍ରାକ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଅଂଶସ୍ବରୂପ ଆୟୋଜନ ହେବ CII ନ୍ୟାସନାଲ କାଉନସିଲର ପଞ୍ଚମ ଅଧିବେଶନ। ଯେଉଁଥିରେ ଯୋଗ ଦେବେ CII ନ୍ୟାସନାଲ କାଉନସିଲର ୨୦୦ ସଦସ୍ୟ ।
📱 Get Argus News App
✨ଜାନୁଆରି ୨୮-୨୯ ଦୁଇ ଦିନ ଧରି ୪ଟି ପ୍ଲେନାରି ସେସନ, ୧୬ଟି ସେକ୍ଟରାଲ୍ ସେସନ୍ ଓ ୪ଟି ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ। ଏହି ଦୁଇ ଦିନରେ ପ୍ରାୟ ୩୦୦୦ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାର୍ଟଅପ ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡ଼ିତ ବ୍ୟକ୍ତିମାନେ ଆଲୋଚନା କରିବେ ।