|
logo
Live

Argus News - ରାଜ୍ୟରେ ୬ ବର୍ଷରେ ୮ ହଜାରରୁ ଅଧିକ ବାଲ୍ୟ ବିବାହ, ନବରଙ୍ଗପୁରରେ ସର୍ବାଧିକ

Odisha

ରାଜ୍ୟରେ ୬ ବର୍ଷରେ ୮ ହଜାରରୁ ଅଧିକ ବାଲ୍ୟ ବିବାହ, ନବରଙ୍ଗପୁରରେ ସର୍ବାଧିକ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ରାଜ୍ୟରେ ୬ ବର୍ଷରେ ୮ ହଜାରରୁ ଅଧିକ ବାଲ୍ୟ ବିବାହ, ନବରଙ୍ଗପୁରରେ ସର୍ବାଧିକ

Key Points

ଆମ ରାଜ୍ୟରେ ବାଲ୍ୟ ବିବାହ ରୂପକ ମହାମାରୀ ମାଡ଼ି ଚାଲିଛି । ରାଜ୍ୟରେ ୨୦୧୯ରୁ ୨୦୨୫ ଗତ ୬ ବର୍ଷ ମଧ୍ୟରେ ୮ ହଜାର ୧୫୯ଟି ବାଲ୍ୟ ବିବାହ ହୋଇଥିବା ଜଣାପଡ଼ିଛି ।

ଭୁବନେଶ୍ଵର: ବାଲ୍ୟ ବିବାହ ଏକ ବ୍ୟାଧି । ସମୟ ସହ ତାଳ ଦେଇ ସମାଜ ବଦଳୁଛି । କିନ୍ତୁ ସେଇ ମାନସିକତା ରହିଛି । ଅନ୍ଧବିଶ୍ଵାସ, ସାମାଜିକ ଓ ପାରମ୍ପରିକ ଚଳଣୀର ବଶବର୍ତ୍ତୀ ହୋଇ ଏବେ ବି ରାଜ୍ୟରେ ହେଉଛି ବାଲ୍ୟ ବିବାହ । ୧୮ ବର୍ଷରୁ କମ୍ ବୟସର ଝିଅ ଓ ୨୧ ବର୍ଷରୁ କମ୍ ବୟସର ପୁଅଙ୍କ ବିବାହ ବାଲ୍ୟ ବିବାହ ନିରୋଧ ଆଇନ୍-୨୦୦୬ ଅନୁଯାୟୀ ଦଣ୍ଡନୀୟ । 


କିନ୍ତୁ ଆମ ରାଜ୍ୟରେ ବାଲ୍ୟ ବିବାହ ରୂପକ ମହାମାରୀ ମାଡ଼ି ଚାଲିଛି । ରାଜ୍ୟରେ ୨୦୧୯ରୁ ୨୦୨୫ ଗତ ୬ ବର୍ଷ ମଧ୍ୟରେ ୮ ହଜାର ୧୫୯ଟି ବାଲ୍ୟ ବିବାହ ହୋଇଥିବା ଜଣାପଡ଼ିଛି । ଏନେଇ ବିଧାନସଭାରେ ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।


ବାଲ୍ୟ ବିବାହ ରୋକିବାକୁ ବ୍ଲକ ସ୍ତରରୁ ନେଇ ଅଙ୍ଗନବାଡ଼ି ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ହେଉଛି । ପ୍ରତି ୩ ମାସରେ ବ୍ଲକ, ପଞ୍ଚାୟତସ୍ତରରେ କରଯାଉଛି ସଚେତନତା ସଭା । ଏପରିକି ପୋଲିସର ସାହାଯ୍ୟ ବି ନିଆ ଯାଉଛି । ତଥାପି ବ୍ୟାପକ ସଚେତନତା ସତ୍ତ୍ଵେ ବାଲ୍ୟ ବିବାହ ବେଳେ କାହାରି ଚେତନା ଆସୁନଥିବା ଭଳି ଲାଗୁଛି ।


କେଉଁ ଜିଲ୍ଲାରେ କେତେ ବାଲ୍ୟ ବିବାହ ?


୨୦୧୯ରୁ ୨୦୨୫ ମଧ୍ୟରେ ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୧୩୪୭ଟି ବାଲ୍ୟ ବିବାହ ହୋଇଛି । ଏହା ତଳକୁ ଦ୍ଵିତୀୟରେ ରହିଛି ଗଞ୍ଜାମ, ଯେଉଁଠି ୯୬୬ଟି ବାଲ୍ୟ ବିବାହ ହୋଇଥିବା ବେଳେ କୋରାପୁଟରେ ୬୩୬ଟି, ମଯୂରଭଞ୍ଜରେ ୫୯୪, ରାୟଗଡ଼ାରେ ୪୦୮, ବାଲେଶ୍ଵରରେ ୩୬୧, କେନ୍ଦୁଝରରେ ୩୨୮, କନ୍ଧମାଳରେ ୩୦୮ଟି ବାଲ୍ୟ ବିବାହ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କ'ଣ କହୁଛି ଆଇନ୍ ?


ଓଡ଼ିଶାର ବାଲ୍ୟ ବିବାହ ନିରୋଧ ଅଧିନିୟମ, ୨୦୦୬ ଓ ଓଡ଼ିଶା ବାଲ୍ୟ ବିବାହ ନିରୋଧ ନିୟମ, ୨୦୦୯ ଅନୁଯାୟୀ- ନାବାଳିକା କନ୍ୟାଙ୍କୁ ଜଣେ ବୟସ୍କ ପୁରୁଷ ବିବାହ କଲେ ସେ ଆଇନ୍ ଅନୁଯାୟୀ ଦଣ୍ଡ ପାଇବେ । ସେହିଭଳି ଅଭିଭାବକ, ବାପାମାଆ ଓ କୌଣସି ବ୍ୟକ୍ତି ବିଶେଷ, ଅନୁଷ୍ଠାନ ବାଲ୍ୟ ବିବାହକୁ ପ୍ରୋତ୍ସାହନ କିମ୍ବା ଅନୁମୋଦନ ଦେଲେ ଦଣ୍ଡର ବ୍ୟବସ୍ଥା ରହିଛି ।


ଦଣ୍ଡ ବ୍ୟବସ୍ଥା


ଅପ୍ରାପ୍ତ ବୟସ୍କ ଝିଅକୁ ପ୍ରାପ୍ତ ବୟସ୍କ ପୁରୁଷ ବିବାହ କଲେ ତାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ସଶ୍ରମ ଜେଲ୍ କିମ୍ବା ୧ ଲକ୍ଷ ଜରିମାନା କିମ୍ବା ଉଭୟ ହୋଇପାରେ । ବାଲ୍ୟ ବିବାହ ସମ୍ପାଦନ, ପରିଚାଳନା, ପ୍ରରୋଚନା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ୨ ବର୍ଷ ସଶ୍ରମ ଜେଲ୍ ସହ ୧ ଲକ୍ଷ ଜରିମାନା ବ୍ୟବସ୍ଥା ରହିଛି । ବାଲ୍ୟ ବିବାହକୁ ପ୍ରୋତ୍ସାହନ, ସହାୟତା ଏପରିକି ଯୋଗ ଦେଲେ ୨ ବର୍ଷ ଜେଲ୍ ସହ ୧ ଲକ୍ଷ ଜରିମାନା କରାଯାଇ ପାରେ ।


ସେହିଭଳି ବାଲ୍ୟ ବିବାହ ଆଳରେ ଅପ୍ରାପ୍ତ ବୟସ୍କା ବାଳିକା/ବାଳକକୁ ବିବାହ ପାଇଁ ବିକ୍ରି କରାଯାଉଥିଲେ ଅବା ବିବାହ ପରେ ଅନ୍ୟତ୍ର ଚାଲାଣ ଅବୈଧ ଅଟେ । ବାଲ୍ୟ ବିବାହ ଏକ ଧର୍ତ୍ତବ୍ୟ ଓ ଜାମିନ୍ ବିହୀନ ଅପରାଧ ଅଟେ ।

Sponsored
ରାଜ୍ୟରେ ୬ ବର୍ଷରେ ୮ ହଜାରରୁ ଅଧିକ ବାଲ୍ୟ ବିବାହ, ନବରଙ୍ଗପୁରରେ ସର୍ବାଧିକ | Argus News