Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅପରାହ୍‌ଣରେ ଭୁବନେଶ୍ଵରରେ ପହଞ୍ଚିବ ମରଶରୀର, ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ

Odisha

ଅପରାହ୍‌ଣରେ ଭୁବନେଶ୍ଵରରେ ପହଞ୍ଚିବ ମରଶରୀର, ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଅପରାହ୍‌ଣରେ ଭୁବନେଶ୍ଵରରେ ପହଞ୍ଚିବ ମରଶରୀର, ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ

ଭୁବନେଶ୍ଵର: ଦେହାନ୍ତ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଅଣାଯାଉଛି । ଏୟାର ଇଣ୍ଡିଆର ବିମାନ ଯୋଗେ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବ । ଅପରାହ୍ଣ ପ୍ରାୟ ସାଢ଼େ ୪ଟା ସମୟରେ ମରଶରୀର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ଦଳୀୟ କାର୍ଯ୍ୟାଳୟକୁ ନିଆଯିବ ।


ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ନେତା ଓ କର୍ମୀ ଦେବେନ୍ଦ୍ର ପ୍ରଧାନଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସେଠାରୁ ଦେବେନ୍ଦ୍ରଙ୍କ ମରଶରୀରକୁ ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନକୁ ନିଆଯିବ । ସେଠାରେ ସାଧାରଣ ଜନତା ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର ଦର୍ଶନ କରିବେ । ଏହାପରେ ଆସନ୍ତାକାଲି ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।


ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତିମ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ଫୋନ୍ ଯୋଗେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଥା ହୋଇଛନ୍ତି ।


ଡାକ୍ତରୀ ପେସାରୁ ରାଜନୀତିକୁ ଆସି ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର ପରିବହନ ମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର ପ୍ରଧାନ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ଵ ମଧ୍ୟ ତୁଲାଇ ଥିଲେ । ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଏନ୍‌ଡିଏ ନେତୃତ୍ଵାଧିନ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଦେବେନ୍ଦ୍ର ପ୍ରଧାନ ପରିବହନ ଓ କୃଷି ମନ୍ତ୍ରୀ ରହିଥିଲେ । ରାଜନୀତିକୁ ଆସିବା ପୂର୍ବରୁ ପେସାରେ ଡାକ୍ତର ଥିଲେ ଦେବେନ୍ଦ୍ର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଟକ ଏସ୍‌ସିବି ମେଡିକାଲ୍ କଲେଜରୁ ଏମ୍‌ବିବିଏସ୍ ପାସ୍ କରିବା ପରେ ତାଳଚେର ଡେରାରେ ଅତିରିକ୍ତ ମେଡିକାଲ୍ ଅଫିସର ଭାବେ ୧୯୬୭ରେ ଚାକିରି ଆରମ୍ଭ କରିଥିଲେ । ୧୯୭୩ରେ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇ ଘରୋଇ ଭାବେ ସେବା ଯୋଗାଇ ଆସୁଥିଲେ । ଏହା ପରେ ୧୯୮୦ରେ ରାଜନୀତିକୁ ଆସନ୍ତି ଡକ୍ଟର ଦେବେନ୍ଦ୍ର ପ୍ରଧାନ । ବିଜେପିରେ ଯୋଗ ଦେବା ସହ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ପାଲଟନ୍ତି ବିଜେପିର ବଡ଼ ଚେହେରା । ପ୍ରଥମ ବ୍ଲକ ସଭାପତି ଦାୟିତ୍ଵ ମିଳେ ।


ଏହା ପରେ ୧୯୮୩ରୁ ୧୯୮୫ ଓ ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ଦାୟିତ୍ଵ ତୁଲାନ୍ତି । ୧୯୮୮ରେ ହୁଅନ୍ତି ରାଜ୍ୟ ବିଜେପି ସଭାପତି । ୧୯୯୦ରେ ପୁଣି ରାଜ୍ୟ ସଭାପତି ଭାବେ ପୁନଃ ନିର୍ବାଚିତ ହୁଅନ୍ତି । ତା ପରେ ୧୯୯୫ରୁ ୧୯୯୭ ଯାଏଁ ପୁନଃଶ୍ଚ ମିଳେ ରାଜ୍ୟ ବିଜେପି ସଭାପତି ପଦ ।


୧୯୯୮ରେ ଦେବଗଡ଼ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ପ୍ରଥମଥର ଲୋକସଭାକୁ ନିର୍ବାଚିତ ହେବା ସହ ବାଜପେୟୀ ସରକାରରେ ହୋଇଥିଲେ କେନ୍ଦ୍ର ରାଷ୍ଟ୍ର ପରିବହନ ମନ୍ତ୍ରୀ । ପୁଣି ଥରେ ୧୯୯୯ରେ ଦେବେନ୍ଦ୍ର ଲୋକସଭାକୁ ନିର୍ବାଚିତ ହୁଅନ୍ତି । ତାଙ୍କୁ ପୁଣି ଥରେ ପରିବହନ ସହ କୃଷି ବିଭାଗ ମିଳେ । ୧୯୯୯ରୁ ୨୦୦୧ ମସିହା ପର୍ଯ୍ୟନ୍ତ ସେ ଦୁଇ ବିଭାଗର ଦାୟିତ୍ଵ ତୁଲାନ୍ତି । ଏହା ପରେ ୨୦୦୧ରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିଯୁକ୍ତ ହୋଇଥିଲେ ଡକ୍ଟର ଦେବେନ୍ଦ୍ର ପ୍ରଧାନ ।


Sponsored
Mortal Of Debendra Pradhan To Reach Bhubaneswar In Evening | Argus News