Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ସମ୍ବଲପୁରରେ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ସହ ଯୁବଶକ୍ତିଙ୍କ ପ୍ରତିଭାର ଭଣ୍ଡାର ଅଛି

Odisha

ସମ୍ବଲପୁରରେ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ସହ ଯୁବଶକ୍ତିଙ୍କ ପ୍ରତିଭାର ଭଣ୍ଡାର ଅଛି

Smruti Parija
Browse all articles by Smruti Parija
·2 years ago·4 min read
ସମ୍ବଲପୁରରେ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ସହ ଯୁବଶକ୍ତିଙ୍କ ପ୍ରତିଭାର ଭଣ୍ଡାର ଅଛି

Key Points

•    ଅନୁଗୋଳରେ ‘ସେଣ୍ଟର ଅଫ୍ ମ୍ୟାନେଜମେଣ୍ଟ୍ ଏଜ୍ୟୁକେସନ’ ସ୍ଥାପନା ପାଇଁ ଆଇଆଇଏମ ସମ୍ବଲପୁର ଓ ଆଇଆଇଏମ ମୁମ୍ବାଇ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ
•    ଆଇଆଇଏମ ସମ୍ବଲପୁର ପରିସରରେ ୨୦୩୬ ସୁଦ୍ଧା ୧୦୦ଟି ଷ୍ଟାର୍ଟଅପ୍ ପାଇଁ ପଦକ୍ଷେପ, ପ୍ରତ୍ୟେକ ଷ୍ଟାର୍ଟଅପର ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା କରିବାର ଯୋଜନା
•    ଆଇଆଇଏମ ସମ୍ବଲପୁର ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ, ରଙ୍ଗବତୀ ଗୀତ ଭାବାବେଗର ପ୍ରତୀକ ଏବଂ ୧୦୦ କ୍ୟୁବ୍ ଷ୍ଟାର୍ଟଅପ ନବସୃଜନ, ସୃଜନଶୀଳତା, ଉଦ୍ୟମିତା ସଂସ୍କୃତିର ପ୍ରତୀକ 
•    ସମ୍ବଲପୁରରେ ଅନେକ ଦର୍ଶନୀୟ ସ୍ଥାନ ଅଛି, ଯାହାକୁ ଇତିହାସ ବିଭାଗର ଛାତ୍ରଛାତ୍ରୀମାନେ ଷ୍ଟୋରି ଟେଲିଂ ଆକାରରେ ଷ୍ଟାର୍ଟଅପ୍ ଆକାରରେ ବିକଶିତ କରିପାରିବେ
•    ସମ୍ବଲପୁରରେ ହୀରାକୁଦ ବନ୍ଧ, ସ୍ଥାନୀୟ ଉତ୍ପାଦ, ଖାଦ୍ୟ ପଦାର୍ଥ ଷ୍ଟାର୍ଟଅପ୍ ଆଇଡିଆର ଅଂଶବିଶେଷ
•    ସମ୍ବଲପୁରରେ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ସହ ଯୁବଶକ୍ତିଙ୍କ ପ୍ରତିଭାର ଭଣ୍ଡାର ଅଛି 
•    ଭାରତର ପ୍ରତିଭା, ଜ୍ଞାନ ଏବଂ ଯୁବଶକ୍ତି ପୁଞ୍ଜିର ଉପଯୋଗ କରି ନୂଆ ଦୁନିଆ ବନାଇବା
•    ମନ୍ କି ବାତରେ ପ୍ରଶଂସିତ କଳାହାଣ୍ଡିର ଯୁବ ଉଦ୍ୟମୀ ଦମ୍ପତ୍ତି ଜୟନ୍ତୀ ମହାପାତ୍ରଙ୍କ ଗୋଟ୍ ବ୍ୟାଙ୍କ୍ କଥା କହିଲେ କେନ୍ଦ୍ରମନ୍ତ୍ରୀ 
•    କନକ୍ଲେଭରେ ଯୋଗଦେଲେ ବଜାଜ ଫିନସର୍ଭର ସିଏମଡି ସଞ୍ଜୀବ ବଜାଜ, କୋଲ ଇଣ୍ଡିଆର ଏମଡି ପିଏମ୍ ପ୍ରସାଦ, ସେଲର ସିଏମଡି ଅମରେନ୍ଦୁ ପ୍ରକାଶ, ନାଲକୋ ଏମଡି ଶ୍ରୀଧର ପାତ୍ରଙ୍କ ସମେତ ଷ୍ଟାର୍ଟଅପ୍ ସମୂହର ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ପରାମର୍ଶଦାତା  
 

ସମ୍ବଲପୁର: ଓଡ଼ିଶାର ଯୁବକଙ୍କ ମଧ୍ୟରେ ନୂଆ ସ୍ପିରିଟ୍ ତିଆରି ହୋଇଛି । ସେହି ସ୍ପିରିଟକୁ ଗତି ଦେବା ତଥା ରାଜ୍ୟରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରାଇବା ଦିଗରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପ ଏକ ଭାବାବେଗ ଓ ବ୍ୟାପକ ଜନଆନ୍ଦୋଳନ ବୋଲି ଶୁକ୍ରବାର ଆଇଆଇଏମ ସମ୍ବଲପୁରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଏହି ମହତ୍ୱକାଂକ୍ଷୀ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ସହ ଆଇଆଇଏମ ସମ୍ବଲପୁରରେ ଇନକୁବେଟର ହବ୍(ଆଇ-ହବ୍)ର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ଏହି ସମୟ ସୀମା ମଧ୍ୟରେ ସମାଜର ସବୁ ଲୋକଙ୍କୁ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ କରିବାକୁ ହେବ । ଆମ ଦେଶ ଜ୍ଞାନ ଆଧାରିତ ଅର୍ଥନୀତି ଦିଗରେ ଅଗ୍ରସର ହେଉଥିବା ବେଳେ ନୂଆପିଢିର ପିଲାମାନଙ୍କୁ ଆଧୁନିକ ଦୁନିଆ ସହ ରୋଜଗାର ଦେବା ପାଇଁ ଏବେଠାରୁ ପ୍ରସ୍ତୁତ କରାଇବାକୁ ହେବ । ସେମାନଙ୍କୁ ନିଯୁକ୍ତି କରିବା ନୁହେଁ ବରଂ ନିଯୁକ୍ତିଦାତା କରାଇବା ପାଇଁ କର୍ତ୍ତବ୍ୟ କରିବାକୁ ହେବ । ୧୦୦ କ୍ୟୁବ୍ ତନ୍ମଧ୍ୟରୁ ଗୋଟିଏ କର୍ତ୍ତବ୍ୟ । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ଶତାବର୍ଷିକୀ ପାଳନ କରିବା ବେଳେ ସ୍ଥାପନା ହେବାକୁ ଥିବା ୧୦୦ଟି ଷ୍ଟାର୍ଟଅପର ପ୍ରତ୍ୟେକ ଷ୍ଟାର୍ଟଅପର ମୂଲ୍ୟ ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା ହେବ । ଆଇଆଇଟି ଭୁବନେଶ୍ୱରରେ ରିସର୍ଚ୍ଚ ପାର୍କ ଭଳି ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟ ଅପ୍ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଓଡ଼ିଶାରେ ରୋଜଗାର ସୃଷ୍ଟି କରାଇବା ପାଇଁ, ଯୁବକଙ୍କୁ ଆତ୍ମନିର୍ଭର କରିବା ପାଇଁ ଏବଂ ଓଡ଼ିଆ ସମ୍ପନ୍ନତାକୁ ପୁଣି ଥରେ ପୁନର୍ଜୀବିତ କରିବା ପାଇଁ ପଡ଼ିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଇଆଇଏମ ସମ୍ବଲପୁର ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଏବଂ ରଙ୍ଗବତୀ ଗୀତ ଭାବାବେଗର ପ୍ରତୀକ । ୧୦୦ କ୍ୟୁବ୍ ଷ୍ଟାର୍ଟଅପ ନବସୃଜନ ସୃଜନଶୀଳତା, ଉଦ୍ୟମିତା ସଂସ୍କୃତିର ପ୍ରତୀକ । ସମ୍ବଲପୁରରେ ଆଇଆଇଏମ ସମ୍ବଲପୁର ସମେତ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଭଳି ଜାତୀୟ ସ୍ତରର ଅନୁଷ୍ଠାନ ସ୍ଥାପନା ହୋଇଛି । ଏଠାକାର ଛାତ୍ରଛାତ୍ରୀ ଏବଂ ପ୍ରଧ୍ୟାପକଙ୍କ ମଧ୍ୟରେ ଭରପୁର ପ୍ରତିଭା ଅଛି ।  ଓ୍ୱେଲଥ କ୍ରିଏଟର ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଓ୍ୱେଲଥ କ୍ରିଏଟର ହେଲେ ହିଁ ଅଧିକ ନିଯୁକ୍ତି, ଆର୍ଥିକ ସୁଯୋଗ ଉପଲବ୍ଧ ହେବା ସହ ସମାଜର ଅନ୍ତିମ ଶ୍ରେଣୀର ଲୋକମାନେ ସମ୍ପନ୍ନ ହେବେ । ଆଗାମୀ ଦିନରେ ନୂଆପିଢିର ଓଡ଼ିଆ ପିଲାମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ବଢାଇବା ଦରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଆହୁରି କହିଛନ୍ତି ଯେ ବିଶ୍ୱର ଅନେକ ରାଷ୍ଟ୍ର ଭାରତକୁ ଉତ୍ସୁକତାର ସହକାରେ ଦେଖୁଛି । ଭାରତ ପୂର୍ବରୁ ଏକ ଜ୍ଞାନଭିତ୍ତିକ ସମାଜ ଭାବରେ ରହିଆସିଛି । ହଜାର ହଜାର ବର୍ଷ ପୂର୍ବରୁ ଆଧୁନିକ ଜୀବନଶୈଳୀର କଳ୍ପନା ଆମେ ହିଁ କରିଥିଲେ । ୮ ହଜାର ବର୍ଷ ପୂର୍ବରୁ ବେଦ ତତ୍ତ୍ୱ ଅଛି । ଉଜ୍ଜୟିନୀର ପାଠଶାଳାରେ ୩୦୦ ବର୍ଷ ପୂର୍ବରୁ ଓଡ଼ିଆ ଲିପିରେ ସଂସ୍କୃତ ଭାଷାରେ ଋଗ୍ ବେଦର କଥା ରହିଛି । ଏହା ଆମ ସଭ୍ୟତାର ଜ୍ଞାନ ଗଭୀରତାର ପ୍ରମାଣ ଦେଉଛି । ଏହାକୁ ଅନୁମେୟ କଲେ ସମ୍ବଲପୁରରେ ଅନେକ ଦର୍ଶନୀୟ ସ୍ଥାନ ଅଛି, ଯାହାକୁ ଇତିହାସ ବିଭାଗର ପିଲାମାନେ ଷ୍ଟୋରୀ ଟେଲିଂ ଆକାରରେ ଷ୍ଟାର୍ଟଅପ୍ ଆକାରରେ ବିକଶିତ କରିପାରିବେ । ଏହା ଆଗାମୀ ଦିନରେ ବଡ ବ୍ୟବସାୟର ରୂପ ନେଇପାରିବ ।  ସମ୍ବଲପୁରରେ ହୀରାକୁଦ ବନ୍ଧ, ସ୍ଥାନୀୟ ଉତ୍ପାଦ, ଖାଦ୍ୟ ପଦାର୍ଥ ମଧ୍ୟ ଏକ ଷ୍ଟାର୍ଟଅପ ଆଇଡିଆର ଅଂଶବିଶେଷ । ଏହାକୁ ଆର୍ଥିକ ଆକାରରେ କ୍ରିୟାନ୍ୱୟନ କରିବା ପାଇଁ ଆଜିର କାର୍ଯ୍ୟକ୍ରମ ସେ ଦିଗରେ ଗୋଟିଏ ବଡ ପଦକ୍ଷେପ ।  ସେ ଆହୁରି କହିଥିଲେ ଭାରତ ଯୁବବର୍ଗର ଦେଶ ।  ଭାରତର ପ୍ରଥମ ପୁଞ୍ଜି  ହେଉଛି ପ୍ରତିଭା, ଜ୍ଞାନ ଏବଂ ଯୁବଶକ୍ତି । ଏହାର ଉପଯୋଗ କରି ନୂଆ ଦୁନିଆ ବନାଇବା ଦରକାର । 
ଏହି ଅବସରରେ ଶ୍ରୀ ପ୍ରଧାନ ଭାରତରେ ଷ୍ଟେମ୍ ଶିକ୍ଷାରେ ଅଧିକାଂଶ ଛାତ୍ରୀଙ୍କ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ । ମନ୍ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କଳାହାଣ୍ଡିର ଯୁବ ଉଦ୍ୟମୀ ଦମ୍ପତ୍ତି ଜୟନ୍ତୀ ମହାପାତ୍ରଙ୍କୁ ପ୍ରଂଶସା କରିଥିଲେ । ସେ କହିଥିଲେ  ଛେଳିପାଳନକୁ ପ୍ରୋତ୍ସାହନ ଦେବା ଦିଗରେ ଜୟନ୍ତୀ ଓ ତାଙ୍କ ସ୍ୱାମୀ ମାଣିକାସ୍ତୁ ଏଗ୍ରି ଏବଂ ମାଣିକାସ୍ତୁ ଗୋଟ୍ ବ୍ୟାଙ୍କ୍ ସ୍ଥାପନ କରି ଛେଳି ପାଳନକୁ ଅତ୍ୟାଧୁନିକ ପଦ୍ଧତିରେ ଆଗକୁ ନେଇ ୧୦୦୦ ଲୋକଙ୍କୁ ଧନୀ ହେବା କାମ କରୁଛନ୍ତି । ଏହି ଉଦ୍ୟମ ପ୍ରଶଂସନୀୟ । 

ଏହି କନକ୍ଲେଭରେରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଗୋଳରେ ସେଣ୍ଟର ଅଫ୍ ମ୍ୟାନେଜମେଣ୍ଟ୍ ଏଜ୍ୟୁକେସନ ସ୍ଥାପନା ପାଇଁ ଆଇଆଇଏମ ସମ୍ବଲପୁର ଓ ଆଇଆଇଏମ ମୁମ୍ବାଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (ଏମଓୟୁ) ସହ ଅନ୍ୟାନ୍ୟ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହି କନକ୍ଲେଭରେ ବଜାଜ ଫିନସର୍ଭର ସିଏମଡି ସଞ୍ଜୀବ ବଜାଜ, କୋଲ ଇଣ୍ଡିଆର ଏମଡି ପିଏମ୍ ପ୍ରସାଦ, ସେଲର ସିଏମଡି ଅମରେନ୍ଦୁ ପ୍ରକାଶ, ନାଲକୋ ଏମଡି ଶ୍ରୀଧର ପାତ୍ର  ଉପସ୍ଥିତ ଥିଲେ । ଏହାସହ ଓଡ଼ିଶା ସମେତ ଦେଶର ଷ୍ଟାର୍ଟଅପ୍ ସମୂହର ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ପରାମର୍ଶଦାତା ଓ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦେଇଥିଲେ । ଏହି ଅବସରରେ ଆଇଆଇଏମ ସମ୍ବଲପୁର ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା ।

Argus Whatsapp Channel Mobile Top
Sponsored
mou-sign-between-iim-sambalpur-and-iim-mumbai | Argus News