ନବ ଦାସ ହତ୍ୟା ମାମଲା, ଆଉ ପାଦେ ବଢ଼ିଲା କ୍ରାଇମବ୍ରାଞ୍ଚ

ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି । ଯିଏ ବନ୍ଧୁକ ଛଡ଼ାଇଥିଲା ତାକୁ ଜେରା କରିଛି ପୋଲିସ । ବ୍ରଜରାଜନଗର ଥାନାକୁ ଯାଇ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ସରୋଜ ସା’ ନାମକ ଜଣେ ଯୁବକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସରୋଜ। ତତ୍କାଳୀନ ଆଇଆଇସିଙ୍କ ବନ୍ଧୁକ ଛଡ଼ାଇ ଆଣିଥିଲେ ସରୋଜ। ତେବେ ଆଜି ତାଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ବ୍ରଜରାଜନଗର ଥାନାରେ ପହଞ୍ଚି ସରୋଜ ସା'ଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ।
ଥାନା ଭିତରେ ଅଢେଇ ଘଣ୍ଟାରୁ ଅଧିକ ସମୟ ଧରି ସରୋଜ ସା'ଙ୍କର ହେଲା ବୟାନ ରେକର୍ଡ । ଗୁଳିକାଣ୍ଡ ଦିନ ନବ ଦାସ ଗାନ୍ଧି ଛକରେ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ଫୁଳମାଳ ପିନ୍ଧାଇଥିଲେ ସରୋଜ । ତେବେ ୪ ଦିନର ତଦନ୍ତ ପ୍ରକ୍ରିୟାରେ ୧୨ ଜଣଙ୍କ ୧୬୧ ବୟାନ ରେକର୍ଡ କରି ସାରିଛି କ୍ରାଇମବ୍ରାଞ୍ଚ୍ । ବ୍ରଜରାଜନଗର ଥାନା ପରେ ଏବେ ଓରିଏଣ୍ଟ ଥାନା ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମ୍ବ୍ରାଞ୍ଚ। ସାକ୍ଷୀ ଜୀବନ ନାୟକଙ୍କୁ ଓରିଏଣ୍ଟ ଥାନାରେ କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି।
ସେପଟେ ଗତକାଲି ସଦର ମେଡିକାଲରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ରେଡିଓଗ୍ରାଫର୍ ସସ୍ମିତା ବାଗଙ୍କ ୧୬୧ ବୟାନ ରେକର୍ଡ କରିଥିଲେ। ନବଙ୍କୁ ଗୁଳି ବାଜିବା ପରେ ଏହି ମେଡିକାଲକୁ ଅଣାଯାଇଥିଲା ଏବଂ ସସ୍ମିତା ନବଙ୍କ ଇସିଜି ପରୀକ୍ଷା କରିଥିଲେ। ସେପଟେ ନବଙ୍କ ଇସିଜି ରିପୋର୍ଟର ଏବେ ବି ପତ୍ତା ମିଳୁନି।
ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ୩ ଘଣ୍ଟା ଧରି ତଦନ୍ତ କରିଥିଲା । ଏହି ସମୟରେ ଏୟାରପୋର୍ଟ ନିର୍ଦ୍ଦେଶକ, ଚିଫ୍ ସିକ୍ୟୁରିଟି ଅଫିସର୍ ଓ ଟର୍ମିନାଲ ମ୍ୟାନେଜରଙ୍କୁ ପଚରାଉଚରା କରିବା ସହ ସେମାନଙ୍କର ୧୬୧ରେ ବୟାନ ରେକର୍ଡ କରାଯାଇଛି । ଘଟଣା ଦିନ ଏୟାର ଆମ୍ବୁଲାନ୍ସ କେଉଁ ସମୟରେ ପହଞ୍ଚିଥିଲା ଏବଂ କେତେବେଳେ ଉଡ଼ିଥିଲା, ସେଥିରେ କେଉଁମାନେ ଯାଇଥିଲେ, ତା’ର ସମ୍ପୂର୍ଣ୍ଣ ତଥ୍ୟ ଉପରେ ଖୋଳତାଡ କରିଥିବା ମଧ୍ୟ ସୂଚନା ମିଳିଛି ।