କେମିତି ବଦଳିଲା ସାକ୍ଷୀଙ୍କ ସାର୍ଟ ରଙ୍ଗ ? ଗୋପାଳକୁ ଖସାଇବାକୁ ହୋଇଛି କି ଷଡ଼ଯନ୍ତ୍ର ?

Key Points
ନବଙ୍କୁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ
ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବଦଳି ଯାଇଛି
ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନଥିଲା
ଝାରସୁଗୁଡ଼ା: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ପୁଣି ଚାଞ୍ଚଲ୍ୟକର ତଥ୍ୟ । କେବଳ ଗୋପାଳ ନୁହେଁ ଏକାଧିକ ବନ୍ଧୁକରୁ ନବଙ୍କୁ ଗୁଳି କରାଯାଇଥିବା ଜଣାପଡ଼ିବା ପରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରପର୍ଟି ସିଜର ଲିଷ୍ଟରେ ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବଦଳି ଯାଇଛି । ପୂର୍ବରୁ ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନଥିଲା । ଏବେ ପୁଣି ସାକ୍ଷୀଙ୍କ ସାର୍ଟ ରଙ୍ଗ ବଦଳି ଯିବାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।
ଏହା କ୍ରାଇମ୍ବ୍ରାଞ୍ଚର ଖାମଖିଆଲି ମନୋଭାବ ନା ଅଭିଯୁକ୍ତ ଗୋପାଳ ଦାସକୁ ଖସାଇବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ତାକୁ ନେଇ ପ୍ରଶ୍ନ ଉଠିଛି । ନବଙ୍କୁ ଗୁଳିମାଡ଼ ବେଳେ ଘଟଣାସ୍ଥଳ ଗାନ୍ଧୀଛକରେ ବିଜେଡି କର୍ମୀ ଶୁଭେନ୍ଦୁ ପଟ୍ଟନାୟକ ଉପସ୍ଥିତ ଥିଲେ । ନବ ଦାସଙ୍କୁ ଗୁଳିମାଡ଼ ପରେ ସେ କାରର ସାମ୍ନା ସିଟ୍ରେ ଟଳି ପଡ଼ିଥିଲେ । ନବ ଦାସଙ୍କୁ ପଛରୁ ଧରି କାର ସିଟ୍ରେ ଶୁଆଇ ଦେଇଥିଲେ ଶୁଭେନ୍ଦୁ ।
ସେତେବେଳେ ଶୁଭେନ୍ଦୁ ପଟ୍ଟନାୟକ ପିନ୍ଧିଥିବା ହଳଦିଆ ରଙ୍ଗର ସାର୍ଟରେ ରକ୍ତ ଲାଗି ଯାଇଥିଲା । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସିଆର୍ପିସି ଧାରା-୧୬୧ ଅନୁସାରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ଶୁଭେନ୍ଦୁ ତାଙ୍କର ରକ୍ତ ଲଗା ହଳଦିଆ ରଙ୍ଗର ସାର୍ଟକୁ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରିଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ସାକ୍ଷ୍ୟଙ୍କ ଉପସ୍ଥିତିରେ ତାହା ଜବତ କରିଥିଲେ । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ପ୍ରପର୍ଟି ସିଜର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା।
📱 Get Argus News App
✨ତାଲିକାକୁ ଖୋଦ୍ କ୍ରାଇମ୍ବ୍ରାଞ୍ଚର ଅଧିକାରୀମାନେ ହିଁ ପୂରଣ କରିଥିଲେ । ଯେଉଁଥିରେ ଶୁଭେନ୍ଦୁ ପଟ୍ଟନାୟକଙ୍କର ରକ୍ତ ଲଗା ହଳଦିଆ ରଙ୍ଗର ହାଫ ସାର୍ଟ ଜବତ କରାଯାଇଥିବା ବେଳେ ରସାୟନିକ ପରୀକ୍ଷା ପାଇଁ ପଠାଯିବ ବୋଲି ଉଲ୍ଳେଖ କରାଯାଇଥିଲା ।
ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ହୋଇଥିବା ଭିଡିଓ ଗୁଡ଼ିକରେ ମଧ୍ୟ ଶୁଭେନ୍ଦୁ ପଟ୍ଟନାୟକ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବା ତଥା ସେଥିରେ ରକ୍ତ ଲାଗିଥିବାର ଚିତ୍ର ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ କ୍ରାଇମ୍ବ୍ରାଞ୍ଚ ସିଆର୍ପିସି ୧୬୧ ବୟାନ୍ ରେକର୍ଡ ସମୟରେ କାହିଁକି ସାର୍ଟର ରଙ୍ଗ ବଦଳାଇ ଦେଇଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।