ନବ ଦାସଙ୍କ ରୋଷେୟା ଲଳିତ ମୃତ୍ୟୁ ମାମଲାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ

ନବ ଦାସଙ୍କ ରୋଷେୟା ଲଲିତ ସାହୁ ମୃତ୍ୟୁ ମାମଲା । ଡାଟା ଏଣ୍ଟ୍ରି ଅପରେଟର ବିକାଶ ମହେଶ୍ବରକୁ ଥାନା ଡକାଇ ଚାଲିଛି ପଚରାଉଚରା । ସ୍ବର୍ଗତଃ ନବ ଦାସଙ୍କ ବାସଭବନରେ କମ୍ପୁଟର ଡାଟା ଏଣ୍ଟ୍ରି ଅପ୍ରେଟର କାମ କରୁଥିବା ବିକାଶ ମହେଶ୍ବରକୁ ଝାରସୁଗୁଡ଼ା ଥାନାରେ ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ପଚରାଉଚରା ।
ଅତିରିକ୍ତ ଏସପି, ଏସଡ଼ିପିଓ, ଟାଉନ ଥାନା ଅଧିକାରୀ ମିଳିତ ଭାବେ କରୁଛନ୍ତି ତଦନ୍ତ । ଲଗାତାର ଭାବେ କିଛିଦିନ ପୂର୍ବରୁ ପ୍ରଥମେ ସାକ୍ଷୀ ହେମସାଗର ନାୟକ, ଦ୍ଵିତୀୟ ସାକ୍ଷୀ ମନୁ ପ୍ରସାଦକୁ ଝାରସୁଗୁଡ଼ା ଟାଉନ ଥାନାକୁ ଡାକି କରାଯାଇଛି ମାରାଥନ ପଚରାଉଚରା । କେମିତି ହେଲା ନବଙ୍କ ରୋଷେୟା ଲଲିତଙ୍କ ମୃତ୍ୟୁ, କେଉଁ ପରିସ୍ଥିତିରେ ମିଳିଲା ଲଲିତଙ୍କ ଝୁଲନ୍ତା ମୃତଦେହ । ଆତ୍ମହତ୍ୟା ନା ହତ୍ୟା ? ଏସବୁ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବା ପାଇଁ ଝାରସୁଗୁଡା ପୋଲିସ କରୁଛି ତନାଘନା ।
୨୦୨୨ରେ ନବଙ୍କ ରୋଷେୟା ଲଲିତଙ୍କର ଝାରସୁଗୁଡାସ୍ଥିତ ନବ ଦାସଙ୍କ ବାସଭବନରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପୋଲିସ ଆତ୍ମହତ୍ୟାର ରୂପ ଦେଇଥିଲେ ବି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିଲା । ଏପରିକି ଏହି ଷଡଯନ୍ତ୍ର ପଛରେ ତତ୍କାଳୀନ ଜିଲ୍ଲାପାଳ, ଏସପି, ସିଡିଏମଓ, ଏଡିଏମଓ, ଆଇଆଇସି ଓ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ସମ୍ପୃକ୍ତି ଥିବାର ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଥିଲା । ରାତି ଅଧିଆ କାହିଁକି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଦେଲା ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କେବଳ ସେତିକି ନୁହେଁ ପରବର୍ତ୍ତୀ ଅବସ୍ଥାରେ ଲଲିତଙ୍କ ଭିସେରା ଚୋରି ହେଇଯିବା... ସନ୍ଦେହକୁ ଆହୁରି ବଢାଇଥିଲା ।