Odisha News / ଆଖି ବୁଜିଲା ନନ୍ଦନକାନନର ମହାବଳ ବାଘ ‘ସେଫ୍’, ୧୬ ବର୍ଷ ବୟସରେ ଗଲା ଜୀବନ

Key Points
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ମହାବଳ ବାଘର ମୃ*ତ୍ୟୁ
ବାର୍ଦ୍ଧକ୍ୟ କାରଣରୁ ମୃ*ତ୍ୟୁ ହୋଇଥିବା ସୂଚନା
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଛି ଏକ ଦୁଃଖଦ ଖବର । ଆଖି ବୁଜିଛି ନନ୍ଦନକାନନର ମହାବଳ ବାଘ ‘ସେଫ୍’ । ବାର୍ଦ୍ଧକ୍ୟଜନିତ କାରଣରୁ ୧୬ ବର୍ଷ ବୟସରେ ତା’ର ଜୀବନ ଯାଇଥିବା ସୂଚନା ମିଳିଛି । ବାଘଟିର ମୃତ୍ୟୁ ଖବର ପରେ ପ୍ରାଣୀ ଉଦ୍ୟାନରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ, ସେଫ୍ ଗତ ଅକ୍ଟୋବର ମାସରୁ ଅସୁସ୍ଥ ଥିବାରୁ ତା’ର ଚିକିତ୍ସା ଚାଲିଥିଲା । ବୟସ ବଢ଼ିବା ସହ ତା’ର ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଥିଲା । ବିଶେଷକରି ତା’ର ଦାନ୍ତ ଦୁର୍ବଳ ହୋଇଯାଇଥିବାରୁ ସେ ପୂର୍ବଭଳି ମାଂସ ଚୋବାଇ ଖାଇବାକୁ ସକ୍ଷମ ହେଉନଥିଲା । ଏଥିପାଇଁ ତାକୁ ଖାଦ୍ୟ ଭାବେ ଅଣ୍ଡା ଭାଙ୍ଗି ଦିଆଯାଉଥିଲା ।
ତେବେ ଦିନକୁ ଦିନ ସେଫ୍ର ଖାଦ୍ୟ ଗ୍ରହଣ କରିବା ପରିମାଣ କମିବାରେ ଲାଗିଥିଲା । ଶେଷରେ ଗତ ଦୁଇ ଦିନ ଧରି ସେ ସମ୍ପୂର୍ଣ୍ଣ ଭାବେ ଖାଦ୍ୟ ଖାଇବା ବନ୍ଦ କରିଦେଇଥିଲା । ଖାଦ୍ୟ ନ ଖାଇବା ଯୋଗୁଁ ସେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା । ଏପରିକି ତା’ର ଆଖି ଭିତରକୁ ପଶିଯାଇଥିବା ଦେଖିବାକୁ ମିଳିଥିଲା ।
ସେଫ୍ର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ପ୍ରାଣୀ ଚିକିତ୍ସକଙ୍କ ପକ୍ଷରୁ ତାକୁ ସାଲାଇନ୍ ଦିଆଯାଇ ଚିକିତ୍ସା କରାଯାଉଥିଲା । ତାକୁ ସୁସ୍ଥ କରିବା ପାଇଁ ସମସ୍ତ ଉଦ୍ୟମ ସତ୍ତ୍ୱେ ଶେଷରେ ତା’ର ଜୀବନ ରକ୍ଷା କରାଯାଇପାରିନଥିଲା ।
ଜୀବନ ଯିବା ପରେ ସେଫ୍ର ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ପରେ ନିୟମ ଅନୁଯାୟୀ ତା’ର ମୃତଦେହକୁ ପୋଡ଼ି ଦିଆଯାଇଛି । ନନ୍ଦନକାନନର ଏହି ମହାବଳ ବାଘର ଜୀବନ ଯିବା ପ୍ରାଣୀପ୍ରେମୀଙ୍କୁ ଦୁଃଖିତ କରିଛି ।
ଏଥି ସହ ପଢନ୍ତୁ : କଟକ ପୁରୀଘାଟରେ ରକ୍ତାକ୍ତ ସଂଘର୍ଷ... ଘଟଣାରେ ୧୦ରୁ ଅଧିକ ବ୍ୟକ୍ତି ଅଟକ
📱 Get Argus News App
✨Related Topics
Explore more stories