ଅବ୍ୟବସ୍ଥା ଘେରରେ ନାନ୍ଦୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

Key Points
ଶ୍ରେଣୀ ଗୃହ ମାନଙ୍କରେ ଲହଡି ମାରୁଛି ବର୍ଷା ଜଳ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୯୭ ଜଣ ଛାତ୍ରଛାତ୍ରୀ ଥିଲେ
ଏହାସହ ୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି
କଳାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ସ୍କୁଲ ମଧ୍ୟରେ ନାନ୍ଦୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ୟତମ ଅଟେ । ହେଲେ ଏହି ପୁରାତନ ବିଦ୍ୟାଳୟକୁ ଶିକ୍ଷା ବିଭାଗ ଅଣଦେଖା କରୁଛି । ଯାହା ଫଳରେ ଅବ୍ୟବସ୍ଥା ଘେରରେ ଚାଲିଛି ଏହି ବିଦ୍ୟାଳୟ । ଶ୍ରେଣୀ ଗୃହ ମାନଙ୍କରେ ଲହଡି ମାରୁଛି ବର୍ଷା ଜଳ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୦୪ ମସିହାରେ ନିର୍ମାଣ ହୋଇଥିଲା । ବର୍ତ୍ତମାନ ବିଦ୍ୟାଳୟ ୧୨୧ ବର୍ଷରେ ପଦାର୍ପଣ କରିଛି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୯୭ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି।ସ୍କୁଲରେ ଶ୍ରେଣୀ ଗୃହ ଅଭାବ ଥିବା ଯୋଗୁଁ ଗୋଟିଏ କୋଠରିରେ ଦୁଇଟି ଲେଖାଏଁ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।
ବର୍ତ୍ତମାନ ଶ୍ରେଣୀ ଗୃହ ମାନଙ୍କରେ କେଉଁଠି ଛାତ ପଡୁଛି ତ କେଉଁଠି ଲୁହା ଛଡ଼ ଦେଖା ଗଲାଣି । କେତେବେଳେ କାହା ଉପରେ ପଡିବ ତାହା ଭଗବାନଙ୍କୁ ହିଁ ଜଣା । ବର୍ତ୍ତମାନ ଲଘୁଚାପଜନିତ ବର୍ଷା ଯୋଗୁଁ ସ୍କୁଲ ପରିସର ବେହାଲ ଅବସ୍ଥାରେ ଅଛି। ଗୋଟିଏ ପଟେ ଛାତରୁ ପାଣି ଗଳୁଥିବା ବେଳେ ଅନ୍ୟପଟେ ଶ୍ରେଣୀ ଗୃହ ଓ ଅଫିସ କାର୍ଯ୍ୟାଳୟ ରାସ୍ତାରେ ପାଣି ପଶି ଯାଇଛି। ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନାନ୍ଦୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୧ ବର୍ଷ ପୂରଣ କରିଛି । ଏହି ବିଦ୍ୟାଳୟ କେତେ ଯେ ମଣିଷ ତିଆରି କରିଛି । କିଏ ଅଧିକାରୀ, କିଏ କର୍ମଚାରୀ ତ ଆଉ କିଏ ରାଜନେତା ହୋଇ ସୁନାମ ଅର୍ଜନ କରିଛନ୍ତି । ହେଲେ ଯାହାଙ୍କ ପାଇଁ ଏହା ସମ୍ଭବ ହେଲା ସେହି ପୁରୁଣା ବିଦ୍ୟାଳୟ ଏବେ ନିଜ ପରିଚୟ ଖୋଜୁଛି । ଶିକ୍ଷା ବିଭାଗ ମଧ୍ୟ ସବୁ ଜାଣି ଚୁପ ପଡିବା ନେଇ ସାଧାରଣରେ ଉଦବେଗ ବିଷୟ ହୋଇଛି । ତୁରନ୍ତ ରାଜ୍ୟ ସରକାର ଏହି ପୁରାତନ ବିଦ୍ୟାଳୟର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହୋଇଛି।