ମାନବ ଚାଲାଣ ଓ ମହିଳା ଚାଲାଣ ଏକ ସମ୍ବେଦନଶୀଳ ପ୍ରସଙ୍ଗ

ପୁରୀ: ଓଡିଶା ସମେତ ସମଗ୍ର ଦେଶରେ ମାନବ ଚାଲାଣ ଓ ମହିଳା ଚାଲାଣ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଅଧିକାଂଶ କ୍ଷେତ୍ରରେ ଟ୍ରେନ ଯୋଗେ ହିଁ ମାନବ ଚାଲାଣ ହୋଇଥାଏ।ଏପରି କ୍ଷେତ୍ରରେ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।ରେଳବାଇ ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବିକାଶ ହେବା ସହ ବ୍ୟାପକ ସଚେତନତା ଆବଶ୍ୟକ। ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ପରେ ଏହା କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା। ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହାତକର ଆଜି ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ଆର୍ଶୀବାଦ ନେଇଛନ୍ତି ।
ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଦର୍ଶନ ପରେ ସଂସ୍କୃତି ଭବନରେ ସେ ମାନବ ଚାଲାଣ ରୋକିବା ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗଦେବେ। ପଶ୍ଚିମ ଓଡିଶା ସମେତ ଭାରତର ବଡ଼ ବଡ଼ ରେଳଷ୍ଟେସନରେ ରେଳବାଇ ଅଧିକାରୀଙ୍କୁ ନେଇ ଏଭଳି ଦକ୍ଷତା ବିକାଶ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଶେଷ କରି ମହିଳା ଚାଲାଣ ,ଶିଶୁ ବିକ୍ରୀ ରୋକିବା ପାଇଁ କମିଶନ କାର୍ଯ୍ୟ କରିବ।ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି।