Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା, ପୂରା ମାମଲାରେ ଗାନ୍ଧି ପରିବାର ସମ୍ପୃକ୍ତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା, ପୂରା ମାମଲାରେ ଗାନ୍ଧି ପରିବାର ସମ୍ପୃକ୍ତ

ଖୋଲୁଛି ଗାନ୍ଧି ପରିବାରର ବିକାଶ ମଡେଲ ବନାମ ଦୁର୍ନୀତିର ପୋଲ୍ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ କୋର୍ଟରେ ଇଡିର ଚାର୍ଜସିଟ୍ ଦାଖଲ । ED ଚାର୍ଜସିଟରେ ରାହୁଲ, ସୋନିଆଙ୍କ ସମେତ ଅନ୍ୟ ଦୁଇ କଂଗ୍ରେସ ନେତାଙ୍କ ନାଁ । ଜାମିନରେ ନେତା, ଇଡି ଚାର୍ଜସିଟ ବିରୋଧରେ ଦେଶବ୍ୟାପୀ କଂଗ୍ରେସର ଧାରଣା । ବିଜେପି କହିଲା, ଚକ୍ରାନ୍ତ କରି ଦେଶର ସମ୍ପତ୍ତି ହଡ଼ପ କରିବା କୌଣସି ରାଜନୈତିକ ଦଳର ଅଧିକାର ନୁହେଁ ।

ପୂରା ମାମଲାରେ ଗାନ୍ଧି ପରିବାରର ସଂପୃକ୍ତିର ପ୍ରମାଣ ସହ ନ୍ୟାସନାଲ ହେରାଲ୍ଡ ମାମଲାରେ ଦୁର୍ନୀତିର ଲମ୍ବା ଚିଠା ଦେଶବାସୀଙ୍କୁ ଦେଖାଇଛନ୍ତି ବିଜେପି ସାଂସଦ ରବି ଶଙ୍କର ପ୍ରସାଦ । ୧୯୩୭ରେ ୫ ହଜାର ସେୟାର ହୋଲ୍ଡରଙ୍କ ଦ୍ବାରା ଆରମ୍ଭ ହୋଇଥିବା ନ୍ୟାସନାଲ ହେରାଲ୍ଡ ଖବରକାଗଜ ପବ୍ଲିସର ଆସୋସିଏଟେଡ ଜର୍ଣ୍ଣାଲ୍ସ ଲିମିଟେଡକୁ ୨୦୦୮ରେ କିଏ ୯୦ କୋଟି ଋଣ ଯୋଗାଇ ଦେଇଥିଲା । ପରେ ଗାନ୍ଧି ପରିବାର ୟଙ୍ଗ୍ ଇଣ୍ଡିଆ କରି ୯୦ କୋଟି ମୂଲ୍ୟର ସମ୍ପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାରେ ହାତେଇ ନେବା ଗାନ୍ଧି ପରିବାରର ବିକାଶ ମଡେଲ କି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ । ଚକ୍ରାନ୍ତ କରି ଦେଶର ସମ୍ପତ୍ତି ହଡ଼ପ କରିବା କୌଣସି ରାଜନୈତିକ ଦଳର ଅଧିକାର ନୁହେଁ ବୋଲି କହି କଂଗ୍ରେସକୁ ଦୃଢ଼ ଜବାବ ଦେଇଛନ୍ତି ରବି ଶଙ୍କର ।

ସେପଟେ ଇଡି ଚାର୍ଜସିଟ ବିରୋଧରେ ଦେଶବ୍ୟାପୀ ଧାରଣା ଦେବା ସହ ସୋନିଆ ଓ ରାହୁଲଙ୍କୁ ନିର୍ଦ୍ଦୋଶ ବୋଲି କହିଛନ୍ତି କଂଗ୍ରେସ ନେତା ଓ କର୍ମୀ । ସୋନିଆ-ରାହୁଲଙ୍କ ନାଁରେ ଇଡି ଚାର୍ଜସିଟକୁ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଷଡ଼ଯନ୍ତ୍ର କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

ନ୍ୟାସନାଲ ହେରାଲ୍ଡ ମାମଲାରେ ତିନି ଦିନ ପୂର୍ବରୁ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌରେ ରେଡ କରିଥିଲା ଇଡି । ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡର ଆସୋସିଏଟେଡ କମ୍ପାନୀ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକାନାରେ ଥିବା ୬୬୧ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନ୍ୟାସନାଲ ହେରାଲ୍ଡ ମାମଲା ରାଜନୈତିକ ନୁହେଁ ବରଂ ଦୁର୍ନୀତି ମାମଲା । ଉଭୟ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ମାମଲାରେ ଜାମିନରେ ଅଛନ୍ତି, ଇଡି ତଦନ୍ତରୁ ଗାନ୍ଧି ପରିବାରର ମୁଖା ଖୋଲିଥିବା କହି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଭବନେଶ୍ବରରେ ଇଡି ଅଫିସ ଘେରାଉ କରିଥିବା କଂଗ୍ରେସକୁ ଜୋରଦାର ଆଟାକ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ କଂଗ୍ରେସ ନିର୍ଲଜ କାମ କରୁଛି । ସରକାରୀ ସମ୍ପତ୍ତି ଓ ଅର୍ଥକୁ କଂଗ୍ରେସ ଦଳ ATM ବନାଇଥିଲା । ୫ ହଜାର କୋଟି ସମ୍ପତ୍ତି ହାତେଇବା ପାଇଁ ଅପଚେଷ୍ଟା କରି ଧରା ପଡିଛନ୍ତି କହି ଦୃଢ଼ ନିନ୍ଦା କରିଛନ୍ତି ମନମୋହନ ।

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମେତ ଇଡି ଚାର୍ଜସିଟରେ କଂଗ୍ରେସ ନେତା ସାମ ପିଟ୍ରୋଡା ଓ ସୁମନ ଦୁବେଙ୍କ ନାଁ ରହିଛି । ୨୦୧୦ରେ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ । ଅଧିଗ୍ରହଣ ଜରିଆରେ ୨ ହଜାର କୋଟି ମୂଲ୍ୟର ସମ୍ପତ୍ତିକୁ ଗାନ୍ଧି ପରିବାର ମାତ୍ର ୫୦ ଲକ୍ଷ ଟଙ୍କାରେ ହଡ଼ପ କରିଥିବା ସେ ଅଭିଯୋଗ କରିଥିଲେ । ୨୦୧୪ରେ ମାମଲାର ତଦନ୍ତ ଆରମ୍ଭ କରିଥିଲା ଇଡି । ଆସନ୍ତା ୨୫ରେ ମାମଲାର ଶୁଣାଣି ହେବାକୁ ଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
National Herald money laundering case, Gandhi family involved in entire case | Argus News