Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୩ ଦିନ ନିଶାର୍ଦ୍ଧରେ ବିମଳାଙ୍କ ପାଖରେ ଭୋଗ ହୁଏ ଆମିଷ...

Smruti Parija
Browse all articles by Smruti Parija
·1 year ago·5 min read
୩ ଦିନ ନିଶାର୍ଦ୍ଧରେ ବିମଳାଙ୍କ ପାଖରେ ଭୋଗ ହୁଏ ଆମିଷ...

ଅର୍ଗସ ବ୍ୟୁରୋ: ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳା । କୁହାଯାଏ, ଶ୍ରୀକ୍ଷେତ୍ରର ଗ୍ରାମଦେବତୀ ମାଆ ବିମଳା । ତାଙ୍କ ବିନା ଅନୁମତିରେ ପୁରୀରେ ଘର କି ବାହାଘର କି ଶୁଭ କାମ ହୁଏନାହିଁ ବୋଲି ସାଧାରଣରେ ବିଶ୍ଵାସ ରହିଛି । ମାଆଙ୍କର ଅତିପ୍ରିୟ ଅବଢା । ହେଲେ ପାର୍ବଣ ଋୁତରେ ମାଆଙ୍କ ପାଖରେ ଲାଗିହୁଏ ଆମିଷ ଭୋଗ । ଇଏ ବର୍ଷେ କି ୨୦ ବର୍ଷ ନୁହେଁ କାହିଁ ଅନାଦି କାଳରୁ ବିମଳା ମନ୍ଦିରରେ ଏହି ପରମ୍ପରା ପାଳନ ହୋଇ ଆସୁଛି । କିନ୍ତୁ ମନରେ ପ୍ରଶ୍ନ ଆସୁଥିବ, ମାଆଙ୍କର ପ୍ରିୟ ଅବଢା ହେଲେ ଆମିଷ କାହା ଉଦ୍ଦେଶ୍ୟରେ ଭୋଗ ହୁଏ ? କେତେ ଥର ଭୋଗ ହୁଏ ? କେବେ ଭୋଗ ହୁଏ ?

 

ପାର୍ବଣ ପାଇଁ ପୁରପଲ୍ଲୀ ଉତ୍ସବମୁଖର । ଦେବୀଙ୍କ ପାଖରେ ଷୋଡଶ ଉପଚାରରେ ପୂଜା ଚାଲେ । ଏଥିରୁ ବିମଳା ମନ୍ଦିର ବା ବାଦ ପଡ଼ିବ କେମିତି ? ଏହି ପାର୍ବଣ ସମୟଯରେ ମାଆ ମନ୍ଦିରରେ ହେଉଥିବା ପୂଜା ସାମାନ୍ୟ ଅଲଗା । ଅର୍ଥାତ୍‌ ଏହି ପୂଜା ସମୟରେ ମନ୍ଦିରରେ ମାଛ ଭୋଗ ହେବା ସହିତ ଛାଗ ବଳିର ପରମ୍ପରା ରହିଛି । ପରମ୍ପରା ଅନୁସାରେ ଷଷ୍ଠୀ, ସପ୍ତମୀ ଓ ମହାଷ୍ଟମୀରେ ମାଆଙ୍କ ପାଖରେ ମାଛ ଭୋଗ ହେବା ସହିତ ବୋଦାବଳି ପଡ଼େ । ଜାଣି ଆଶ୍ଚର୍ଯ୍ୟ ହେବେ ନିସ୍ତବ୍ଧ ରାତିରେ ଏହି ପୂଜା ସଂପନ୍ନ ହୁଏ ।

ଭାରତରେ ଦେବୀ ପୂଜାର ପରମ୍ପରା ବହୁ ପୁରୁଣା । ସମଗ୍ର ଜଗତ ତାଙ୍କର ହିଁ ସ୍ୱରୂପ ତଥା ତାଙ୍କଠାରୁ ବ୍ୟାପ୍ତ । ଆଦିଶକ୍ତି ଉପାସନାର ସବୁଠାରୁ ବଡ଼ ପର୍ବ ହେଉଛି- ନବରାତ୍ରୀ । ଶରତ ଏବଂ ବସନ୍ତ ଋତୁର ନବରାତ୍ରିରେ କୋଟି କୋଟି ଭକ୍ତ ଦେବୀଙ୍କ ଉପାସନା କରି ବରଦାନ ପାଆନ୍ତି । ଶକ୍ତିର ପ୍ରତୀକ ହେଉଛନ୍ତି ଦେବୀ ଦୁର୍ଗା । ଓଡ଼ିଶାରେ ବି ରହିଛି ଅନେକ ପ୍ରସିଦ୍ଧ ଶକ୍ତି ପୀଠ । କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଥିବା ପ୍ରସିଦ୍ଧ ଓ ପ୍ରମୁଖ ଶକ୍ତିପୀଠଗୁଡ଼ିକ ମଧ୍ୟରୁ ଶ୍ରୀକ୍ଷେତ୍ରର ବିମଳାଙ୍କ ପୀଠ ଅନ୍ୟତମ । ଶ୍ରୀମନ୍ଦିର ବେଢ଼ାରେ ଅର୍ଚ୍ଚିତା କ୍ଷେତ୍ରେଶ୍ୱରୀ ଦେବୀ ବିମଳାଙ୍କର ଶାରଦୀୟ ଦୁର୍ଗାପୂଜା ଅବସରରେ ବିଶେଷ ପୂଜାର୍ଚ୍ଚନା ହୁଏ । ମୂଳାଷ୍ଟମୀରେ ସହସ୍ର କୁମ୍ଭାଭିଷେକ ପରେ ସମ୍ପ୍ରତି ଅନୁଷ୍ଠିତ ହେଉଛି ଦେବୀ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜା ।

ଦେବୀଙ୍କ ମନ୍ଦିର କେଶରୀ ବଂଶର ରାଜା ଇନ୍ଦ୍ର ରଥଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ନାରଦ ପୁରାଣ, ବ୍ରହ୍ମପୁରାଣ, ସ୍କନ୍ଦ ପୁରାଣ ଓ ପୁରୁଷୋତ୍ତମ ମାହାତ୍ମ୍ୟରେ ଦେବୀ ବିମଳାଙ୍କ ଆରାଧନା ପଦ୍ଧତି ବର୍ଣ୍ଣିତ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ବିମଳାଙ୍କ ଆରାଧନା କରାଯାଇ ଆସୁଥିବା କୁହାଯାଏ । ହେଲେ ବିମଳାଙ୍କ ପୀଠରେ ବଳି ପ୍ରଦାନର ପରମ୍ପରା ରହିଛି । ମାର୍କେଣ୍ଡେୟ ଋଷିଙ୍କ ରଚିତ ଚଣ୍ଡୀପୁରାଣର ସପ୍ତଶତୀ ଚଣ୍ଡୀରେ ବଳି ପ୍ରଥାର ବର୍ଣ୍ଣନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାସ୍ତବରେ ବିମଳା ହେଉଛନ୍ତି କୈବଲ୍ୟ ଲୋଲୁପିନୀ ବା ନିର୍ମାଲ୍ୟ ପ୍ରିୟା ଦେବୀ । ବିମଳା ପରମ ବୈଷ୍ଣବୀ ଦେବୀ ହୋଇଥିଲେ ବି ଶାରଦୀୟ ଦୁର୍ଗାପୂଜାର ସପ୍ତମୀ, ଅଷ୍ଟମୀ ଓ ନବମୀରେ ବିମଳାଙ୍କ ନିକଟରେ ଛାଗବଳି ଉତ୍ସର୍ଗ କରାଯାଏ । ଦେବୀ ବିମଳାଙ୍କୁ ଆମିଷ ଭୋଜିନୀ ବୋଲି ଅଭିହିତ କରାଯାଉଥିଲେ ମଧ୍ୟ ପ୍ରକୃତରେ ସେ ପରମ ବୈଷ୍ଣବୀ, ସେ ମହାଲକ୍ଷ୍ମୀ, ମହାକାଳୀ ଓ ମହା ସରସ୍ୱତୀ । ଦେବୀ ବିମଳା ଆମିଷ ନୈବେଦ୍ୟ ଗ୍ରହଣ କରନ୍ତି ନାହିଁ । ହେଲେ ମାଆଙ୍କ ୨ ପାର୍ଶ୍ଵରେ ଥିବା ଛାୟା ଓ ମାୟା ଯୋଗିନୀ ଆମିଷ ଗ୍ରହଣ କରନ୍ତି । 

ସୂଚନା ଅନୁସାରେ, ବଳି ଉତ୍ସର୍ଗ ହେବା ପରେ ରକ୍ତ ଦେବୀଙ୍କ ୨ ପାର୍ଶ୍ୱରେ ଥିବା ଛାୟା ଓ ମାୟା ପାନ କରନ୍ତି । ଦେବୀ ବିମଳାଙ୍କ ନିକଟରେ ନିର୍ମାଲ୍ୟ ଭୋଗ ବହୁ ପ୍ରାଚୀନକାଳରୁ ପ୍ରଚଳିତ। କୁହାଯାଏ ଶଙ୍କରାଚାର୍ଯ୍ୟଙ୍କ ସମୟରେ ଶ୍ରୀମନ୍ଦିରରେ ଶାଳଗ୍ରାମ ପୂଜା ପାଉଥିଲେ । ଶ୍ରୀ ବିଗ୍ରହମାନେ ସେତେବେଳେ ସୋନପୁରରେ ପାତାଳୀ ହୋଇଥିଲେ । ଶଙ୍କରାଚାର୍ଯ୍ୟ ତତ୍କାଳୀନ ରାଜା ଦ୍ୱିତୀୟ ଯଯାତିଙ୍କ ସାହାଯ୍ୟରେ ଶ୍ରୀବିଗ୍ରହମାନଙ୍କୁ ଆଣି ପ୍ରତିଷ୍ଠା କରାଇଥିଲେ ପୁରୀରେ । ପ୍ରତିଷ୍ଠା ସମୟରେ ପ୍ରଥମ କରି ନିର୍ମାଲ୍ୟ ବା ଅବଢ଼ା ଭୋଗ ଆରମ୍ଭ ହୋଇଥିଲା । ଏହି ପ୍ରସାଦ ସେବନ କରିବା ପାଇଁ ବ୍ରାହ୍ମଣମାନେ ମନା କରିଦେବାରୁ ରାଜା ଯଯାତି ମହାପ୍ରଭୁଙ୍କ ନିକଟରେ ଅଧିଆ ପଡ଼ିଥିଲେ। ଏହାପରେ ଶଙ୍କରାଚାର୍ଯ୍ୟଙ୍କ ସମ୍ମୁଖରେ ଜଣେ ମୂକ ବ୍ରାହ୍ମଣକୁ ନିର୍ମାଲ୍ୟ ଦିଆଗଲା।

ନିର୍ମାଲ୍ୟ ସେବନ କରିବା ପରେ ମୂକ ବ୍ରାହ୍ମଣ ମୁଖର ହୋଇଉଠି ମହାପ୍ରଭୁଙ୍କ ମହିମା ଗାନ କରିଥିଲେ । ଏହାପରେ ବ୍ରାହ୍ମଣମାଙ୍କର ମତ ପରିବର୍ତ୍ତନ ଘଟିଥିଲା ଓ ସେମାନେ ନିର୍ମାଲ୍ୟ ଭୋଜନ କରିଥିଲେ ବୋଲି ମାଦଳା ପାଞ୍ଜିର ଉଡ୍ର ରାଜବଂଶାବଳୀରେ ଉଲ୍ଲେଖ ଅଛି । ଆଦି ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ବୈଷ୍ଣବପୀଠ, ଶୈବପୀଠ ଓ ଶାକ୍ତପୀଠର ପ୍ରତୀକାତ୍ମକ ଦେବତା ରୂପେ ଶ୍ରୀଜଗନ୍ନାଥ (ବିଷ୍ଣୁ), ଶ୍ରୀବଳଭଦ୍ର(ଶିବ) ଓ ସୁଭଦ୍ରା(ଦୁର୍ଗା) ରୂପେ ପ୍ରତିଷ୍ଠା କରିଥିଲେ।

ବିମଳାଙ୍କ ପୀଠରେ ଆଶ୍ୱିନ ମାସ କୃଷ୍ଣପକ୍ଷ ସପ୍ତମୀ କିମ୍ବା ଅଷ୍ଟମୀରୁ ଆରମ୍ଭ ହୋଇଥାଏ ଷୋଳପୂଜା । ଏହି ଅବସରରେ ରତ୍ନ ସିଂହାସନ ଉପରେ ପୂଜା ପାଉଥିବା ମାଧବ ବା କାଳପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କଠାରୁ ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ କରି ବିମଳାଙ୍କ ମନ୍ଦିରକୁ ଯାଇଥାନ୍ତି । ୮ଦିନ ଧରି ଦୁର୍ଗାମାଧବ ବିମଳାଙ୍କ ମନ୍ଦିରରେ ଅର୍ଚ୍ଚିତ ହେଉଥିବାବେଳେ ନବମୀ ଦିନରୁ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ରଥରେ ବିଜେ କରନ୍ତି । ଏହା ଶାକ୍ତ ଗୁଣ୍ଡିଚା ରୂପେ ବେଶ ଲୋକପ୍ରିୟ ମଧ୍ୟ । ଶ୍ରୀକ୍ଷେତ୍ରରେ ହେଉଥିବା ଷୋଳପୂଜାରେ ବିମଳାଙ୍କ ନିକଟରେ ସ୍ୱତନ୍ତ୍ର ଧୂପ ଓ ସ୍ୱତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ । ପ୍ରତ୍ୟହ ବିମଳାଙ୍କ ମନ୍ଦିରର ଜଗମୋହନରେ ହୋମ ଓ ଚଣ୍ଡୀପୀଠ ଗାନ କରାଯାଏ । ଦେବୀ ବିମଳା ବନଦୁର୍ଗା, ଭୁବନେଶ୍ୱରୀ, ନାରାୟଣୀ, ମାତଙ୍ଗିନୀ, ଦଶଭୁଜା, ରାଜେଶ୍ୱରୀ, ହରଚଣ୍ଡୀ ଓ ସିଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । 

ଆଶ୍ୱିନ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀରେ ବିମଳାଙ୍କ ନିକଟରେ ଛାଗ ବଳି ପଡ଼ିବାର ପରମ୍ପରା ରହିଛି । ଏହି ୩ ଦିନ ନିଶାର୍ଦ୍ଧରେ ବିମଳାଙ୍କ ପାଖରେ ଆମିଷ ଭୋଗ ହୁଏ । ଭୋଗ ପ୍ରସ୍ତୁତି ପାଇଁ ବିମଳାଙ୍କ ମନ୍ଦିର ପାର୍ଶ୍ୱରେ ତାଟି ଘେରାଯାଇ ନିର୍ମିତ ହୁଏ ସ୍ୱତନ୍ତ୍ର ରୋଷଶାଳା । ଶ୍ରୀଜିଉଙ୍କ ପହୁଡ଼ ପରେ ମନ୍ଦିର ଶୋଧ କରାଯାଇ ଅସ୍ଥାୟୀ ରୋଷଶାଳାରେ ଆମିଷ ଭୋଗ ରନ୍ଧାଯାଏ । ମନ୍ଦିରର ସୁଆରମାନେ ଭୋଗ ପାଇଁ କାନିକା, ଡାଲି, ମାଛ ବେସର, ମାଛଭଜା ଓ ଖିରି ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ଭୋଗରନ୍ଧା ସରିବା ପରେ ଛାଗବଳି ପ୍ରଥା ଆରମ୍ଭ ହୁଏ । କଳାରଙ୍ଗର ବସ୍ତ୍ର ପରିହିତ କଟାରିଆ ଛାଗବଳି ପକାନ୍ତି । ଛାଗର ମୁଣ୍ଡ କଟାଯିବା ପରେ ତାହାକୁ ଚାଉଳ ରହିଥିବା ୨ଟି ସରାରେ ରଖାଯାଏ ଓ ସେଥିରେ କିଛି କଦଳୀ ମଧ୍ୟ ରଖାଯାଏ । ବିମଳାଙ୍କ ସମ୍ମୁଖରେ ଏହି ସରା ଦୁଇଟି ରଖାଯାଇ ପୂଜାର୍ଚ୍ଚନା କରାଯାଏ । ସହରବାସୀ ଗଭୀର ନିଦ୍ରାରେ ଥିବାବେଳେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ । ବିମଳାଙ୍କ ନିକଟରେ ମାନସିକ କରାଯାଇଥିବା ଅନ୍ୟ ଛାଗବଳି ବଣିଆପଟିରେ ଥିବା ବିମଳାଙ୍କ ପ୍ରତିନିଧି ରୂପେ ପରିଚିତା କାକୁଡ଼ିଖାଇଙ୍କ ନିକଟକୁ ପକାଯାଏ । ଏହି ତିନି ଦିନ ପୂଜା ଅବସରରେ ଦେବୀ ବିମଳାଙ୍କ ଭୋଗ ସରଞ୍ଜାମ ପଶ୍ଚିମ ଦ୍ୱାର ବାଟେ ମନ୍ଦିରକୁ ନିଆଯାଏ ।

ବଡ଼ କଥା ହେଲା, ଷୋଳପୂଜା ସମୟରେ ବିମଳାଙ୍କ ମନ୍ଦିରକୁ କୌଣସି ମହିଳା ଭକ୍ତଙ୍କୁ ଛଡ଼ାଯାଏ ନାହିଁ । ପ୍ରତ୍ୟହ ଶ୍ରୀଜିଉମାନଙ୍କ ନିକଟରେ କରାଯାଉଥିବା ମହାପ୍ରସାଦ ବିମଳାଙ୍କ ନିକଟରେ ସମର୍ପିତ ହେବା ପରେ ହିଁ ତାହା ଅବଢା ହୁଏ । ସନ୍ଧ୍ୟା ଧୂପ ପରେ ଥାଳି ଭୋଗ ବିମଳାଙ୍କ ନିକଟକୁ ସମର୍ପଣ ପାଇଁ ଆସେ । ଭୋଗ ଉପରେ ବିମଳାଙ୍କ ବେଲ ପତ୍ର ପଡ଼ିବା ପରେ ତାହା ଅବଢାରେ ପରିଣତ ହୁଏ ।  କେଉଁ ପ୍ରାଚୀନକାଳରୁ ଏହି ସ୍ୱତନ୍ତ୍ର ପୂଜା ବିଧି ପ୍ରଚଳିତ ହୋଇଆସୁଛି । ଦର୍ଶକବନ୍ଧୁ ମହାନ ଆମ ପରମ୍ପରା, ମହାନ ଆମ ପୂଜାବିଧି । ଯୁଗରେ ଅନ୍ତର ହେଉଛି, ହେଲେ ଆମ ପରମ୍ପରା ପୂର୍ବରୁ ଯେମିତି ଥିଲା ଆଜି ବି ସେମିତି ଅଛି । ଆଗକୁ ବି ସେମିତି ରହିବ ବୋଲି ଆଶା ଓ ବିଶ୍ଵାସ । ଏଠାରେ କହିରଖୁଛୁ କି, କେବଳ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କ ପାଖରେ ଷୋଡଷ ପୂଜା ଚାଲିଛି ତାହା ନୁହେଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜା, କାକଟପୁରର ମାଆ ମଙ୍ଗଳା, ଝଙ୍କଡ଼ର ମାଆ ଶାରଳା, ବାଣପୁରରେ ମାଆ ଭଗବତୀ, କଟକର କଟକଚଣ୍ଡୀ, ଗଂଜାମରେ ମାଆ ତାରାତାରିଣୀ, ବାଙ୍କୀରେ ମାଆ ଚର୍ଚ୍ଚିକାଙ୍କ ପାଖରେ ବି ଷୋଡ଼ଶ ଉପଚାରରେ ପୂଜା ହୁଏ । 
 

Sponsored
navarati-puja-at-maa-bimala-temple-puri | Argus News