ସମସ୍ୟା ସମାଧାନ ପାଇଁ ଚାହିଁଲେନି ନବୀନ, ଅଣ୍ଟାଭିଡିଲେ ମୋହନ

Key Points
ବଡନଦୀକୁ ନେଇ ବଡ ଚିନ୍ତା
ସମସ୍ୟା ସମାଧାନ ପାଇଁ ଚାହିଁଲେନି ନବୀନ, ଅଣ୍ଟାଭିଡିଲେ ମୋହନ
ମହାନଦୀ ଜଳ ବିବାଦର ହେବ ସମାଧାନ
ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡିଶା ମୁଖ୍ୟମନ୍ତ୍ରୀ
ଆଲୋଚନା ନକରି କୋର୍ଟ, କଚେରୀରେ ଲଢି ଓଡ଼ିଶାକୁ ଶୋଷିଲା ରଖିଲା ପୂର୍ବ ବିଜେଡି ସରକାର
ଏବେ ଟ୍ରିପଲ୍ ଇଞ୍ଜିନ୍ ସରକାର କହିଲେ କରିବେ ସମାଧାନ
ମହାନଦୀ ମହାବିବାଦ ସମାଧାନ ପାଇଁ ବିଜେପି ସରକାରଙ୍କ ବଡ ପଦକ୍ଷେପ । ଆପୋଷ ଆଲୋଚନା ଲାଗି ସହମତ ଛତିଶଗଡ ସରକାର । ଟ୍ରିପଲ୍ ଇଞ୍ଜିନ ସରକାରରେ ବାହାରିବ ରାସ୍ତା । ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି ଛତିଶଗଡ ସିଏମ୍ ବିଷ୍ଣୁଦେବ ସାଏ । ବିଶ୍ଵ ଜଳ ଦିବସ କାର୍ଯ୍ୟକ୍ରମରେ ଓଡିଶା ବାସୀଙ୍କୁ ଏହି ଖୁସି ଖବର ଦେଇଛନ୍ତି ମୋହନ । ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ର, ଛତିଶଗଡ ଏବଂ ଓଡିଶାରରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି । ତେଣୁ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେବ । ଦୁଇ ରାଜ୍ୟ ପରସ୍ପରର ପଡ଼ୋଶୀ । ଉଭୟ ରାଜ୍ୟ ମଧ୍ୟରେ ଭାଷା ଓ ଭାବଗତ ସାମଞ୍ଜସ୍ୟ ମଧ୍ୟ ରହିଛି । ତେଣୁ ଦୁଇ ରାଜ୍ୟର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିବାଦ ତୁରନ୍ତ ସମାଧାନ ହେବା ଆବଶ୍ୟକ ବୋଲି କହିଥିଲେ ମୋହନ ।
ଖରାଦିନେ ଛତିଶଗଡ଼ରୁ ଅଧିକ ପାଣି ଆସୁ ଓଡ଼ିଶାର ଦାବି । କିନ୍ତୁ ଛତିଶଗଡ ସରକାର ସହ ଆଲୋଚନା କଲାନି ପୂର୍ବ ବିଜେଡି ସରକାର । ଟ୍ରିବ୍ୟୁନାଲ କିମ୍ବା ସେଣ୍ଟ୍ରାଲ ଓ୍ବାଟର କମିଶନ ପାଖରେ ସଠିକ ତଥ୍ୟ ରଖିଲେ ନାହିଁ । ଟ୍ରିବ୍ୟୁନାଲ, କୋର୍ଟ, କଚେରୀରେ ଲମ୍ବା ଚାଲିଲା ମାମଲା । ଜଳ ବିବାଦ ସମାଧାନ ପାଇଁ ସହାୟତାର ହାତ ବଢାଇଥିବା କେନ୍ଦ୍ର ସରକାରଙ୍କୁ ସହଯୋଗ କଲାନି ପୂର୍ବ ସରକାର । ୨୦୧୬ରେ ତତ୍କାଳୀନ ଛତିଶଗଡ ସିଏମ୍ ରମଣ ସିଂ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା ପାଇଁ ବସି ଅଧାରୁ ପଳାଇ ଆସିଲେ ନବୀନ । ଟ୍ରିବ୍ୟୁନାଲ ପାଇଁ ଧରିଥିଲେ ଜିଦ୍ । ଯେତେବେଳେ ଛତିଶଗଡ଼ ବ୍ୟାରେଜ୍ ନିର୍ମାଣ କଲା ନାହିରେ ତେଲ ଦେଇ ଶୋଇଥିଲେ ପୂର୍ବ ସରକାର । ସମାଧାନ ନକରି ଦୌଡି ପଳାଇଲେ । ମହାନଦୀ ବଞ୍ଚାଅ ଆନ୍ଦୋଳନ କଲେ । ମହାନଦୀକୁ ମାଆ କହି ସାବତ ମାଆ ସଜାଇ ଦେଲେ ପୂର୍ବ ନବୀନ ସରକାର ।
ଅନ୍ୟପଟେ ଜଳ ବିବାଦ ସମାଧନ ପାଇଁ ମୋହନ ଓ ବିଷ୍ଣୁଦେବଙ୍କ ଆଲୋଚନାକୁ ନେଇ ତେଜିଛି ରାଜନୀତି । କେନ୍ଦ୍ର ଓ ଛତିଶଗଡ ମୁଣ୍ଡରେ ଅଠା ବୋଳି ନିଜ ଭୁଲ ଉପରେ ପରଦା ପକାଇବାକୁ ଉଦ୍ୟମ କରିଛି ବିଜେଡି । କଂଗ୍ରେସ କହିଛି, ଆପୋଷ ଆଲୋଚନା ଫଳପ୍ରଦ ହେଲା ଭଳି ଲାଗୁନି । ତେବେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ । କହିଛନ୍ତି, ଜଳ ବିବାଦ ପ୍ରସଙ୍ଗରେ ନିଜ ଫାଇଦା ପାଇଁ ରାଜନୈତିକ ରୁଟି ସେକିବାରୁ ଚେଷ୍ଟା କରିଥିଲା ବିଜେଡି ।
ବର୍ଷା ଋତୁକୁ ଛାଡିଦେଲେ ଓଡିଶାରେ ବର୍ଷ ତମାମ ଶୁଖିଲା ପଡୁଛି ମହାନଦୀ । ଯେଉଁଥିପାଇଁ ପୂର୍ବ ସରକାର ନା ଆଲୋଚନାରେ ସମାଧାନ କଲେ, ନା ନଦୀ ତଳ ମୁଣ୍ଡରେ ଜଳ ଭଣ୍ଡାର କଲେ । କେତେବେଳେ ମହାନଦୀ ବଞ୍ଚାଅ ଅନ୍ଦୋଳନ ତ ପୁଣି କେତେବେଳେ ସବୁଜ ମହାନଦୀ ନାଁରେ ବଡ ପ୍ରଚାର କରିଥିଲା ବିଜେଡି । ଏପରିକି ପ୍ରଥମେ ୭ଟି ବ୍ୟାରେଜ କରିବେ ବୋଲି କହି ପରେ ଫାଙ୍କି ଦେଲେ । ହେଲେ ଏବେ ଟ୍ରିପଲ୍ ଇଞ୍ଜିନ ସରକାରରେ ବିବାଦ ସମାଧାନର ରାସ୍ତା ବାହାରିବ ବୋଲି ସଞ୍ଚାର ହୋଇଛି ନୂଆ ଆଶା ।