Naveen Patnaik On Aravind / 'ଯିଏ ଦଳରେ ରହି ଲୋକଙ୍କୁ ହଇରାଣ କରେ ମୁଁ ତାକୁ ବାହାର କରିଦିଏ'

Key Points
ବିଜେଡିରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ଏହାକୁ ନେଇ ନେତାଙ୍କ ପକ୍ଷରୁ ବୟାନବାଜି ଜାରି ରହିଛି। କାହିଁକି ଏବଂ କେଉଁ କାରଣ ପାଇଁ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରାଗଲା ତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା। ହେଲେ ଏହାରି ଭିତରେ ମୁହଁ ଖୋଲିଲେ ନବୀନ । ଅରବିନ୍ଦଙ୍କୁ ନେଇ ଦେଲେ ବିସ୍ଫୋରକ ବୟାନ । କହିଲେ ଯାହା କରିଛି ଠିକ୍ କରିଛି । 'ଯିଏ ଲୋକଙ୍କୁ ହଇରାଣ କରିବ ମୁଁ ତାକୁ ଦଳରୁ କାଢ଼ିଦେବି' । ଆଉ ଏହାରି ଭିତରେ ସବୁଠାରୁ ବଡ଼ କଥା କହିଲେ, ଖୁବ୍ଶୀଘ୍ର ଆପଣଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ ।
ଅନେକ ରାଜନୈତିକ ହଟଚମଟ ପରେ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ଅରବିନ୍ଦଙ୍କ ନାଁ ନନେଇତାଙ୍କ ନିଲମ୍ବନ ପଛର କାରଣ କହିଛନ୍ତି । ସେ ସିଧା ସିଧା କହିଛନ୍ତି, 'ମୁଁ ଜଣଙ୍କୁ ବିଶ୍ବାସ କରି ସୁଯୋଗ ଦେଇଥିଲି, କିଛି କାମ କରିବାକୁ । ଆପଣଙ୍କ ନିର୍ବାଚନମଣ୍ଡଳୀ ପାଇଁ ଭଲ କାମ କରିବାକୁ ସୁଯୋଗ ଦେଇଥିଲି । କିନ୍ତୁ ଜାଣିବାକୁ ପାଇଲି, ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି । ଆଉ ଦଳରେ ରହି ଯିଏ ଆପଣଙ୍କୁ ହଇରାଣ କରିବ ମୁଁ ତାକୁ ଦଳରୁ କାଢ଼ିଦିଏ । ତେଣୁ ମୁଁ ବି ତାଙ୍କୁ କାଢ଼ିଦେଲି । ଶେଷରେ ନବୀନ କହିଲେ ଖୁବ୍ଶୀଘ୍ର ଆପଣମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ ।
ଏହା ପୂର୍ବରୁ ନବୀନ ନିବାସରେ ପାଟକୁରା ବିଜେଡିର ନେତା ଓ କର୍ମୀ ରୁଣ୍ଡ ହୋଇଥିଲେ। ବହୁ ସଂଖ୍ୟାରେ ଦଳୀୟ କର୍ମୀ, ନେତା ଓ ନିର୍ବାଚିତ ପ୍ରତିନିଧି ଆଜି ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଜଣାଇଥିଲେ। ନିକଟରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ସସପେଣ୍ଡ କରିଥିଲେ ନବୀନ। ଏହି ନିଷ୍ପତ୍ତି ଯଥାର୍ଥ ଥିଲା। ନବୀନଙ୍କ ସହ ଆମେ ଥିଲୁ, ଅଛୁ ଓ ରହିବୁ ବୋଲି ପାଟକୁରା ଦଳୀୟ ନେତା ଓ କର୍ମୀ କହିଛନ୍ତି।
ଦୁର୍ନୀତି ଓ ବିଶ୍ଵାସଘାତକ ଅଭିଯୋଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦଳୀୟ ଗୁଇନ୍ଦା ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପୂର୍ବରୁ ସଭାପତିଙ୍କ ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦଳର ବରିଷ୍ଠ ନେତା କହିଥିଲେ। ଆଜି ନବୀନଙ୍କୁ ପାଟକୁରା ବିଜେଡିର ନିର୍ବାଚିତ ପ୍ରତିନିଧି, ନେତା ଓ କର୍ମୀ ଭେଟି ଧନ୍ୟବାଦ ଦେଇଛନ୍ତି।
📱 Get Argus News App
✨Related Topics
Explore more stories