ନବୀନଙ୍କ ସାମ୍ନାରେ ଭାଙ୍ଗୁଛି ବିଜେଡି !

Key Points
- ଭୁଶୁଡ଼ିବାରେ ଲାଗିଛି ନବୀନଙ୍କ ଗଡ଼
- ବିଜେଡି ଛାଡି ବିଜେପିରେ ମିଶୁଛନ୍ତି ପଂଚାୟତ ନେତା
- ସାଧାରଣ ନିର୍ବାଚନ ଅବସ୍ଥା ଭୋଗିବ କି ବିଜେଡି ?
ଅର୍ଗସ ବ୍ୟୁରୋ : ବିଜେଡିକୁ ଝଟ୍କା ପରେ ଝଟ୍କା ଲାଗୁଛି । ଗୋଟିଏ ପଟେ ୨୪ ନିର୍ବାଚନ ହାରିବା ପରେ ଟେନ୍ସନ୍ରେ ନେତା ଓ ସୁପ୍ରିମୋ । ଏପଟେ ପୁଣି ପଂଚାୟତ ସ୍ତରରେ ଧୀରେ ଧୀରେ ନେତାଏ ବିଜେଡି ଛାଡି ବିଜେପି ଶିବିର ଗଲେଣି । ଇଏ ଗୋଟିଏ ଜିଲ୍ଲାର ଅବସ୍ଥା ନୁହେଁ ପୁରା ରାଜ୍ୟରେ ସମାନ ସ୍ଥିତି ଉପୁଜିଲାଣି । ତେଣୁ ବେଳ ଥାଉଥାଉ ସାବଧାନ ନହେଲେ ଆଗାମୀ ଦିନରେ ବିଜେଡିର ଖାତାଖତିଆନ ହଜିଯିବ ବୋଲି ଲୋକେ କହିଲେଣି ।
ବିଜେଡିକୁ ଏବେ ଶନିଦଶା ପଡ଼ିଲାଣି ବୋଧହୁଏ । ସେଇଥି ଲାଗି ତ ଜଣଙ୍କ ପରେ ଜଣେ ନେତା ଶଙ୍ଖ ଛାଡି ପଦ୍ମ ଶିବିରକୁ ଡିଆଁ ମାରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଥିରୁ ବାଦ୍ ପଡ଼ିଲାନି ଖୋଦ୍ ବିଜେଡି ସୁପ୍ରିମୋ ନବୀନଙ୍କ ଗଡ଼ ହିଞ୍ଜିଳି । ୨୫ ବର୍ଷରୁ ଅଧିକ ସମୟ ଧରି ନବୀନଙ୍କ ଗଡ଼ ଥିବା ହିଞ୍ଜିଳି ଏବଂ ଶେରଗଡ଼ ବ୍ଲକର ୮ ସରପଞ୍ଚ ଏବଂ ସମିତି ସଭ୍ୟ ବିଜେଡିକୁ ବାଏ ବାଏ କରି ବିଜେପିରେ ସାମିଲ ହେବା ନବୀନଙ୍କ ନିଦ ହଜାଇ ଦେଇଛି । କାରଣ ଅନ୍ୟ ଜିଲ୍ଲାରେ ତ ସ୍ଥିତି ଯାହା ହେଉଥିଲା ହେଉଥିଲା ହେଲେ ନବୀନଙ୍କ ନିଜ ଜିଲ୍ଲାରେ ସ୍ଥିତି ଏମିତି ହେବାରୁ ଚର୍ଚ୍ଚା ହେବା ସ୍ଵାଭାବିକ ।
ହିଞ୍ଜିଳିରେ ଶଙ୍ଖ ସ୍ଥିତି ସଙ୍ଗୀନ । ବିଜେପି କ୍ୟାଂପରେ ମିଶିଲେଣି ବିଜେଡି କର୍ମୀ । ଗତ ଗୁରୁବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଏକାଧିକ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଶହ ଶହ ବିଜେଡି କର୍ମୀ । ଗ୍ରାଉଣ୍ଡ ସ୍ତରର ନେତାଙ୍କୁ ଅଣଦେଖା ଅଭିଯୋଗରେ ଦଳ ଧୀରେ ଧୀରେ ଦୁର୍ବଳ ହୋଇଯାଉଛି । ସେହିପରି ଗତ ୧୮ ତାରିଖରେ ହିଞ୍ଜିଳିର କରେଇଶୁଣିଠାରେ ନବୀନଙ୍କ ପ୍ରତିନିଧି ଶରତ ମହାପାତ୍ରଙ୍କ ବିରୋଧରେ ଏକାଠି ହୋଇଥିଲେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ । ସେମାନଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଶରତଙ୍କ ବିରୋଧରେ ବିଷୋଦଗାର କରିଥିଲେ । ସେପଟେ ୨୩ ତାରିଖରେ ପଂଚାୟତ ସ୍ତରର ପ୍ରତିନିଧିଙ୍କୁ ଡାକି ଏକାଠି ରହିବାକୁ ପରାମର୍ଶ ଦେଇଥିଲେ ନବୀନ । କିନ୍ତୁ ପରାମର୍ଶ ପରେ ବି ନେତା କିଛି ମାନୁନଥିବା ସ୍ପଷ୍ଟ ଦେଖାଦେଇଛି ।
📱 Get Argus News App
✨ପୂର୍ବଠୁ ପଶ୍ଚିମ...ଉତ୍ତରଠୁ ଦକ୍ଷିଣ...ସବୁଆଡ଼େ ବିଜେଡି ସ୍ଥିତି ସଙ୍ଗୀନ । ବିଜେଡି ହାତରୁ ଖଲ୍ଲିକୋଟ୍ ବ୍ଲକ ଛଡେଇ ବ୍ଲକ୍ ଦଖଲ ଅଭିଯାନ ଆରମ୍ଭ କରିଛି ଦଳ । ଆଉ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ପଦବି ବଜାୟ ରଖିପାରିଛି ବିଜେପି । ସେପଟେ କେନ୍ଦୁଝରରେ କେନ୍ଦୁଝର ସଦର ଏବଂ ବାଂଶପାଳ ବ୍ଲକର ବିଜେଡି ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚମାନେ ବିଜେପିରେ ମିଶିଥିଲେ । ଯାଜପୁର ଜିଲ୍ଲାର ବରୀ ଏବଂ ଧର୍ମଶାଳାରେ ବି ଦେଖିବାକୁ ମିଳିଥିଲା ସମାନ ଚିତ୍ର । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ବିଜେଡି ସମର୍ଥିତ ସରପଞ୍ଚ ଆଉ ସମିତି ସଭ୍ୟ । ସେଠି ବି ବିଜେଡି ଅଧ୍ୟକ୍ଷ ବିରୋଧରେ ଅନାସ୍ଥା ଆଶଙ୍କା ରହିଛି । ତେବେ ସମୟ କହିବ ବିଜେଡି ସ୍ଥିତି ଆଗାମୀ ଦିନରେ କଣ ହେଉଛି ?