4ରେ ପୁରୀ ବ୍ଲୁ-ଫ୍ଲାଗ ବିଚ୍ରେ ନୌସେନା ଦିବସ

ଅର୍ଗସ ବ୍ୟୁରୋ: ପୁରୀରେ ନେଭି ଡେ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍ । ପୁରୀ ବେଳାଭୂମିରେ ଦେଖିବାକୁ ମିଳୁଛି ଭାରତୀୟ ସେନାର ବୀରତ୍ବ, ପରାକ୍ରମ ଓ ଯୁଦ୍ଧ କୌଶଳର ଅନନ୍ୟ ପ୍ରଦର୍ଶନ। ନୌସେନା ଦିବସରେ ଯୁଦ୍ଧ ଜାହାଜ ଓ ଏୟାରକ୍ରାଫ୍ଟ ଯୁଦ୍ଧକଳା କୌଶଳ ପ୍ରଦର୍ଶନ କରିବେ । ସ୍ଥଳ, ଜଳ ଏବଂ ଆକାଶ ମାର୍ଗରେ କିଭଳି ନୌସେନା ଶତ୍ରୁଙ୍କୁ ଆକ୍ରମଣ କରିବ ତାହାର ଝଲକ ଦେଖାଇବ ନୌସେନା । ଆସନ୍ତା ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନୌସେନା ଦିବସ ସମାରୋହରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଉଛି। ଯୁଦ୍ଧ କୌଶଳ ପ୍ରଦର୍ଶନୀ ଦେଖିବା ପାଇଁ ପ୍ରବଳ ଜନ ସମାଗମକୁ ନଜରରେ ରଖି ୨୦ଟି ଅତିରିକ୍ତ ସ୍ଥାନରେ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯାଇଛି । ସୁରକ୍ଷାରେ ୮୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୁରୀରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସମୀକ୍ଷା ବୈଠକ ହୋଇଥିବାବେଳେ ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ ଡିଜି ସଂଜୀବ ପଣ୍ଡା।