'ରାସ୍ତାରେ ଯିବା ବେଳେ ଛୋଟ ବଡ଼ ଭୁଲ ଭାଲ ହୁଏ'

ବିଜେଡିକୁ ସଂସ୍କାର ଆବଶ୍ୟକ। ବିଜେଡି ନେତାଙ୍କ ଦ୍ୱିମତ ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ଦଳ ଭିତରେ ସଂସ୍କାରର ଆବଶ୍ୟକତା ରହିଛି । ରାସ୍ତାରେ ଯିବାବେଳେ ଛୋଟ ଭୁଲ ଭାଲ ହୁଏ କିନ୍ତୁ ତାକୁ ସୁଧାରିବାର ଆବଶ୍ୟକ ରହିଛି। ନବୀନ ଆମର ଏକ ମାତ୍ର ନେତା। ତାଙ୍କ ନେତୃତ୍ଵରେ ଦଳ ଚାଲିଛି। ଏଥିରେ କୌଣସି ଦ୍ୱିମତ ନାହିଁ। ଦଳରେ ଆଭ୍ୟନ୍ତରୀଣ ଘଟଣା ଯାହା ଚାଲିଛି ସାଂଗଠାନିକ ନିର୍ବାଚନ ପରେ ସବୁ ସ୍ପଷ୍ଟ ହୋଇଯିବ। ରାଜନୀତିରେ ଗୋଟିଏ କଥାକୁ ଗୁରୁତ୍ଵ ଦିଆଯିବା ଆବଶ୍ୟକ ତାହା ହେଉଛି ସଂସ୍କାର। ଅନ୍ୟପଟେ ଆଜି ବିଜେଡି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ଆମ ଦଳରେ ଅସନ୍ତୋଷ କେଉଁଠି ବି ନାହିଁ ।
ତେବେ କିଛି ଦିନ ହେବ ବିଜେଡିରେ ଏକ ପ୍ରକାର ବିସ୍ଫୋରଣ ଦେଖିବାକୁ ମିଳୁଛି । ନେତାଙ୍କ ମଧ୍ୟରେ ରହୁନି ତାଳମେଳ । ଯେବେଠାରୁ ଓ୍ୱାକଫ୍ ବିଲ୍ ସଂଶୋଧନକୁ ବିଜେଡି ସାଂସଦ ରାଜ୍ୟସଭାରେ ସମର୍ଥନ କରିଥିବା ନେଇ ଟ୍ୱିଟ୍ କରିଛନ୍ତି, ସେବେଠାରୁ ବିଜେଡି ଫାଳ ଫାଳ ହୋଇଯାଇଛି । ଦଳୀୟ କନ୍ଦଳ ପଦାରେ ପଡ଼ିଯାଇଛି । ବଡ଼ ନେତାଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ଉଭୟ ସାମ୍ନାକୁ ଆସିଛି । ଯାହାର ଯାହା ଇଚ୍ଛା ନେତା ମାନେ ଅନ୍ୟ ନେତାଙ୍କୁ ଆକ୍ଷେପ କରିବା ଆରମ୍ଭ କରିଥିଲେ । ଏମିତିକି ନେତାମାନେ ଶଂଙ୍ଖ ଭବନ ବାହାରେ ମେଳି କରିଥିବା କଥା ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରତାବ ଦେବଙ୍କ ଘରେ ବରିଷ୍ଠମାନେ ବସି ବୈଠକ କରିଥିବା ବେଳେ ଯୁବନେତାମାନେ ଅଂଶୁମାନ ମହାନ୍ତିଙ୍କ ଘରେ ଏକାଠି ହୋଇଥିଲେ ।
ତେବେ ଏହାରି ଭିତରେ ନବୀନ ମଧ୍ୟ ସାମ୍ନାକୁ ଆସିଥିଲେ । ଆଉ ପାଣ୍ଡିଆନଙ୍କୁ ପୁଣି କ୍ଲିନ୍ ଚିଟ୍ ଦେଇ, ନେତାଙ୍କୁ ବାହାରେ ବୈଠକ କରିବାକୁ ମନା କରିଥିଲେ । ସେ ସିଧାସିଧା କହିଥିଲେ ଯଦି ବୈଠକ କରିବାର ଅଛି ତେବେ ଶଂଙ୍ଖ ଭବନରେ କରନ୍ତୁ, କାରଣ ଶଂଙ୍ଖ ଭବନ ଏକ ବଡ଼ ବିଲ୍ଡିଂ । ଏହାସହ ପ୍ରଭାତ ତ୍ରିପାଠିଙ୍କୁ ମଧ୍ୟ କାଉଣ୍ଟର କରିଥିଲେ ନବୀନ । ସେ କହିଥିଲେ ପ୍ରଭାତ ତ୍ରିପାଠି ଆଉ ଦଳରେ ନାହାନ୍ତି । ତାଙ୍କୁ ଦୀର୍ଘ ବର୍ଷ ପୂର୍ବରୁ ଦଳରୁ ନିଲମ୍ବନ କରାଯାଇଛି ।
ନବୀନଙ୍କ ଏହି ବୟାନ ପରେ ରାଜନୀତି ଆହୁରି ତେଜିଥିଲା । ନବୀନ ମିଛ କହୁଛନ୍ତି ବୋଲି ନେତାମାନେ କହିଥିଲେ । ପ୍ରଥମେ ସୋସିଆଲ ମିଡିଆ ୟୁଜର ନବୀନଙ୍କ ମିଛ ଧରାପକାଇଥିଲେ, ତାପରେ ପ୍ରଭାତ ତ୍ରିପାଠି ମଧ୍ୟ ଏହାକୁ ପ୍ରେସ୍ମିଟ୍ କରି ଦୋହାରାଇଥିଲେ । କାରଣ ପ୍ରଭାତ ତ୍ରିପାଠିଙ୍କ ଉପରୁ ଦଳ ନିଲମ୍ବନ ପ୍ରତ୍ୟାହାର କରିସାରିଛି । ଯାହାର ଚିଠି ମଧ୍ୟ ଭାଇରାଲ ହେଉଛି । ଆଜି ନବୀନଙ୍କ ସେହି କଥାକୁ ନେଇ ବରିଷ୍ଠ ନେତା ପ୍ରଶନ୍ନ ପାଟ୍ଟଶାଣୀ ମଧ୍ୟ ନବୀନଙ୍କୁ ତାତ୍ସଲ୍ୟ କରିଥିଲେ । ସେ ମଧ୍ୟ ନବୀନଙ୍କୁ ମିଛୁଆ ବୋଲି କହିଥିଲେ ।