ଗିରଫ ହୋଇପାରନ୍ତି IAS ଅଫିସର ମନୀଷ ଅଗ୍ରଓ୍ୱାଲ

ଆଇଏଏସ୍ ବାବୁ ମନୀଷ ଅଗ୍ରୱାଲଙ୍କୁ ପୁଣିଥରେ ଅଦାଲତି ଝଟକା । ଗିରଫ ହୋଇପାରନ୍ତି ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ । ଜାମିନ ବିହୀନ ଗିରଫ ପରୱାନା ଜାରି କଲେ ମାଲକାନଗିରି ଏସଡିଜିଏମ୍ କୋର୍ଟ । ଦେବ ନାରାୟଣ ପଣ୍ଡା ସନ୍ଦେହଜନକ ମୃତ୍ୟୁ ମାମଲାରେ କୋର୍ଟଙ୍କ ବଡ ନିର୍ଦ୍ଦେଶ । ମନୀଷଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ବି ଏନବିଡବ୍ଲୁ ଜାରି କଲେ କୋର୍ଟ ।
ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁକୁ ନେଇ ଅଡୁଆରେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ସୁପ୍ରିମକୋର୍ଟରୁ ଝଟକା ଖାଇବା ପରେ ଏବେ ମାଲକାନଗିରି ଏସଡିଜିଏମଙ୍କ କୋର୍ଟରୁ ବି ନିରାଶ ହୋଇଛନ୍ତି ମନୀଷ । ବାରମ୍ବାର ନୋଟିସ ସତ୍ବେ କୋର୍ଟରେ ହାଜର ନ ହେବାରୁ ମନୀଷଙ୍କ ବିରୋଧରେ ଜାମିନ ବିହିନୀ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ମନୀଷଙ୍କ ପାଇଁ କରାଯାଇଥିବା ଯୁକ୍ତିକୁ ଗ୍ରହଣ କରିନାହାନ୍ତି କୋର୍ଟ ।
ବହୁଚର୍ଚ୍ଚିତ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଆଣିଥିଲେ ସାଂଘାତିକ ଅଭିଯୋଗ। ସେତେବେଳର ମାଲକାନଗିରି ଜିଲ୍ଲାପାଳଙ୍କ ଦୁର୍ନିତୀର ପୋଲ ଖୋଲିଦେବାରୁ ଦେବନାରାୟଣଙ୍କୁ ମନୀଷ ଅଗ୍ରୱାଲ ଓ ତାଙ୍କ ସହଯୋଗୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମନୀଷଙ୍କ ନାଁରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନେଇ ମାମଲା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ମନୀଷଙ୍କ ପିଟିସନକୁ ଖାରଜ କରି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ୍ ରଖିଥିଲେ।
୨୦୧୯ ଡିସେମ୍ବର ୨୭ରେ ସେତେବେଳର ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସଚିବ ଦେବ ନାରାୟଣ ପଣ୍ଡା ନିଖୋଜ ହୋଇଯାଇଥିଲେ। ତାଙ୍କ ମୃତଦେହ ମିଳିଥିଲା ସୀତାଗୁଡା ଡ୍ୟାମରୁ। ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ତେବେ ମନୀଷଙ୍କୁ ଘଣ୍ଟ ଘୋଡାଇଥିଲେ ନବୀନ ସରକାର। କ୍ରାଇମବ୍ରାଞ୍ଚ ତଦନ୍ତକୁ କଲା ବାଟବଣା। ଆକସନ୍ ବଦଳରେ ମନୀଷଙ୍କର ହୋଇଥିଲା ପ୍ରମୋସନ୍। ଦେବ ନାରାୟଣଙ୍କ ପତ୍ନୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିଜେ କେସ୍ ଲଢିଥିଲେ ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା।
କେବଳ ମନୀଷ ଅଗ୍ରୱାଲ ନୁହନ୍ତି, ତାଙ୍କ ୩ ସହଯୋଗୀଙ୍କ ବିରୋଧରେ ବି ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ସେମାନେ ହେଲେ ଅବସରପ୍ରାପ୍ତ ORS ଅଧିକାରୀ ଭଗବାନ ପାଣିଗ୍ରାହୀ, ଡାଟା ଏଣ୍ଟ୍ରି ଅପରେଟର ଭି ବେଣୁ ଓ ଷ୍ଟେନୋ ପ୍ରକାଶ ଚନ୍ଦ୍ର ସ୍ୱାଇଁ ।
