ବିକଶିତ ଭାରତ ପାଇଁ NEP ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି: ଧର୍ମେନ୍ଦ୍ର ପ୍ରଧାନ

Key Points
ଜାତୀୟ ଶିକ୍ଷା ନୀତି-୨୦୨୦କୁ ୫ ବର୍ଷ ପୂରିଛି
ବିଶ୍ବସ୍ତରୀୟ ଶିକ୍ଷା ପ୍ରଦାନ ପାଇଁ ପ୍ରସ୍ତୁତ ହୋଇଥିଲା ରୋଡମ୍ୟାପ
ମୋଦିଙ୍କ ନେତୃତ୍ବରେ ୨୯ ଜୁଲାଇ ୨୦୨୦ରେ ଆରମ୍ଭ ହୋଇଥିଲା ଜାତୀୟ ଶିକ୍ଷା ନୀତି
ଜାତୀୟ ଶିକ୍ଷା ନୀତି-୨୦୨୦କୁ ୫ ବର୍ଷ ପୂରିଛି । NEP କାର୍ଯ୍ୟକାରିତା, ୫ ବର୍ଷ ମଧ୍ୟରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନକୁ ନେଇ ଏକ ଆର୍ଟିକିଲରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । NEPରେ ମାତୃଭାଷାରେ ଶିକ୍ଷାକୁ ଗୁରୁତ୍ବ ସହ ବହୁଭାଷୀ ଶିକ୍ଷା ବ୍ୟବସ୍ଥାରେ ଷଷ୍ଠ ଶ୍ରେଣୀରୁ ସ୍କିଲ୍ ଏଜୁକେଶନକୁ ସାମିଲ କରାଯାଇଛି । ଏହା ବର୍ତ୍ତମାନ ଓ ଭବିଷ୍ୟତର ସମସ୍ତ ପାଠକୁ ମୁକାବିଲା କରିବାକୁ ସମର୍ଥ କରିବାକୁ ଛାତ୍ରଛାତ୍ରୀଙ୍କୁ ଦୃଢ଼ ମୂଳଦୂଆ ଯୋଗାଇଛି ବୋଲି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।
ଶ୍ରେଣୀଗୃହରେ ଲ୍ୟାବ୍ ସୁବିଧା ପିଲାଙ୍କ ଶିକ୍ଷଣକୁ ଆକର୍ଷଣୀୟ କରିପାରିଛି । ଛାତ୍ରଛାତ୍ରୀଙ୍କୁ ପାଠପଢ଼ାକୁ ନେଇ ଚାପ ମୁକ୍ତ ରଖିବାକୁ ନିପୂଣ ଭାରତ, ବିଦ୍ୟା ପ୍ରବେଶ, ଜାଦୁଇ ପିଟାରା ପରି ଯୋଜନା ୨୨ଟି ଭାଷାରେ ଉପଲବ୍ଧ ହୋଇଛି । ଦେଶରେ ୧୪ ଲକ୍ଷ ଶିକ୍ଷକଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ନିଷ୍ଠା ଅଭିଯାନ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଛି ।
ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହେବା ପରଠାରୁ କ୍ଲାସରୁମ ପାଠପଢାର ବ୍ୟାପକ ପରିବର୍ତ୍ତନ ଆସିଛି । ନୂଆପିଢ଼ିକୁ ବିକଶିତ ଭାରତର ସମର୍ଥ ଓ ସକ୍ଷମ ଅଂଶୀଦାର ଭାବେ ଗଢ଼ିବାକୁ NEP ବେଶ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ତେବେ କଣ ରହିଛି ଏହି ଶିକ୍ଷା ନୀତି ସ୍କୁଲ ସ୍ତରରେ
NEPରେ ସ୍କୁଲ ଶିକ୍ଷାକୁ ୪ଟି ସୋପାନରେ ବିଭକ୍ତ କରାଯାଇଛି। ଦ୍ବାଦଶ ଶ୍ରେଣୀ ଯାଏଁ ପାଠପଢାକୁ ୫+୩+୩+୪ରେ ଭାଗ କରାଯାଇଛି। ସ୍କୁଲର ପ୍ରଥମ ୫ ବର୍ଷର ପାଠପଢାକୁ ଫାଉଣ୍ଡେସନ୍ ଭାବେ ରଖାଯାଇଛି। ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢାର ମଜଭୁତ ମୂଳଦୁଆ ପଡ଼ିବେ। ପ୍ରଥମ ୫ ବର୍ଷ ମଧ୍ୟରେ ୩ ବର୍ଷ ପ୍ରି ପ୍ରାଇମେରୀ ସହ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀକୁ ସାମିଲ କରାଯାଇଛି। ଏହି ପାଞ୍ଚବର୍ଷରେ ପିଲାଙ୍କୁ ପୁସ୍ତକ ପରିବର୍ତ୍ତେ ଖେଳକୂଦ ଓ ଅନ୍ୟାନ୍ୟ ଗତିବିଧି ଜରିଆରେ ଶିକ୍ଷା ଦିଆଯିବ।
ସ୍କୁଲ ଶିକ୍ଷାର ଦ୍ବିତୀୟ ସୋପାନ ଅର୍ଥାତ ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯିବ। ଏହି ଅବିଧି ମଧ୍ୟରେ ବିଦ୍ୟାର୍ଥୀଙ୍କୁ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, କଳା ଆଦି ବିଷୟ ସହ ପରିଚିତ କରାଯିବ।
ପରବର୍ତ୍ତି ସୋପାନର ଅବଧି ବି ୩ ବର୍ଷ ରଖାଯାଇଛି। ଯାହାକୁ ସ୍କୁଲ ଶିକ୍ଷାର ମିଡିଲ ଷ୍ଟେଜ୍ କୁହାଯାଉଛି। ଏହି ସୋପାନରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ଅନ୍ତର୍ଭୁକ୍ତ। ଏହି ୩ ବର୍ଷ ବିଦ୍ୟାର୍ଥୀଙ୍କୁ ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁଯାୟୀ ପଢାଯିବ।
ସ୍କୁଲ ଶିକ୍ଷାର ଅନ୍ତିମ ସୋପାନରେ ୪ ବର୍ଷ ଅର୍ଥାତ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ରହିଛି। ଏହି ଶ୍ରେଣୀଗୁଡ଼ିକରେ ବିଦ୍ୟାର୍ଥୀମାନେ ବିଭିନ୍ନ ବିଷୟର ଭଲଭାବରେ ବୁଝିବେ। ସେମାନଙ୍କର ବିଶ୍ଳେଷଣ କ୍ଷମତା ବୃଦ୍ଧି କରାଯିବ। ଜୀବନରେ ବଡ଼ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରାଯିବ।
ଜାତୀୟ ଶିକ୍ଷାନୀତିର ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ବର୍ତ୍ତମାନ ପରି ଷ୍ଟ୍ରିମ୍ ବ୍ୟବସ୍ଥା ରହିବ ନାହିଁ। ଅର୍ଥାତ ଇତିହାସ ଓ ପଦର୍ଥ ବିଜ୍ଞାନକୁ ଏକାଠି ଜଣେ ଚାହିଁଲେ ବିଷୟ ଭାବେ ଚୟନ କରିପାରିବେ। ଏପରିକି ଆକାଉଣ୍ଟସ୍ ଓ କମର୍ସ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଇତିହାସ ବି ପଢ଼ିପାରିବେ।
NEPର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ପଞ୍ଚମ ଶ୍ରେଣୀ ଯାଏଁ ପାଠପଢା ସ୍ଥାନୀୟ ଭାଷା ଓ ଭାରତୀୟ ଭାଷାରେ ହିଁ ହେବ। ଅର୍ଥାତ ପଞ୍ଚମ ଶ୍ରେଣୀ ଯାଏ ଇଂରାଜୀରେ ପଢିବା ଆଉ ବାଧ୍ୟତାମୂଳକ ହେବ ନାହିଁ।
ଷଷ୍ଠ ଶ୍ରେଣୀରୁ ବିଦ୍ୟାର୍ଥୀଙ୍କୁ କମ୍ପ୍ୟୁଟର କୋଡିଂ ଶିକ୍ଷା ଦିଆଯିବ। ଅର୍ଥାତ ଭାରତୀୟ ସ୍କୁଲ ଛାତ୍ରଛାତ୍ରୀ ସଫ୍ଟୱାର ଓ ମୋବାଇଲ ଆପ୍ଲିକେସନ୍ ଡେଭଲପ କରିବା ଶିଖି ପାରିବେ। ଖାଲି ସେତିକି ନୁହେଁ ଷଷ୍ଠ ଶ୍ରେଣୀରୁ ହିଁ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ କରିବାର ମୌକା ମିଳିବ। ଅର୍ଥାତ ଛାତ୍ରଛାତ୍ରୀଙ୍କର ଯଦି କୌଣସି ନିର୍ଦ୍ଦିଷ୍ଟ ବିଷୟରେ ରୁଚି ଅଛି ସେମାନେ ତାହାର ପ୍ରାକ୍ଟିକାଲ ଜ୍ଞାନ ହାସଲ କରିପାରିବେ। ଛାତ୍ରଛାତ୍ରୀ ଯଦି ସଫ୍ଟୱାର ପ୍ରତି ଆଗ୍ରହ ରହିଛି। ତାହାହେଲେ ସିଏ କୌଣସି ସଫ୍ଟୱାର କମ୍ପାନୀରେ ସ୍କୁଲ ବେଳରୁ ହିଁ ଇଣ୍ଟର୍ଣ୍ଣସିପ୍ କରିପାରିବେ।