Odisha Culture / ନେତପିଲା ପର୍ବ: ଶ୍ରୀମନ୍ଦିର ସେବାୟତ କୂଳର ଅନନ୍ୟ ଆଧ୍ୟାତ୍ମିକ ପରମ୍ପରା

Key Points
ଯୁଗ ଆଧୁନିକ ଆଡ଼କୁ ଗତି କରୁଥିଲେ ମଧ୍ୟ ଶହ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଥିବା ପର୍ବ ଏବେ ମଧ୍ୟ ସେବାୟତ ପରିବାରରେ ଚାଲି ଆସୁଛି
ଶ୍ରୀମନ୍ଦିର ସେବାୟତ ସମ୍ପ୍ରଦାୟରେ ନେତପିଲା ଏକ ସ୍ୱତନ୍ତ୍ର ପର୍ବ ଭାବେ ପାଳନ କରାଯାଏ
ଶାରଦୀୟ ଦୂର୍ଗାପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ମହଣମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ମାର୍କେଣ୍ଡ୍ୟ ପୁଷ୍କରଣୀକୁ ଆସି ହରପାର୍ବତୀଙ୍କୁ ବେଶ୍ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି
ବଳିରେ ବଳି, ନକର ଅଳି, କାଲି ଆଣିଦେବି ସରୁ ଚକୁଳି। ଏ ଗୀତ ବୋଲୁଛନ୍ତି ଶ୍ରୀମନ୍ଦିର ସେବାୟତ ଘରର କୁମାରୀ କନ୍ୟା। ଶ୍ରୀମନ୍ଦିର ସେବାୟତ ସମ୍ପ୍ରଦାୟରେ ନେତପିଲା ଏକ ସ୍ୱତନ୍ତ୍ର ପର୍ବ ଭାବେ ପାଳନ କରାଯାଏ। ଶାରଦୀୟ ଦୂର୍ଗାପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ମହଣମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ମାର୍କେଣ୍ଡ୍ୟ ପୁଷ୍କରଣୀକୁ ଆସି ହରପାର୍ବତୀଙ୍କୁ ବେଶ୍ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି। ନେତପିଲାମାନେ ଉତ୍ତମ ବର ପ୍ରାପ୍ତି ପାଇଁ ବ୍ରତ କରିବା ସହିତ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ଏହି ଅବସରରେ ବୁଲିଯିବାର ବିଧି ରହିଛି।
ଯୁଗ ଆଧୁନିକ ଆଡ଼କୁ ଗତି କରୁଥିଲେ ମଧ୍ୟ ଶହ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡ଼ିକରେ ପରମ୍ପରା ମୁତାବକ ଚାଲି ଆସୁଛି। ଏହି ବିଶେଷ ପର୍ବରେ ସେବାୟତ କୂଳର କିଶୋରୀ କନ୍ୟାମାନଙ୍କୁ ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ଆଭୂଷିତ କରାଯାଏ। ଏହାପରେ ମାର୍କଣ୍ଡେୟ ପୁଷ୍କରଣୀ ଠାରେ ଏହି ପୂଜାର୍ଚ୍ଚନା କରାଯାଇଥାଏ। ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ୨୧ଦିନ ଧରି ବଳି ପୂଜା କରିଥାନ୍ତି ଏହି କନ୍ୟାମାନେ। ୨୧ଦିନର ଶେଷ ଦିନ ମାନଙ୍କରେ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି କନ୍ୟାମାନେ। ଯାହା ପରେ ମାର୍କଣ୍ଡ ପୁଷ୍କରିଣୀକୁ ଯାଇ କୂଳରେ ବସି ବଡ଼ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି। ତେଣୁ ଏହି ଅବସରରେ ନେତପିଲା ମାନେ ବଳିଗୀତ ଗାନ କରିବାର ପରମ୍ପରା ରହିଛି।
ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବ ପାଳନ କରାଯାଏ। ସ୍ୱତନ୍ତ୍ର ଆଭୂଷଣ ଏବଂ ବସ୍ତ୍ରରେ ଭୂଷିତ ହୋଇ ସେବାୟତ ସମ୍ପ୍ରଦାୟର ନେତପିଲାମାନେ ବିଭିନ୍ନ ପ୍ରକାର ଫଳ, ପାଣିକଖାରୁ, ଜହ୍ନି, ପରିବା ଓ ଗୁଆ ଆଦି ଅର୍ପଣ କରି ପୂଜା କରନ୍ତି। ଏହି ପର୍ବରେ ସେବାୟତଙ୍କ ଘର ଗୁଡ଼ିକ ବେଶ୍ ଉତ୍ସବ ମୁଖର ହୋଇ ଉଠିଥାଏ। ତେବେ କାହିଁ କେଉଁ କାଳରୁ ଶ୍ରୀକ୍ଷେତ୍ରରେ ଏଭଳି ନିଆରା ପରମ୍ପରା ପାଳିତ ହୋଇ ଆସୁଛି ସେବାୟତଙ୍କ କୂଳରେ।
📱 Get Argus News App
✨Related Topics
Explore more stories