ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ: ବଦଳିବ ନିୟମ

ଏପ୍ରିଲ ପହିଲାରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଦିନରେ ଆୟକରଠାରୁ ଆରମ୍ଭ କରି ଜିଏସ୍ଟି, କ୍ରେଡିଟ୍ କାର୍ଡ, ୟୁପିଆଇ ନିୟମ ସମେତ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାାରାଶି ପାଇଁ ରହିଥିବା ନିୟମ ବଦଳିଯିବ । ଟିକସଦାତାଙ୍କ ସମେତ ନାଗରିକମାନେ ଏହାଦ୍ବାରା ପ୍ରଭାବିତ ହେବେ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଫେବ୍ରୁଆରି ୧ରେ ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବା ସମୟରେ ଆୟକର ନିୟମ ପରିବର୍ତ୍ତନ ଘୋଷଣା କରିଛନ୍ତି । ନୂଆ ନିୟମ ଅନୁଯାୟୀ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ ।
ୟୁପିଆଇର ସୁରକ୍ଷାକୁ ବଢାଇବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ କେତେକ ନୂଆ ନିୟମ ଏପ୍ରିଲ ପହିଲାରୁ ଲାଗୁ କରିବେ । ଏହାଦ୍ବାରା ନିଷ୍କ୍ରିୟ ମୋବାଇଲ ଫୋନ ନମ୍ବରରୁ ୟୁପିଆଇ କରାଯାଇ ପାରିବ ନାହିଁ ।
କେତେକ କାର୍ଡଧାରୀଙ୍କ ପାଇଁ କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ ହୋଇଯିବ । ରିୱାର୍ଡ ପଏଣ୍ଟ ଢାଞ୍ଚା ଦୃଷ୍ଟିରୁ ଏହି ପରିବର୍ତ୍ତନ ହେବ । ସେପଟେ ପହିଲାରୁ ପୁରୁଣା ପେନସନ୍ ସ୍କିମ୍ ବଦଲରେ ୟୁପିଏସ୍ କାର୍ଯ୍ୟକାରୀ ହେବ ।
ଜିଏସ୍ଟି ନିୟମ ମଧ୍ୟ ବଦଳିଯିବ । ଜିଏସ୍ଟି ପୋର୍ଟାଲରେ ମଲ୍ଟି ଫ୍ୟାକ୍ଟର ଅଥେଣ୍ଟିକେସନକୁ ଟିକସଦାତାଙ୍କ ପାଇଁ ବାଧ୍ୟତାମୂଳକ କରାଯିବ । ସେଭଳି କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ପାଇଁ ନୂଆ ସର୍ବନିମ୍ନ ଜମା ନିୟମ କାର୍ଯ୍ୟକାରୀ କରିବେ । ସର୍ବନିମ୍ନ ଜମାରାଶି ଯେଉଁମାନଙ୍କ ଖାତାରେ ନଥିବ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ।