Videos
|
Odisha

New Gold Ornaments / ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର, ଆସନ୍ତା ୩୦ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର

Bikash Mohanty
Browse all articles by Bikash Mohanty
·2 hours ago·3 min read
ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର, ଆସନ୍ତା ୩୦ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର
Lord Jagannath

Key Points

ନୂଆ ସୁନାବେଶ ସେଟ୍ ନିର୍ମାଣକୁ ଅନୁମୋଦନ
୩୦ରୁ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର!
ସକାଳ ୬ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ହେବ ଦର୍ଶନ
ଶ୍ରୀମନ୍ଦିର ପରିଚାଳନା କମିଟିର ବଡ଼ ନିଷ୍ପତ୍ତି
ପୁରୀ,୨୬/୦୯: ମହାପ୍ରଭୁଙ୍କ ସୁନାବେଶ ପାଇଁ ଆଉ ଏକ ନୂତନ ସୁନା ଅଳଙ୍କାର ସେଟ୍ ତିଆରି କରାଯିବ। ଏନେଇ ଖୁବଶୀଘ୍ର ପ୍ରସ୍ତୁତି ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ନିଜସ୍ଵ ଅର୍ଥରେ ଏହି ସୁନା ଅଳଙ୍କାର ତିଆରି କରିବ। ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ନୂତନ ସୁନା ଅଳଙ୍କାର ସେଟ୍ ତିଆରି ନେଇ ଦାନ ଦେବା ପାଇଁ ଚାହିଁବେ ସେମାନେ ଶ୍ରୀମନ୍ଦିର ପ୍ରଶାସନ ସହିତ ଆଲୋଚନା କରି ଦାନ ଦେଇପାରିବେ।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ସ୍ନାନଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମର ଭିଡ଼ିଓ ବୈଠକରେ ପ୍ରଦର୍ଶିତ କରାଯାଇଥିଲା। ଯାହାକିଛି ଅସଙ୍ଗତି ଏବଂ ତ୍ରୁଟି ବିଚ୍ୟୁତି ସୃଷ୍ଟି ହୋଇଥିଲା ତାହାର ସମୀକ୍ଷା କରାଯାଇଥିବା ବେଳେ ଆଗାମୀ ରଥଯାତ୍ରାରେ ଯେଭଳି ଏହି ତ୍ରୁଟି ବିଚ୍ୟୁତି ନହୁଏ ସମସ୍ତ ପ୍ରକାରର ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଆସନ୍ତା ନଭେମ୍ବର ମାସରେ ଶ୍ରୀମନ୍ଦିର ସେବାୟତ ଗୁରୁକୂଳର ଭୂମି ପୂଜନ କାର୍ଯ୍ୟକ୍ରମ କରାଯିବ। ସେବାୟତ ଗୁରୁକୂଳରେ ଅତ୍ୟାଧୁନିକ ଖେଳ ପଡିଆ, ଅଡିଟୋରିୟମ, ଶ୍ରେଣୀ କକ୍ଷ, ମନ୍ଦିର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଓବିସିସି ମାଧ୍ୟମରେ କରାଯିବ। ଶ୍ରୀମନ୍ଦିର ପ୍ରମୋଦ ଉଦ୍ୟାନର ଉନ୍ନତି କରଣ କାର୍ଯ୍ୟ କରାଯିବ। ରଘୁନନ୍ଦନ ଲାଇବ୍ରେରୀ କାର୍ଯ୍ୟ ଶିଘ୍ର ଆରମ୍ଭ କରିବାକୁ ଓବିସିସିକୁ ପରିଚାଳନା କମିଟି ବୈଠକରେ କୁହାଯାଇଛି। ଶ୍ରୀଜଗନ୍ନାଥ ଭୂମି ପରିଚାଳନା ଅଧିନିୟମ ୨୦୨୬ କୁ ସରକାର ଅନୁମୋଦନ କରିଛନ୍ତି। ତେବେ ଏ ସମ୍ପର୍କରେ ଲୋକଙ୍କୁ ସଠିକ୍ ସୂଚନା ଦେବାପାଇଁ ଏକ ସ୍ବତନ୍ତ୍ର ସେଲ୍ ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ।

ପଢନ୍ତୁ ଏହି ଖବର:  ଶ୍ରୀମନ୍ଦିର ଉପରେ ପୁଣି ବସିଲା ଚିଲ, ଏହା ଶୁଭ ନା ଅଶୁଭ?

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଅଧିକ ପ୍ରଚାର ପ୍ରସାର କରିବା ଏବଂ ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ବିକୃତ କରୁଥିବା କୌଣସି ବ୍ୟକ୍ତି ବା ଅନୁଷ୍ଠାନ ବିରୁଦ୍ଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗଜପତିଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ ହୋଇଛି। ଏହି ସବ୍ କମିଟି ଆଗାମୀ ଦିନରେ ଦିଲ୍ଲୀ ଗସ୍ତ କରି ଭାରତ ସରକାରଙ୍କ ସହିତ ଆଲୋଚନା କରିବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଯେଭଳି ଉଲ୍ଲଂଘନ ନହୁଏ ସେନେଇ ଭାରତ ସରକାର ପଦକ୍ଷେପ ନେବାକୁ ଏହି କମିଟିର ସଦସ୍ୟ ମାନେ ଆଲୋଚନା କରିବେ। ରାଷ୍ଟ୍ରପତି ଭବନରେ ମହାପ୍ରଭୁଙ୍କ ତିନି ରଥର ଚକ ସ୍ଥାପନ, ହରଚଣ୍ଡୀ ସାହିରେ ବେଦ ବିଶ୍ବବିଦ୍ୟାଳୟ ଏବଂ ଜଟଣୀ ଅଞ୍ଚଳରେ ଶ୍ରୀଜଗନ୍ନାଥ ଭୂସମ୍ପତ୍ତିର ସୁରକ୍ଷା, ଶ୍ରୀମନ୍ଦିର ହେରିଟେଜ ଏଲୁମିନେସନ ସମ୍ପର୍କରେ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ପ୍ରବେଶ ଶୁଳ୍କ ମାତ୍ର ୧୦ ଟଙ୍କା ରହିବ। ଗୁଣ୍ଡିଚା ମନ୍ଦିର ଖୋଲିବାର ପ୍ରଥମ ତିନିଦିନ ଭକ୍ତଙ୍କ ପ୍ରବେଶ ପାଇଁ ସମ୍ପୂର୍ଣ୍ଣ ନିଃଶୁଳ୍କ ରହିବ। ତେବେ ପ୍ରବେଶ ଶୁଳ୍କ ୧୦ ଟଙ୍କା ରଖାଯାଇଥିବା ବେଳେ ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ, ଛୋଟପିଲା, ଦିବ୍ୟାଙ୍ଗଙ୍କ ପାଇଁ ପ୍ରବେଶ ଶୁଳ୍କ ଲାଗୁ ହେବ ନାହିଁ। ଶ୍ରୀମନ୍ଦିର ନାଟମଣ୍ଡପ ରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପୂର୍ବରୁ ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ଆଇଆଇଟି ଭୁବନେଶ୍ୱର ପକ୍ଷରୁ କରାଯାଇଥିବା ମଡେଲର ଅନୁଧ୍ୟାନ ପାଇଁ ପରିଚାଳନା କମିଟି ସଦସ୍ୟର ଏକ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭକ୍ତ ଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ଉତ୍ତର ଦ୍ଵାର ନିକଟରେ ସ୍ବତନ୍ତ୍ର ଦର୍ଶନ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏନେଇ ଦୈନିକ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ସ୍ଲଟ ବୁକିଂ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ଉତ୍ତର ଦ୍ଵାର ଦେଇ କେବଳ ପୁରୀ ସହରାଞ୍ଚଳ ବାସିନ୍ଦା ମାନେ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ସ୍ଲଟ୍ ବୁକିଂ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରବେଶ ପାଇଁ ବ୍ୟବସ୍ଥା କରାଯିବ। ପୁରୀ ଜିଲ୍ଲାପାଳ ଏବଂ ଏସପି ଏନେଇ ସବିଶେଷ ପ୍ରସ୍ତୁତି କରିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ।

ଶ୍ରୀମନ୍ଦିର ନୀତିକାନ୍ତିରେ ଶୃଙ୍ଖଳା ଏବଂ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ଆଜି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ବିଭିନ୍ନ ପରାମର୍ଶ ଲୋଡିବେ । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।