କମ୍ ଖର୍ଚ୍ଚରେ ନୂଆ ପ୍ରଣାଳୀରେ ଛତୁ ଚାଷ, ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ

କମ୍ ଖର୍ଚ୍ଚରେ ନୂଆ ପ୍ରଣାଳୀରେ ଛତୁ ଚାଷ । ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଯୋଗାଇବ ବଳ । ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଗ୍ରୀଷ୍ମ ମଣ୍ଡଳୀୟ ଛତୁ ଗବେଷଣା ଓ ତାଲିମ୍ କେନ୍ଦ୍ରରେ ଗୁଣ୍ଡ ନଡ଼ା, ବିଲରେ ପଡି ରହିଥିବା ଅବ୍ୟବହୃତ ନଡ଼ା କିମ୍ବା ପାଳ ବ୍ୟବହାର କରି ଅର୍ଦ୍ଧ-କମ୍ପୋଷ୍ଟ ପ୍ରଣାଳୀରେ ପାଳ ଛତୁ ଉତ୍ପାଦନ ସଫଳ ହୋଇଛି । ଏବେ ଏହି ପ୍ରଣାଳୀରେ ଛତୁ ଚାଷ ପାଇଁ ଚାଷୀଙ୍କୁ ଦିଆଯାଉଛି ତାଲିମ୍ । ଯେଉଁଥି ପାଇଁ ଆବଶ୍ୟକ ମୁଖ୍ୟତଃ ୪ଟି ଉପାଦାନ । ମେସିନ ଦ୍ଵାରା ଅମଳ କରାଯାଇଥିବା ନଡ଼ା, ଗହମ ଚୋକଡ଼, ସଦ୍ୟ କୁକୁଡ଼ା ଖତ, କ୍ୟାଲସିୟମ୍ କାର୍ବୋନେଟ ବା ଚୂନ ।
ଛତୁ ଚାଷର ପୁରା ପ୍ରଣାଳୀ ହେଉଛି- ପାଳକୁ ଛୋଟ ଛୋଟ କାଟି ପରିଷ୍କାର ସିମେଣ୍ଟ ଚଟାଣ ଉପରେ ବିଛାଇ ପାଣି ଛିଞ୍ଚି ଭିଜାଯାଏ । ଦୁଇ ଦିନ ପରେ ସେଥିରେ ଗହମ ଚୋକଡ଼ ଓ କୁକୁଡ଼ା ଖତ ମିଶାଇ ଗଦା ମରାଯାଏ । ଚତୁର୍ଥ ଦିନ ଗଦା ଭାଙ୍ଗି ତାକୁ ତଳ ଉପର କରାଯାଏ ।. ସେଥିରେ କ୍ୟାଲସିୟମ୍ କାର୍ବୋନେଟ ବା ଚୂନ ମିଶାଇ ପୁଣି ଗଦା ମରାଯାଏ । ୬ ଦିନ ପରେ ତାହା କମ୍ପୋଷ୍ଟରେ ପରିଣତ ହୋଇଥାଏ । ମଞ୍ଜି ବ୍ୟବହାରର ୧୫ ଦିନରେ ପାଳ ଛତୁ କଢ ବାହାରି ଅମଳଯୋଗ୍ୟ ହୋଇଥାଏ ।ପ୍ରତି ୧୦୦ କିଗ୍ରା କମ୍ପୋଷ୍ଟରୁ ସର୍ବୋଚ୍ଚ ୧୫-୧୬ କିଲୋଗ୍ରାମ ଛତୁ ଅମଳ ହୁଏ । ଅର୍ଦ୍ଧ-କମ୍ପୋଷ୍ଟ ପ୍ରଣାଳୀରେ ଛତୁ ଅମଳ କରି ସାରିବା ପରେ ସେଗୁଡ଼ିକୁ ସିଧାସଳଖ ଜୈବିକ ଖତ ରୂପେ ବ୍ୟବହାର କରାଯାଇଥାଏ ।
ପାରମ୍ପରିକ ପ୍ରଣାଳୀ ଅପେକ୍ଷା ଅର୍କ୍-କମ୍ପୋଷ୍ଟ ପ୍ରଣାଳୀରେ ଅଧିକ ଅମଳ ମିଳୁଥିବାରୁ ଚାଷୀମାନେ ଏହି ନୂତନ ପଦ୍ଧତି ଆପଣେଇବା ପାଇଁ All Odisha DST Trainer Mushroom & Agriculture ପକ୍ଷରୁ ବାରିପଦା ବ୍ଲକ ମହୁଲିଆ ଗାଁରେ ଆଶାୟୀ ଛତୁଚାଷୀଙ୍କୁ ଦିଆଯାଉଛି ସ୍ବତନ୍ତ୍ର ତାଲିମ । ଏଥିରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ସହ ପଡୋଶୀ ବାଲେଶ୍ଵର, କେନ୍ଦୁଝର ଓ ପଶ୍ଚିମବଙ୍ଗ ଅଞ୍ଚଳରୁ ମଧ୍ୟ ଛତୁଚାଷୀ ଯୋଗ ଦେଇଛନ୍ତି । କମ୍ ସମୟ ଓ ଅଳ୍ପ ପରିଶ୍ରମ ଦ୍ବାରା ଛତୁଚାଷୀ ଅଧିକ ଅର୍ଥ ରୋଜଗାର କରିଥାନ୍ତି । ଏଥିରେ ପୁରୁଷଙ୍କ ତୁଳନାରେ ମହିଳା ମାନେ ଛତୁ ଚାଷ ପ୍ରତି ଅଧିକ ଆଗ୍ରହୀ ଥିବା ଦେଖାଯାଉଛି ।