NHRCଙ୍କ ଆଗରେ ରେକର୍ଡ ହେଲା ମୃତ ନେପାଳୀ ଛାତ୍ରୀଙ୍କ ସାଙ୍ଗମାନଙ୍କ ବୟାନ

ବଢୁଛି KIIT ଓ ଅଚ୍ୟୁତଙ୍କ ଅଡୁଆ, ଚାଲିଛି NHRCର ମାରାଥନ ଜେରା । ରାଜ୍ୟ ଅତିଥି ଭବନରେ କିଟ୍ କର୍ମଚାରୀଙ୍କୁ କରାଯାଉଛି ପଚରାଉଚରା । କିଟ୍ରେ ମାନବାଧିକାର ଉଲ୍ଲଂଘନ ନେଇ ରହିଛି ମଜଭୁତ ପ୍ରମାଣ । ମୃତ ନେପାଳୀ ଛାତ୍ରୀଙ୍କ ସହପାଠୀ ବି NHRC ଆଗରେ ରଖିଲେ ବୟାନ । କିଟ୍ର ଆଉ ୩ କର୍ମୀଚାରୀଙ୍କୁ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ଲାଗି ନୋଟିସ ।
ଗତକାଲି କିଟ୍ କ୍ୟାମ୍ପସରେ NHRC ଟିମର ୫ ଘଣ୍ଟିଆ ତନାଘନା ପରେ ଆଜି ରାଜ୍ୟ ଅତିଥୀ ଭବନରେ ଚାଲିଥିଲା ମାରାଥନ ଜେରା । ହାଜର ହୋଇଥିଲେ କିଟ୍ର ଜଣେ ପରେ ଜଣେ ଅଧିକାରୀ। ପ୍ରଥମେ ହାଜର ହୋଇଥିଲେ ଦୁଇ ମହିଳା ଅଧିକାରୀ। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ କିଟରେ ନେପାଳ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ସହ ନିର୍ଯାତନା ଦିଆଯିବା ନେଇ ଦୁଇ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା NHRC ଟିମ୍ ।
ଏହାପାରେ ମାମଲାର ତଦନ୍ତ କରୁଥିବା ଇନଭେଷ୍ଟିଗେଟିଂ ଅଫିସରଙ୍କ ଠାରୁ ବି ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ମାଗିଥିଲେ ଜାତୀୟ ମାନବାଧିକାର କମିଶନ ଟିମ୍। ପରେ ମୃତ ଛାତ୍ରୀ ପ୍ରକୃତିଙ୍କ ସହପାଠୀ ଜଣେ ଛାତ୍ରୀ ଓ ୪ ଛାତ୍ରଙ୍କୁ ଡାକି ପଚରାଉଚୁରା କରିଥିଲେ। କିଟରେ ଫେବ୍ରୁଆରୀ ୧୭ ଓ ୧୮ ତାରିଖରେ ହୋଇଥିବା ନାରକୀୟ କାଣ୍ଡ ବିଷୟରେ ଗୋଟି ଗୋଟି କରି NHRCଙ୍କୁ କହିଛନ୍ତି ନେପାଳ ଛାତ୍ରଛାତ୍ରୀ।
ପରେ କିଟ IRO ରେଶମା ନାୱାଜ ଓ ଅନ୍ୟ ଜଣେ ମହିଳା କର୍ମଚାରୀ ବି NHRCଙ୍କ ଜେରାର ସମ୍ମୁଖୀନ ହୋଇଥିଲେ। ଏଥିସହ କିଟ୍ ଓ କିସ୍ରେ ହୋଇଥିବା ବିଭିନ୍ନ ବେଆଇନ କାର୍ଯ୍ୟ ସହ ସରକାରୀ ଜମି ଓ ଲୋକଙ୍କ ଜମି ହଡପ ଅଭିଯୋଗ ଆଣି NHRCଙ୍କୁ ଭେଟି ତଥ୍ୟ ପ୍ରମାଣ ଦେଇଥିଲେ ସୂଚନା ଅଧିକାର କର୍ମୀ ଓ ଜଣେ ସ୍ଥାନୀୟ ବାସିନ୍ଦା ।
ସେପଟେ କିଟ କାଣ୍ଡରେ ବିଧାନସଭାରେ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି କିଟ ଘଟଣାରେ ଆଉ ୩ ଜଣ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ ହୋଇଛି। କିଟ୍ର ଡାଇରେକ୍ଟର ଅଫ୍ ଷ୍ଟୁଡେଣ୍ଟ ଆଫାୟାର, DG International Relations ଓ ଡାଇରେକ୍ଟର ଆଡମିନିଷ୍ଟ୍ରେସନଙ୍କୁ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଅଚ୍ୟୁତ ସାମନ୍ତଙ୍କ ସହ ୧୩ ଜଣଙ୍କୁ ପଚରା ଉଚୁରା ସରିଛି। ତେବେ କିଟ୍ ଛାତ୍ରଛାତ୍ରୀଙ୍କ ପାଠପଢା ଓ କ୍ଲାସ ଯେପରି ସ୍ବାଭାବିକ ଭାବେ ଚାଲିବ ସେଥିପାଇଁ ଉତ୍କଳ ଓ ରମାଦେବୀ ବିଶ୍ୱବିଦ୍ୟାଳୟର ୪ ଜଣ ପ୍ରଫେସରଙ୍କୁ ନେଇ ଏକ କମିଟି ଗଠନ ହୋଇଛି। ଏହି କମିଟି ପ୍ରତି ୧୫ ଦିନରେ ଥରେ କିଟ୍ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଆଗକୁ କିଟ୍ ବିରୋଧ ରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି ଏବେ ତାହା ଉପରେ ନଜର।
