କେନ୍ଦ୍ର ଗୃହମନ୍ତ୍ରାଳୟର ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ କଲା NIA

Key Points
ଅନ୍ତରାଷ୍ଟ୍ରୀୟ ଯୁବତୀ ଚାଲାଣ ରାକେଟ୍ ପଛରେ କିଏ ?
ଯୁବତୀ ଚାଲାଣ ନାଁରେ ଦେଶ ବିରୋଧରେ ହେଉଛି କି ଷଡଯନ୍ତ୍ର ?
କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲାରେ NIA ର ଏଣ୍ଟ୍ରି
କେନ୍ଦ୍ର ଗୃହମନ୍ତ୍ରାଳୟର ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ କଲା NIA
ଓଡ଼ିଶାରେ ମାନବ ଚାଲାଣ ରାକେଟ ପଛରେ କିଏ ଏହାର ପର୍ଦ୍ଦାଫାଶ କରିବ NIA। ମାନବ ଚାଲାଣରେ ଅନ୍ତରାଷ୍ଟ୍ରୀୟ ଲିଙ୍କର ଖୋଳତାଡ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା। ଯୁବତୀ ଚାଲାଣ ନାଁରେ ଦେଶ ବିରୋଧରେ ହେଉଛି କି ଷଡଯନ୍ତ୍ର । ଆଭ୍ୟନ୍ତରୀଣ ସୁରକ୍ଷା ଦିଗରେ ତଦନ୍ତ କରିବ NIA। କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାର ତଦନ୍ତ ଭାର ଏବେ NIA ନିଜ ହାତକୁ ନେଇଛି। କେନ୍ଦ୍ର ଗୃହମନ୍ତ୍ରାଳୟର ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ କଲା NIA । ଏହି ମାମଲାରେ କଟକ ମଧୁପାଟଣା ଥାନା ପୋଲିସ ଗିରଫ କରିଥିବା ୬ ଜଣ ଅଭିଯୁକ୍ତ ହେଲେ ।
ଏମାନଙ୍କୁ NIA ନିଜର ନୋଡାଲ କୋର୍ଟ ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ କୋର୍ଟରେ ଆସନ୍ତା ୧୦ ତାରିଖରେ ହାଜର କରେଇବ। କିପରି ଭାବେ ବାଂଲାଦେଶୀ ନାବାଳିକା ଏମାନଙ୍କ ଲିଙ୍କରେ ଆସିଥିଲା ? ଏମାନଙ୍କ ସହ ରାଜ୍ୟ, ରାଜ୍ୟ ବାହାରେ ଓ ଦେଶ ବାହାରେ ଆଉ କାହାର କାହାର ଲିଙ୍କ ରହିଛି ? କେବେଠାରୁ ଏମାନେ ଏହି ବେଆଇନ କାର୍ଯ୍ୟ କରୁଛନ୍ତି ? ଆଉ କେତେଜଣ ନାବାଳିକା ଓ ଯୁବତୀଙ୍କୁ ଏମାନେ ସୀମା ପାର କରେଇଛନ୍ତି ? ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଆଘାତ ଦେବାରେ ଏମାନେ କାମ କରୁଥିଲେ କି ? ଏଭଳି ଅନେକ ଦିଗ ନେଇ ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା।
📱 Get Argus News App
✨ନଭେମ୍ବର ୨୦୨୪ କଟକରୁ ବାଂଲାଦେଶୀ ନାବାଳିକାକୁ ଉଦ୍ଧାର କରିଥିଲା ମଧୁପାଟଣା ଥାନା ପୋଲିସ। ନାବାଳିକାଙ୍କ ଠାରୁ ମିଳିଥିଲା ଚାଞ୍ଚଲ୍ୟକର ତଥ୍ୟ କିଭଳି ଭାବେ ନାବାଳିକାକୁ ଚାକିରୀ ଲୋଭରେ ବାଂଲାଦେଶରୁ ବେଆଇନ ଭାବେ ସୀମା ପାର କରେଇ ଭାରତ ଅଣାଗଲା । ସେ କିପରି ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଥିଲେ। ତାଙ୍କୁ କିପରି ଭାବେ ଗିରଫ ଅଭିଯୁକ୍ତମାନେ ଦେହ ବ୍ୟବସାୟରେ ନିୟୋଜିତ କରାଉଥିଲେ। ଏସବୁ ବିଷୟରେ ପୋଲିସ ଓ ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ଖୁଲାସା କରିଥିଲେ ନାବାଳିକା।
ନାବାଳିକା ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ନେପାଳରେ ରହୁଥିବା ବନ୍ଧୁ ଭାରତରେ ଚାକିରୀ କରେଇଦେବା ପାଇଁ ନାବାଳିକାଙ୍କୁ ଜଣଙ୍କ ସହ ଯୋଗାଯୋଗ କରେଇଥିଲା। ଏହା ପରେ ସେ ଲୋକଟି ନାବାଳିକାକୁ ବେଆଇନ ଭାବେ ସୀମା ପାର କରେଇ ଭାରତରେ ପ୍ରବେଶ କରାଇଥିଲା। କଲିକତାରେ କିଛିଦିନ ନାବାଳିକା ରହିବା ପରେ ତାଙ୍କୁ ବାରିପଦା ଅଣା ଯାଇ ଜୋର ଜବରଦସ୍ତ ଦେହ ବ୍ୟବସାୟ କାମରେ ଲଗାଯାଉଥିଲା। ଦିନକୁ ୧୩ଜଣ ଗ୍ରାହକଙ୍କ ନିକଟକୁ ଯିବା ପାଇଁ ବାଧ୍ୟ କରୁଥିଲା ଦଲାଲ। ବାରିପଦାରେ ରଖିବା ପରେ ପୁଣି ନାବାଳିକାକୁ ଭୁବନେଶ୍ଵର ପଠାଇଥିଲା ଦଲାଲ। ଏହା ପରେ ସେ କଟକ ଆସିଥିଲେ। ଦଲାଲ ମାନେ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ବୋଲି ସେ ଅଭିଯୋଗ କରିଥିଲେ। ତେବେ ଏଭଳି ଘଟଣା ସାମନାକୁ ଆସିବା ପରେ ପୋଲିସ ତଦନ୍ତ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ନାବାଳିକାକୁ ତାଙ୍କ ଦେଶକୁ ପଠେଇ ଦିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।
ମାନବ ଚାଲାଣ ନାଁରେ ଦେଶ ବିରୋଧରେ ହେଉନି ତ ଷଡଯନ୍ତ୍ର । କାରଣ କିଛି ଦିନ ତଳେ ଭୁବନେଶ୍ବରରୁ ଧରାପଡିଥିଲା ବାଂଲାଦେଶୀ ସିମବକ୍ସ ରାକେଟ । ଏହାର ମଧ୍ୟ ଖୋଳତାଡ କରୁଛି NIA।