ନୀଳାଦ୍ରି ମହୋଦୟାଷ୍ଟମୀ, ୧୦୮ କୁମ୍ଭ ଜଳରେ ଦାରୁଦିଅଁଙ୍କ ହେବ ଜଳାଭିଷେକ

ଆଜି ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି । ଏହି ପବିତ୍ର ଦିବସର ନାମ ହେଉଛି ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ଦିନ ସ୍ୱୟଂ ବ୍ରହ୍ମା, ମହାପ୍ରଭୁଙ୍କ ଜଳାଭିଷେକ କରାଇଥିଲେ ବୋଲି ବାମଦେବ ସଂହିତା ଓ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି । ଶ୍ରୀମନ୍ଦିରରେ ଆଜି ପ୍ରାତଃ ସମୟରୁ ନୀତି ବଢି ସାରିବା ପରେ ଗତଦିନ ଅଧିବାସ ହୋଇଥିବା ୧୦୮ ଜଳଗରାକୁ ପ୍ରତିହାରୀ ମାନଙ୍କ ସୁରକ୍ଷାରେ ଗରାବଡୁ ସେବକ ବାଘମୁହଁ ବାନ୍ଧି ଘଣ୍ଟ, ଛତା, କାହାଳୀ, ତଳୁଛ ପଟୁଆରରେ ଆସି ଚାରି ଥରରେ ଚାରିପନ୍ତି କରି ରଖିବେ ।
ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ଯଥାକ୍ରମେ ୩୫, ୩୩, ୨୨ ଓ ୧୮ ଗରା ପାଣିରେ ପ୍ରତୀକାତ୍ମକ ଭାବେ ଦର୍ପଣ ଉପରେ ସ୍ନାନ କରାଯିବ । ପୂଜାପଣ୍ଡା ଷୋଡ଼ଶ ଉପଚାରରେ ଧୂପ ମଣୋହି କଲା ପରେ, ପାଣି ପଡ଼ି ଧୋପଖାଳ ହେବା ପରେ ତିନିବାଡ଼ରେ ବନ୍ଦାପନା ହୋଇ ପୂଜାପଣ୍ଡା ଆଜ୍ଞାମାଳ ପରେ ଠାକୁର ଠାକୁରାଣୀ ଚନ୍ଦନ ଯାତ୍ରାକୁ ବିଜେ କରିବେ । ଏହି ଦିନକୁ ମନ୍ଦିରର ବାର୍ଷିକତ୍ସୋବ ଭାବେ ମଧ୍ୟ ପାଳନ କରାଯାଏ ବୋଲି ଲୋକକଥା ରହିଛି ।
📱 Get Argus News App
✨ସପ୍ତମୀ ରାତିରୁ ୧୦୮ ଜଳକୁମ୍ଭ ଅଧିବାସ ହୋଇ ରହିଛି । ଅଷ୍ଟମୀରେ ସକାଳ ଧୂପ ଓ ଆଲଟ ଲାଗି ସରିଲେ ଭିତର ଗମ୍ଭୀରାରେ ପାଣି ପଡ଼ିବ । ପରେ ଅଧିବାସ ଜଳକୁ ସେବକମାନେ ଘଣ୍ଟ ଛତା ଓ କାହାଳୀର ପଟୁଆରରେ ନେଇ ରତ୍ନସିଂହାସନ ନିକଟରେ ବିଜେ କରିବେ । ଏହାପରେ ଜଳପୂଜା ଓ ଜଳ ଲାଗି ବିଧି ସମ୍ପନ୍ନ ହେବ । ଏହି ତିଥିରେ ଯଜ୍ଞମଣ୍ଡପରୁ ବିଜେ ହୋଇ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନସିଂହାସନରେ ଅଧିଷ୍ଠିତ ହୋଇଥିଲେ । ସ୍କନ୍ଦ ପୁରାଣ ଅନୁସାରେ ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହୋଇଥାଏ । କୁହାଯାଏ ଏହି ଦିନ ଦାନ, ତପସ୍ୟା ଓ ହୋମାଦି କାର୍ଯ୍ୟ କଲେ ଅଶେଷ ଫଳ ମିଳେ । ବାମଦେବ ସଂହିତାରେ ଏହାର ମାହାତ୍ମ୍ୟ ବର୍ଣ୍ଣନା ହୋଇଛି ।