ନୀତି ଆୟୋଗ ରିପୋର୍ଟ କହିଦେଲା ନବୀନଙ୍କ ଓଡ଼ିଶା କେତେ ପଛରେ ! ପଢ଼ନ୍ତୁ...

ଓଡିଶା ଦିବସରେ ରାଜ୍ୟର ବିକାଶକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । କିଏ କରିଛି ବିକାଶ ? ନବୀନ କହିଲେ, ୨୦୦୦ ରୁ ୨୦୨୪ ଥିଲା ଓଡିଶା ବିକାଶର ନୂଆ ଯୁଗ । ୨୪ ବର୍ଷର ସିଏମ୍ ଏବେକାର ବିରୋଧୀ ଦଳ ନେତାଙ୍କୁ କଡ଼ା ସମାଲୋଚନା କଲେ ପୃଥ୍ବିୀରାଜ । କହିଲେ, ନବୀନ ନିଜ ପିଠି ଥାପୁଡେଇବା ବନ୍ଦ କରନ୍ତୁ । କହିଲେ ୨୪ ବର୍ଷ ସରକାରରେ ଓଡ଼ିଶାକୁ କେତେ ବର୍ଷ ପଛକୁ ନେଇଛନ୍ତି ତାହା ଦେଖିଛନ୍ତି ଓଡ଼ିଶାବାସୀ ।
୨୪ ବର୍ଷ ବିଜେଡି ସରକାରରେ କେତେ ବିକଶିତ ହୋଇଥିଲା ଓଡ଼ିଶା ? କେତେଦୂର ଲୋକଙ୍କ ପାଖରେ ପହଞ୍ଚି ପାରିଥିଲା ମୌଳିକ ସୁବିଧା ? ସବୁ ଅଞ୍ଚଳର ବିକାଶ ହୋଇଥିଲା ତ ? ଓଡ଼ିଶା ଦିବସରେ ରାଜ୍ୟର ବିକାଶକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ବିତର୍କ । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ।
ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଆୟୋଜିତ ଓଡ଼ିଶା ଦିବସ ପାଳନ ଅବସରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା କହିଛନ୍ତି ୨୦୦୦ ରୁ ୨୦୨୪ ଥିଲା ଓଡ଼ିଶା ବିକାଶର ନୂଆ ଯୁଗ । ଗତ ଚବିଶ ବର୍ଷ ମଧ୍ୟରେ କୃଷି, ପୁଞ୍ଜି ନିବେଶ, ଭିତ୍ତିଭୂମି, ଅର୍ଥନୀତି, କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ସହିତ ବିକାଶର ବିଭିନ୍ନ ସୂଚକାଙ୍କରେ ଓଡିଶା ଆଗରେ ଅଛି । ଗରିବୀ ୭୦ ପ୍ରତିଶତରୁ ୧୦ ପ୍ରତିଶତକୁ କମିଛି । ଯାହାର କଡ଼ା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ନବୀନଙ୍କ ଶାସନରେ କେମିତି ଥିଲା ରାଜ୍ୟର ବିକାଶ, ତାହାର ସଦ୍ୟତମ ପ୍ରମାଣ ନୀତି ଆୟୋଗଙ୍କ ରିପୋର୍ଟ । ନୀତି ଆୟୋଗର SDG ସୂଚକାଙ୍କ ୨୦୨୪ରେ ଓଡ଼ିଶାର ସ୍ଥିତି ଅତି ଦୟନୀୟ ରହିଛି । ରିପୋର୍ଟ କହୁଛି ନବୀନଙ୍କ ଶାସନରେ ଓଡ଼ିଶାକୁ ମିଳିଥିଲା ଦୁସ୍ଥ ଓ ପଛୁଆ ରାଜ୍ୟର ପରିଚୟ । ସାମଗ୍ରିକ ବିକାଶ ଲକ୍ଷ୍ୟ ହାସଲରେ ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ରହିଛି ୨୨ ତମ ସ୍ଥାନରେ। ତେବେ ଓଡ଼ିଶାର ସବୁଠୁ ଦୟନୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି ଲିଙ୍ଗଗତ ବୈଷମ୍ୟ କ୍ଷେତ୍ରରେ । ୨୮ଟି ରାଜ୍ୟ ମଧ୍ୟରୁ ମାତ୍ର ୩୯ ପଏଣ୍ଟ ସହ ଶେଷରେ ରହିଛି ଓଡ଼ିଶା। ଉତ୍ତମ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ସାରା ଦେଶରେ ୨୭।
ସେହପରି ଶାନ୍ତି ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ତଳଆଡୁ ରହିଛି ଦ୍ବିତୀୟ ସ୍ଥାନରେ। ଏହାଛଡ଼ା କ୍ଷୁଧାମୁକ୍ତ ସୂଚକାଙ୍କରେ ୪୫ ଅଙ୍କ ସହ ୨୪ ତମ ସ୍ଥାନରେ ଅଛି ଆମ ରାଜ୍ୟ। SDG ଇଣ୍ଡେକ୍ସରେ ଶିଳ୍ପ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ରାଙ୍କ ରହିଛି ୨୨ ତମ ସ୍ଥାନରେ। ମୋହନ ସରକାରଙ୍କୁ ମିଳିଛି ଏକ ଦୁସ୍ଥ ଓ ପଛୁଆ ଓଡ଼ିଶା। ଏହି ସ୍ଥିତିରୁ ଓଡ଼ିଶାକୁ ବାହାର କରି ବିକାଶର ଧାରାରେ ଦୌଡ଼ାଇବା ଏବେ ବିଜେପି ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ।