ନାଲି ମାଟିର ରାସ୍ତା ଗୋଳିଆ ପାଣି ଭରସାରେ ବିତିଗଲାଣି ଗୋଟିଏ ଯୁଗ

ରାୟଗଡା: ପାହାଡିଆ ଜଙ୍ଗଲୀ ରାସ୍ତା... ମୁଣ୍ଡ ଉପରେ ଟାଇଁଟାଇଁ ଖରା... ଦେହକୁ ପଥର କରି ଚାଲୁଛନ୍ତି ଉଲୁରକୁଟିବାସୀ...ଚାଲିବେନି ବା କେମିତି ପେଟର ଭୋକ ଆପେଆପେ ବାଟ ଚଲାଇ ଦେଉଛି। ଦିନେକି ଦୁଇଦିନ ନୁହେଁ ଏହା ଏହି ଅଞ୍ଚଳବାସୀଙ୍କ ନିତିଦିନିଆ କଥା। ରାୟଗଡା ଚନ୍ଦ୍ରପୁର ବ୍ଲକର ଉଲୁରୁକୁଟି । ଗାଁରେ ପ୍ରାୟ 200ଶହରୁ ଅଧିକ ଲୋକ ବସବାସ କରନ୍ତି। ଯେଉଁ ମାନଙ୍କ ପାଇଁ ବିକାଶ ଆଜିବି ଶାତ ସପନ। ଗାଁ ଠାରୁ ମୁଖ୍ୟ ରାସ୍ତା 4 କିଲୋମିଟର ଯିବା ପାଇଁ କଚ୍ଚା ରାସ୍ତା ଭରସା।
ଗାଁରେ ଗୋଟିଏ ନଳକୂପ ରହିଛି ମାତ୍ର ସେଥିରୁ ବାହାରୁଥିବା ପାଣି ସମୁଦ୍ରକୁ ଶଙ୍ଖେ। ଜଳସଙ୍କଟ ଏମିତି ଲୋକେ ଚୁଆର ଗୋଳିଆ ପାଣିକୁ ପିଇବାକୁ ବାଧ୍ୟ ହେଉଛନ୍ତି। ଏହି ପାଣି ପାଇଁବି ଲୋକଙ୍କୁ ସଂଗ୍ରାମ କରିବାକୁ ପଡୁଛି। ଉଲୁକୁଟି, ପୁରୁଣାପାଣି ଭଳି ଚାରିଟି ଗାଁ ପାଇଁ ରହିଛି ଗୋଟିଏ ଅଙ୍ଗନବାଡ଼ି। ହେଲେ ଆଜିପର୍ଯ୍ୟନ୍ତ ଏହାର ନିଜସ୍ୱ ଘର ହୋଇ ପାରିଲାନି ଫଳରେ ଦିଦିଙ୍କ ଘର ବାରଣ୍ଡାରେ ଚାଲିଛି ପାଠପଢା। ପାଠ ପଢାଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଯୋଗାଇବା ସବୁ ଏହି ବାରଣ୍ଡାରେ ହୋଇଥାଏ।
ଗାଁରେ ଏବେବି ଅନେଙ୍କୁ ଆବାସ ମିଳିନି। ମୌଳିକ ସମସ୍ୟା ଭିତରେ ଜୁଝି ହେଉଛନ୍ତି ଉଲୁରକୁଟିବାସୀ। ମାତ୍ର ବର୍ଷ ପରେ ବର୍ଷ ବିତି ଯାଉଥିଲେବି ସମସ୍ୟାର ହେଉନି ସମାଧାନ।
ସେପଟେ ଗଜପତି ଆର.ଉଦୟଗିରି ବ୍ଳକର ପୁରୁଣା ପାଣି ପଞ୍ଚାୟତ। ପଞ୍ଚୟତରେ ଅଭିଶପ୍ତ ଗାଁ ତାଲିକା ଲମ୍ବା । ମୁନିଗଢିଅ, ଲମ୍ବା ଗୁଡ଼ା ,ଆଲାରା ଓ ରାମଗୁଡ଼ାରେ ଆଜି ବି ପହଞ୍ଚି ପାରିନି ମୌଳିକ ସୁବିଧା । ତତ୍କାଳୀନ ବିଜେଡି ସରକାରଙ୍କ 24 ବର୍ଷର ଶାସନ କାଳରେ ଦେଇପାରିଲେନି ଲୋକଙ୍କୁ ମୌଳିକ ସୁବିଧା । ରାସ୍ତା , ବିଦ୍ୟୁତ୍ ,ଆବାସ ଘର ଏପରିକି ପିଇବା ପାଇଁ ପାନୀୟ ଜଳ । ଅନେକ ସମସ୍ୟା ଦେଇ ଦୈନିକ ସଂଘର୍ଷ କରି ଆସୁଛନ୍ତି ନିରୀହ ଆଦିବାସୀ ମାନେ । ପାଣି ପାଇଁ ନଳକୂପ ଅଛି ମାତ୍ର ସେଥିରୁ ଅଧାଦିନ ପାଣି ବାହାରିଲେ ଅଧାଦିନ ନାଇଁ। ସେଥିପାଇଁ ପାନୀୟ ଜଳ କହିଲେ କୋଉଠି ନଦୀ ପାଣି ଭରସା ତ କୋଉଠି କୂଅ ।
📱 Get Argus News App
✨ବାହାର ଦୁନିଆଁ ଦେଖିବାକୁ ହେଲେ ଦୈନିଦିନ ଏହି କଚ୍ଚା ରାସ୍ତା ଦେଇ ଗମନା ଗମନ କରିବାକୁ ପଡେ । ଶିକ୍ଷା ସ୍ଵାସ୍ଥ୍ୟ ଲାଗି ଅନେକ ସଂଘର୍ଷ ଚାଲେ । ଶିକ୍ଷା ସୁବିଧା ନଥିବା ହେତୁ କୋମଳମତି ଶିଶୁମାନେ ପାଠପଢାରୁ ବଞ୍ଚିତ। ଆବାସ ଘର ମଧ୍ୟ ଏଠି ସାତ ସପନ । ଆଜିବି ଝାଟିମାଟିର ଘରେ ମୁଣ୍ଡ ଗୁଞ୍ଜନ୍ତି ଅଞ୍ଚଳବାସୀ। ରୋଜଗାର ପନ୍ଥା କିଛି ନଥିବା ହେତୁ ଜଙ୍ଗଲ ଜାତ ଭରସାରେ ଅଞ୍ଚଳବାସୀ । ଏପରିକି ଏଠି MGNREGA କାମ ମଧ୍ୟ କାଗଜ କଲମରେ ଚାଲୁଛି । ଯୁଗ ବଦଳିଛି ସରକାର ବଦଳିଛନ୍ତି , ଆଶା ବାନ୍ଧିଛନ୍ତି ଅଞ୍ଚଳ ବାସୀ ମୋହନ ସରକାର ଉପରେ। କେବେ ଏହି ଅଭିଶପ୍ତ ଜୀବନ ରୁ ମୁକ୍ତି ପାଇବେ ଦୁର୍ଗମ ବାସୀ ତାହାକୁ ହିଁ ଅପେକ୍ଷା ।