Videos
|
Odisha

Vehicle Insurance / ବୀମା ନଥିଲେ ସାବଧାନ... ଟୋଲଗେଟ୍‌ରେ କଟିବ ଚାଲାଣ

Rashmita Mishra
Browse all articles by Rashmita Mishra
·32 mins ago·2 min read
ବୀମା ନଥିଲେ ସାବଧାନ... ଟୋଲଗେଟ୍‌ରେ କଟିବ ଚାଲାଣ
Vehicle Insurance

Key Points

ବୀମା ନଥିବା ଗାଡ଼ି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ପରିବହନ ବିଭାଗ । 
ଟୋଲଗେଟ୍‌ରେ ଇ- ଡିଟେକ୍ସନ ପଦ୍ଧତିରେ ହେବ କଡ଼ାକଡ଼ି ଯାଞ୍ଚ । 
ଗାଡ଼ି ମାଲିକଙ୍କ ନିକଟକୁ ଯିବ ଇ - ଚାଲାଣ  । 
ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ଗାଡ଼ି ହେବ ଜବତ । 

ଯଦି ଆପଣଙ୍କ ଗାଡିର ବୀମା ନାହିଁ, ତେବେ ତୁରନ୍ତ କରାଇ ନିଅନ୍ତୁ । କାହିଁକି ନା କଠୋର ଆଭିମୁଖ୍ୟ ଗ୍ରହଣ କରିବ ପରିବହନ ବିଭାଗ । ଟୋଲଗେଟ୍‌ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ ହେବ । ଗାଡ଼ି ମାଲିକଙ୍କ ନିକଟକୁ ଯିବ ଇ - ଚାଲାଣ । ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ଗାଡ଼ି ଜବତ ହେବ । ପରିବହନ ବିଭାଗର ଆଭିମୁଖ୍ୟକୁ ସ୍ୱାଗତ କରିଛନ୍ତି ଗାଡି ମାଲିକ ।

ଆପଣଙ୍କ ଗାଡିର ବୈଧ ବୀମା ନାହିଁ କି, ତେବେ ହୋଇଯାଆନ୍ତୁ ସାବଧାନ । ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗ ଗ୍ରହଣ କରିବାକୁ ଯାଉଛି କଠୋର ଆଭିମୁଖ୍ୟ । ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, ଟୋଲଗେଟ୍‌ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ ହେବ । ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ଗାଡ଼ି ହେବ ଜବତ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମୋଟର ଯାନ ନିୟମାବଳୀର ସମ୍ପୂର୍ଣ୍ଣ କାର୍ଯ୍ୟକାରୀତା ସୁନିଶ୍ଚିତ କରିବା ପାଇଁ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଇ-ଡିଟେକ୍ସନ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲଗେଟ୍‌ ଦେଇ ଯାତାୟାତ କରୁଥିବା ଯାନବାହନର ବୈଧ ବୀମା, ଫିଟନେସ, ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦି କାଗଜପତ୍ର ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ ।

ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ, ସେଗୁଡ଼ିକ ବିରୋଧରେ ସଙ୍ଗେ ସଙ୍ଗେ ଇ-ଚାଲାଣ ଜାରି କରାଯିବ । ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସ୍ୱରୂପ ପଞ୍ଜିକରଣ ପ୍ରମାଣପତ୍ର ରଦ୍ଦ ଓ ଗାଡ଼ିଗୁଡ଼ିକୁ ଜବତ କରିବାକୁ ପଦକ୍ଷେପ ନିଆଯିବ ।

ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ଗାଡ଼ିର ନାହିଁ ବୈଧ ବୀମା । ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୧ କୋଟି ୧ ଲକ୍ଷ ୪୧ ହଜାର ୯୫୧ ଟି ଗାଡ଼ି ମଧ୍ୟରୁ ୬୫ ଲକ୍ଷ ୭୩ ହଜାର ୬୩୩ ଟି ଗାଡ଼ିର ବୈଧ ବୀମା ନାହିଁ । ଯାହାକୁ ଦୃଷ୍ଟିରେ ରଖି ଆରଟିଓ ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହ ଏନଫୋର୍ସମେଣ୍ଟ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।

ତେବେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ଯଥା ସମ୍ଭବ ଉଚିତ୍ କ୍ଷତିପୂରଣ ସୁନିଶ୍ଚିତ କରିବା ପାଇଁ ବୈଧ ବୀମା ଅତ୍ୟନ୍ତ ଜରୁରୀ ବୋଲି ସୂଚନା ଦିଆଯାଇଛି । ଅନ୍ୟପଟେ ପରିବହନ ବିଭାଗର ଏହି ନିଷ୍ପତ୍ତି କୁ ସ୍ୱାଗତ କରିଛନ୍ତି ଗାଡି ମାଲିକ । ଯଦି ଚାଲାଣରୁ ବଂଚିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଗାଡିର ତୁରନ୍ତ ବୀମା କରାଇ ନିଅନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: