ପୋଲିସ ଗୁଳିରେ ଶିକାର ହେଲା କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ଜାମସେଦ ଜଖମ

Key Points
ରାଜଧାନୀରେ ପୁଣି ଏନକାଉଣ୍ଟର୍
ପୋଲିସ ଗୁଳିରେ କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ଜାମସେଦ ଜଖମ
ଖଣ୍ଡଗିରି ଅଞ୍ଚଳରେ ଏନକାଉଣ୍ଟର କଲା ସ୍ପେଶାଲ କ୍ରାଇମ ୟୁନିଟ୍
ଜାମସେଦର ବାମଗୋଡ଼ରେ ବାଜିଛି ଗୁଳି
ଜାମସେଦ ପାଖରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ବନ୍ଧୁକ ଜବତ
ଗତ ୨ ମାସରେ ୫ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କଲାଣି ପୋଲିସ
ରାଜଧାନୀରେ ଅପରାଧୀଙ୍କୁ ସାବାଡ୍ ପାଇଁ ଆକ୍ସନ୍ ମୋଡରେ କମିଶନରେଟ୍ ପୋଲିସ୍ । ଖଣ୍ଡଗିରି ଅଞ୍ଚଳରେ ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍ । ଜାମସେଦର ବାମଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଜାମସେଦ ନିକଟରୁ ଏକ ବନ୍ଧୁକ ସହ 20 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୋଲିସ। ଜାମସେଦ୍ ଘର ଝାରପଡା ଅଞ୍ଚଳରେ । ତା ନାଁରେ ପୂର୍ବରୁ 4 ଟି କେସ ରହିଛି। ଯେଉଁଥିରୁ 3 ଟି ଡ୍ରଗ୍ସ କେସ୍। ନେପାଳ ଏବଂ ପଶ୍ଚିମବଙ୍ଗରେ ବେପାରୀଙ୍କ ଲିଙ୍କରେ ରହି ବ୍ରାଉନ ସୁଗାର ଆଣୁଥିଲା ମାଫିଆ ଶେଖ ଜାମସେଦ। ଜାମସେଦକୁ ଧରିବାକୁ ଯାଇଥିବା ବେଳେ ପୋଲିସକୁ ଦେଖି ସେ ପ୍ରଥମେ ଗୁଳି ଚଳାଇଥିଲା । ଏହାପରେ ପାଲଟା ଜବାବ ଦେଇଥିଲା ପୋଲିସ ।
ରାଜଧାନୀରେ ଅପାରଧୀଙ୍କୁ ସାବାଡ଼ ପାଇଁ ପୋଲିସ କରୁଛି ଏନକାଉଣ୍ଟର। ଗତ ୨ ମାସରେ ୫ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କଲାଣି ପୋଲିସ । ଫେବୃଆରୀ ୧୬, ପୁରୀ କେନାଲ ରୋଡ଼ ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ଏନକାଉଣ୍ଟର କରିଥିଲା ପୋଲିସ । ମାର୍ଚ୍ଚ 3, ବାଙ୍କୁଆଳ ନଦୀପଠା ବିହାରର ଦୁଇ କୁଖ୍ୟାତ ଲୁଟେରା ସୋନୁ ଯାଦବ, ମନୀଷ ଯାଦବକୁ ଏନକାଉଣ୍ଟର କରିଥିଲା ପୋଲିସ। ବିହାରର ଏହି ଦୁଇ ଲୁଟେରାଙ୍କ ନାଁରେ ୧୫ରୁ ଅଧିକ ଛିନତାଇ ମାମଲା ରହିଥିଲା । ଏମାନେ ବିହାରରୁ ଆସି ଭୁବନେଶ୍ବରରେ ଖେଳାଇଥିଲେ ବ୍ଲାକ୍ ପଲସର୍ ଆତଙ୍କ । କଳା ପଲସରରେ ଯାଇ କରୁଥିଲେ ଛିନତାଇ । ମାର୍ଚ୍ଚ 8,ପୁରୀ ବାଇପାସ ସାଇମନ୍ଦିର ପାଖ ATM ଲୁଟେରା ଦୀପକ କୁମାରକୁ ପୁରୀ ବାଇପାସ ସାଇମନ୍ଦିର ପାଖରେ ପୋଲିସ କରିଥିଲା ଏନକାଉଣ୍ଟର।