ଘରେ ଘରେ ଜୋର ସୋର୍ ରେ ଚାଲିଛି ନୂଆଁଖାଇ ଭେଟଘାଟ୍

ସୁନ୍ଦରଗଡ: ପଶ୍ଚିମଓଡିଶାର ମହାନ ଗଣ ପର୍ବ ନୂଆଁଖାଇ । ଗାଁଠୁ ସହର, ଧନୀ ହେଉ କି ଗରିବ ସମସ୍ତେ ଏହି ପର୍ବ ପାଳନ କରିଥାନ୍ତି । ଏହି ପର୍ବ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ହର୍ଷଉଲ୍ଲାସର ସହିତ ପାଳିତ ହେଇଛି । ପ୍ରଥମେ ନିର୍ଧାରିତ ସମୟରେ ମାଁ ସମଲେଇଙ୍କ ଠାରେ ନବାନ୍ନ ଲାଗିହେଲା ପରେ ସମସ୍ତଙ୍କ ଘରେ ନୂଆଁ ଖାଇଛନ୍ତି । ଏଥିପାଇଁ ଘରେ ଘରେ ସପ୍ତାହେ ବ୍ୟାପୀ ପ୍ରସ୍ତୁତି ଚାଲିଥିଲା ।
ପରିବାରର ସଦସ୍ୟମାନେ ଗାଧୋଇ ସାରିବା ପରେ ଜଙ୍ଗଲରୁ ପତ୍ର ତୋଳି ଆଣି ଏକାଠି ବସି ଖଲି ଦନା ତିଆରି କରି ସେହି ଖଲି ଦନାରେ ନିଜ ନିଜର ଇଷ୍ଟଦେବତା ତଥା ପିତୃପୁରୁଷଙ୍କ ପାଖରେ ନବାନ୍ନ ଲାଗି କରିଥିଲେ । ମହିଳା ମାନେ ସକାଳୁ ନୂଆଁ ଧାନ ଓ ଚୁଡାକୁ ଗୁଣ୍ଡ କରିଥିବାବେଳେ ଘରେ ଘରେ କ୍ଷୀରି ପୁରି, ପିଠା ପଣା କରିଥିଲେ । ଏଥିପାଇଁ ପରିବାରର ସମସ୍ତ ସଦସ୍ୟ ଯିଏ ଯେଉଁଠି ରହୁଥିଲେ ମଧ୍ୟ ଆସି ନିଜ ନିଜ ଘରେ ଏକତ୍ରିତ ହୋଇଛନ୍ତି ।
ପରିବାରର ସମସ୍ତ ସଦସ୍ୟ ଘରର ବରିଷ୍ଠ ସଦସ୍ୟଙ୍କ ଠାରୁ ନବାନ୍ନ ପ୍ରସାଦ ଗ୍ରହଣ କରିଛନ୍ତି । ପରେ ପରେ ଗାଁ ଗାଁରେ ଆରମ୍ଭ ହୋଇଯାଇଛି ଜୁହାର ଭେଟଘାଟ୍ ଘରର ସାନ ମାନେ ବଡଙ୍କୁ ମୁଣ୍ଡିଆ ମଆରିଥିବାବେଳେ ବଡମାନେ ଆଶୀର୍ବାଦ ଦେଇଥିଲେ । ଏହା ସହିତ ସବୁଠି ଭୋଜିଭାତ ନାଚ ଗୀତ ସହ କେଉଁଠି ସମ୍ବଲପୁରୀ ତ କେଉଁଠି ପାରମ୍ପରିକ ନୃତ୍ୟ ଚାଲିଥିଲା ।