Puri Srimandir / ଶ୍ରୀମନ୍ଦିରରେ ଆଜି ଓଢ଼ଣ ଷଷ୍ଠୀ ନୀତି

Key Points
ଶ୍ରୀମନ୍ଦିରରେ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ ଓଢ଼ଣ ଷଷ୍ଠୀ ନୀତି ।
ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ ଘୋଡ଼ ଲାଗି କରାଯାଏ ।
ଆଜି ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ। ଶ୍ରୀମନ୍ଦିରରେ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ ଓଢ଼ଣ ଷଷ୍ଠୀ ନୀତି। ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ ଘୋଡ଼ ଲାଗି କରାଯାଏ । ଏହି ଦିନ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଧିବଦ୍ଧ ଭାବରେ ଶୀତ ବସ୍ତ୍ର ପରିଧାନ କରିଥାନ୍ତି । ମାର୍ଗଶିର ଷଷ୍ଠୀଠାରୁ ଘୋଡ଼ଲାଗି ଆରମ୍ଭ ହୋଇ ମାଘ ବସନ୍ତ ପଞ୍ଚମୀ ଯାଏଁ ଏମିତି ୬୦ ଦିନ ପର୍ଯ୍ୟନ୍ତ ଚାଲୁ ରହେ । ଏହାକୁ ଘୋଡ଼ ଲାଗି ବେଶ କୁହାଯାଇଥାଏ। ବସନ୍ତ ଷଷ୍ଠୀଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ୩୫ ଦିନ ଲାଗି ମହାପ୍ରଭୁ ଜାମାଲାଗି ବା ଠିଆଘୋଡ଼ ବେଶରେ ଭୂଷିତ ହୁଅନ୍ତି ।
ଆମ ଓଡ଼ିଆ ମାନଙ୍କର ବାର ମାସରେ ତେର ପର୍ବ । ବିଭିନ୍ନ ଯାତ୍ରା, ଉତ୍ସବ, ପାର୍ବଣ ଶ୍ରୀମନ୍ଦିରରେ ପାଳନ ହୁଏ । ଗ୍ରୀଷ୍ମ ଦିନରେ ଗରମରୁ ରକ୍ଷା ପାଇବା ପାଇଁ ଯେଭଳି ମହାପ୍ରଭୁ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହୁଏ, ସେହିଭଳି ମାର୍ଗଶୀର ମାସ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇଁ ଚତୁର୍ଦ୍ଧା ମୂର୍ତ୍ତି ଶୀତ ବସ୍ତ୍ର ତଥା ଘୋଡ଼ ଧାରଣ କରିଥାନ୍ତି । ଘୋଡ଼ଲାଗି ବେଶରେ ମୋଟା ସୂତା ବସ୍ତ୍ର, ଖଣ୍ଡୁଆପାଟ, ମଖମଲର ଘୋଡ଼ବସ୍ତ୍ର, ଫୁଟା, ଟୋପର ଆଦିରେ ଶ୍ରୀଜୀଉମାନଙ୍କୁ ଭୂଷିତ କରାଯାଏ ।
ଘୋଡ଼ବସ୍ତ୍ରମାନ ସାଧାରଣତଃ ମଖମଲ ଓ ସୂତା କପଡାରେ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀସେବକଙ୍କଦ୍ୱାରା ଏକ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥାଏ । ପରମ୍ପରା ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ବସ୍ତ୍ର ପିନ୍ଧିଥାନ୍ତି । ଯେପରି ରବିବାର - ନାଲି ରଙ୍ଗର ଘୋଡ଼ବସ୍ତ୍ର, ସୋମବାର - କଳାଛିଟା ମିଶା ଧଳା ଧଳା ଘୋଡ଼ବସ୍ତ୍ର, ମଙ୍ଗଳବାର - ପଞ୍ଚ ରଙ୍ଗ ମିଶା ଘୋଡ଼ବସ୍ତ୍ର, ବୁଧବାର - ନୀଳ ରଙ୍ଗର ଘୋଡ଼ବସ୍ତ୍ର, ଗୁରୁବାର - ହଳଦିଆ ଘୋଡ଼ବସ୍ତ୍ର, ଶୁକ୍ରବାର - ଧଳା ଘୋଡ଼ବସ୍ତ୍ର, ଶନିବାର - କଳା ଘୋଡ଼ବସ୍ତ୍ର ।
ସାତ ଦିନରେ ଘୋଡ଼ ରଙ୍ଗକୁ ଜ୍ୟୋତିଷ ଶାସ୍ତ୍ରଜ୍ଞମାନେ ସାତ ଗ୍ରହର ପ୍ରତୀକ ବୋଲି କହିଥାନ୍ତି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଆବଶ୍ୟକ ଘୋଡ଼ ବସ୍ତ୍ରମାନଙ୍କୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ଵତନ୍ତ୍ର ଶୈଳୀରେ ପ୍ରସ୍ତୁତ କରିଥାନ୍ତି । ଠାକୁରମାନଙ୍କ ଘୋଡ଼ ଲାଗି ସମୟରେ ପୂଜାପଣ୍ଡାମାନେ ସିଂହାସନ ତଳେ ବସି ପୂଜା କରିଥାନ୍ତି । ସକାଳ ସମୟରେ ଶୀତ କମ୍ ରହୁଥିବାରୁ ସାଧାରଣତଃ ଦ୍ଵିପ୍ରହର ଧୂପ ପୂଜା ସମୟରେ ଠାକୁରମାନେ ଘୋଡ଼ ବସ୍ତ୍ର ପିନ୍ଧନ୍ତି ନାହିଁ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories