ପରପାରିରେ ଉତ୍ତମ ମହାନ୍ତି

ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ମଉଡ ମଣି ସମସ୍ତଙ୍କ ପ୍ରିୟ ଦଣ୍ଡା ବାଳୁଙ୍ଗା ଉତ୍ତମ ମହାନ୍ତି। ତାଙ୍କ ଅବର୍ତ୍ତମାନ କେବଳ ଚଳଚ୍ଚିତ୍ର ଜଗତ ନୁହେଁ ସାରା ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି। ଅଶୀ ନବେ ଦଶକରେ ତାଙ୍କ ଅଭିନୟର ଜଲଓ୍ବା ଯେ ଦେଖିଛି ସେ ଜାଣିଛି କେତେ ଜୀବନ୍ତ ହୋଇପାରେ ଅଭିନୟ।
୧୯୫୮ ମସିହା ଡିସେମ୍ବର ୨୩ । ବାରିପଦାରେ ଜନ୍ମଗ୍ରହଣ କରନ୍ତି ଏହି ଯୋଗଜନ୍ମା କଳାକାର ଉତ୍ତମ ମହାନ୍ତି। ୧୯୭୭ ମସିହାରେ ଅଭିମାନ କଥାଚିତ୍ରରୁ ଆରମ୍ଭ କରନ୍ତି ତାଙ୍କ ଅଭିନୟ ଯାତ୍ରା। ପରେ ସିନେମା ଛାଡି ମନ ବଳାନ୍ତି ପାଠ ପଢାରେ। ପାଠ ପଢା ସରିବା ପରେ ପୁଣି ପତିପତ୍ନୀ ଚଳଚ୍ଚିତ୍ରରେ ଆସନ୍ତି ପରଦାକୁ। ତାପରେ ଆଉ ପଛକୁ ଫେରି ନାହାନ୍ତି। ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ ଦେଖାଇଥିଲେ ତାଙ୍କ ଅଭିନୟର ଯାଦୁ। ସେ ପାଖାପାଖି ୧୩୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର , ୩୦ ଟି ବଙ୍ଗଳା ସିନେମା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି।
📱 Get Argus News App
✨ତାଙ୍କ ଅଭିନୀତ ସିନେମା ଗୁଡିକ ମଧ୍ୟରେ ରହିଛି କଳ୍କୀ ଅବତାର, ରୂପା ଗାଁର ସୁନାକନିଆଁ , ପୁଅ ମୋର ଭୋଳାଶଙ୍କର, ଲକ୍ଷ୍ମଣ ରେଖା, ମହମ୍ମଦ ମହସୀନ, ଯଶୋଦା, କପାଳ ଲିଖନ, ଭୀଷ୍ମ ପ୍ରତିଜ୍ଞା, ଏଇ ଆମ ସଂସାର, ପଞ୍ଚୁ ପାଣ୍ଡବ, ପାପପୁଣ୍ୟ, ପୂଜାଫୁଲ, ସତ କେବେ ଲୁଚି ରହେନା, ସମୟ ବଡ଼ ବଳବାନ, ସହରୀ ବାଘ, ଦଣ୍ଡା ବାଳୁଙ୍ଗା, ଝିଅଟି ସୀତା ପରି, ଫୁଲ ଚନ୍ଦନ।
ତାଙ୍କର ନିଖୁଣ ଅଭିନୟ ପାଇଁ ୧୯୮୨ ରେ ତାଙ୍କ ଅଭିନୀତ ଫୁଲ ଚନ୍ଦନ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର, ୧୯୮୩ ରେ ଝିଅଟି ସୀତା ପରି ପାଇଁ ଶ୍ରେଷ୍ଠ ଅଭିନେତା, ୧୯୮୪ ରେ ଦଣ୍ଡା ବାଳୁଙ୍ଗା ପାଇଁ ଶ୍ରେଷ୍ଠ ଅଭିନେତା, ୧୯୯୧ ରେ ତୋ ବିନୁ ଅନ୍ୟ ଗତିନାହିଁ ପାଇଁ ଶ୍ରେଷ୍ଠ ସହ ଅଭିନେତା, ୧୯୯୯ ରେ ଜୟଦେବ ପୁରସ୍କାର ସହ ଶତାଧିକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।
ଦୀର୍ଘଦିନ ହେବସେ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ।ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ୮ ତାରିଖରେ ତାଙ୍କୁ ଦିଲ୍ଲୀକୁ ଏୟାର ଲିପ୍ଟ କରାଯାଇଥିଲା।
ସେ ଚାଲି ଯାଇଛନ୍ତି ସତ ହେଲେ ସେ ଛାଡି ଯାଇଥିବା ତାଙ୍କ ଅଭିନୟ ସବୁଦିନ ପାଇଁ ଜୀବିତ ରଖିବ ଦର୍ଶକ ମହଲରେ।